ମରୈଗାଁ ପଞ୍ଚାୟତ ଅନିୟମିତତାର ତଦନ୍ତ କେବେ
ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ମନରେଗା ଯୋଜନାରେ ନାହିଁ ନଥିବା ଦୁର୍ନିତି ହୋଇଥିବା ଅଭିଯୋଗ ହୋଇ ଆସୁଥିଲେବି ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଉନାହିଁ । ତଦନ୍ତ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ସମୟ ନିର୍ଘଣ୍ଟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇପାରି ନାହିଁ । ପୁର୍ବରୁ ସୋସୋ ଓ ସୁଲଣ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ହଡପ ଘଟଣାରେ ସଂପୃକ୍ତ ପଞ୍ଚାୟତର ପିଇଓଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସରପଞ୍ଚଙ୍କ ନାମରେ ମାମଲା ରୁଜୁ କରାଯାଇଛି । କିନ୍ତୁ ମରୈଗାଁ ପଞ୍ଚାୟତରେ ହୋଇଥିବା ଦୁର୍ନିତିର ଆଜି ପର୍ଯ୍ୟନ୍ତ କୌଣସି ତଦନ୍ତ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।ମରୈଗାଁ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପାଇଖାନା ନିର୍ମାଣ ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଅଥବା ମନରେଗା ଯୋଜନା ସବୁଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ମାନ ଆସୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ୨୦୧୬/୧୭ରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଦୁଇଟି ଆବାସ ଯୋଜନା ଘର ଯୋଗାଇ ଦିଆଯାଇଛି । ଏପରିକି ସେହି ବର୍ଷରେ ତାଙ୍କର ଦୁଇଟିଯାକ ଘରର ପୁର୍ଣ୍ଣାଙ୍ଗ ବିଲ ମଧ୍ୟ କରାଯାଇଛି । ସେହିପରି ମନରେଗା ଯୋଜନାରେ ଫେକ୍ ଜବକାଡ ଧାରୀ ପ୍ରସ୍ତୁତ କରାଯାଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ମୋ ପୋଖରୀ, ଲ୍ୟାଣ୍ଡ ଡେଭଲପମେଣ୍ଟ ଭଳି ମନରେଗା ଯୋଜନା କାର୍ଯ୍ୟରେ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ଶହଶହ ନକଲି ଲୋକଙ୍କ ନାମରେ ଫେକ ଜବକାର୍ଡ କରାଯାଇ ମନରେଗା ଯୋଜନାର ମଜୁରୀ ଅର୍ଥକୁ ହଡପ କରାଯାଇଛି । ସେହିପରି ପଞ୍ଚାୟତକୁ ଆସିଥିବା ଏସ.ଏଫ.ସି ଓ ଟିଏଫସି ଅନୁଦାନରୁ ଦୁଇବର୍ଷ ପୁର୍ବେ ପଞ୍ଚାୟତ ପାଚେରୀ ନିର୍ମାଣ ଓ ନଳକୂପ ଖନନ ନାମରେ ଅଗ୍ରୀମ ଆକାରେରେ ୯ଲକ୍ଷ ୭୦ହଜାରରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଛି ଯେ ନାଁ କୌଣସି କାମ ହେଉଛି ନା ପଞ୍ଚାୟତକୁ ଏହି ଟଙ୍କା ଫେରସ୍ତ ହେଉଛି । ଏ ସମ୍ପର୍କରେ କିଛି ୱାର୍ଡସଭ୍ୟସଭ୍ୟା ଅଭିଯୋଗ କରିବାପରେ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବ୍ଲକ ପକ୍ଷରୁ ଅନୁଧ୍ୟାନ କରାଯିବାପରେ ଗତ ୨୦/୩/୨୦୨୦ରେ ବିଡିଓଙ୍କ ଚିଠିନଂ ୮୯୧ରେ ବ୍ଲକ ପକ୍ଷରୁ ପଞ୍ଚାୟତକୁ ୭ଲକ୍ଷ ୨୬ହଜାର ୮୩୯ଟଙ୍କା ୭ଦିନ ଭିତରେ ଫେରସ୍ତ ପାଇଁ ଚିଠି କରାଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ହୋଇ ନଥିବା ଅଭିଯୋଗ ହୋଇଛି । ସେହିପରି ଏବେ ବିଭିନ୍ନ ଗ୍ରାମରେ ହେଉଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ମୋ ପୋଖରୀ, ରାସ୍ତା ନିର୍ମାଣ, ଲ୍ୟାଣ୍ଡ ଡେଭଲପମେଣ୍ଟ ଯୋଜନା କାର୍ଯ୍ୟରେ ଏପରି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହିପରି ଦୁର୍ନୀତି ପାଇଁ ସୁଲଣ ଓ ସୋସୋ ପଞ୍ଚାୟତରେ ସରପଞ୍ଚଓ ପିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାବେଳେ ମରୈଗାଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ କାହିଁକି ତଦନ୍ତ କରାଯାଉ ନାହିଁ ବୋଲି ବରିଷ୍ଠ ବିଜେପି ନେତା ଆଲୋକ ସେଠୀ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲା । ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ୱାରା ଏହାର ତୁରନ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ପଞ୍ଚାୟତକୁ ତଦନ୍ତ ପରିସର ଭୁକ୍ତ କରାଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦ୍ୱାରା ତଦନ୍ତ କଲେ ବହୁ ଅନିୟମିତତାର ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି ତେନ୍ତୁଲିନଣ୍ଡା, ଶଙ୍ଖଣା, ମରୈଗାଁ, ଏଲକଣା ଗ୍ରାମର ଶତାଧିକ ବ୍ୟକ୍ତି ଦାବି କରିଛନ୍ତି ।


