ମରୈଗାଁ ବଳିପୁର ରାସ୍ତାର ଭିଜିଲାନସ ତଦନ୍ତ ପାଇଁ ଦାବିକଲା ଜିଲ୍ଲାପରିଷଦ କମିଟି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟର ପୁନଃ ପରିଦର୍ଶନ କରିବାପରେ ଜିଲ୍ଲାପରିଷଦ ୱାର୍କସ କମିଟି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ଭିଜିଲାନସ ଦ୍ୱାରା ତଦନ୍ତ କରାଇବାକୁ ଦାବିକରି ଜିଲ୍ଲାପାଳଙ୍କୁ ଚିଠି କରିଛି । ଜିଲ୍ଲାପରିଷଦର ୩ନଂ କମିଟିର ଅଧ୍ୟକ୍ଷ ଅକ୍ଷୟ ସାହୁ, ସଦସ୍ୟା ଡଲି ପାତ୍ର, ଜୟାପ୍ରଦା ସା, ମାନସ କୁମାର ବେହେରା, ମଧୁମିତା ଦେହୁରୀ ପ୍ରମୁଖ ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ହୋଇଥିବା ରାସ୍ତା ନିର୍ମାଣ କାର୍ଯ୍ୟର ପୁନଃ ସମୀକ୍ଷା କରି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗୃହକୁ ଜଣାଇଛନ୍ତି । କମିଟିର ସଭାପତି ଅକ୍ଷୟ କୁମାର ସାହୁଙ୍କ ଚିଠି ଅନୁଯାଇ ଏଗ୍ରିମେଣ୍ଟ ଭେଲୁ ୧୪କୋଟି ୦୮ଲକ୍ଷ ୯୪ହଜାର ଟଙ୍କା ହୋଇଥିବାବେଳେ ମରୈଗାଁ ଠାରୁ ୧୯କିଲୋମିଟର ୪୦୦ମିଟର ପର୍ଯ୍ୟନ୍ତ କାମ କରିବା କଥା । କିନ୍ତୁ ଏଷ୍ଟିମେଟ ଅନୁଯାଇ କାମ ନକରାଯାଇ ଅତିନିମ୍ନମାନର କାମ କରାଯାଇଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷ ସଲାସୁତୁରାରେ ୧୩କୋଟି ୭ଲକ୍ଷ ୩ହଜାର ୫୯୫ଟଙ୍କା ବିଲ କରାଯାଇ ଠିକାଦାରଙକୁ ପେମେଣ୍ଟ କରିଦେଇଛନ୍ତି । ଫଳରେ ୨/୩ମାସ ଭିତରେ ରାସ୍ତାଟି ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ତିନିମାସ ପୁର୍ବରୁ ଏହି ରାସ୍ତା କାର୍ଯ୍ୟ ସମୀକ୍ଷା ସମୟରେ ଜଳସମ୍ପଦ ବିଭାଗର ଅଧିକାରୀ ପୁନର୍ବାର ଏହାକୁ ନିର୍ମାଣ କରି ଉପଯୁକ୍ତ କାମ କରିବ ବୋଲି ପ୍ରତିଶୃତି ଦେଇଥିଲେବି ଆଜି ପର୍ଯ୍ୟନ୍ତ ସେପରି କିଛି ଅଗ୍ରଗତି କରିନଥିବାରୁ ରାସ୍ତାଟି ସମ୍ପୁର୍ଣ୍ଣ ଯାତାୟତ କ୍ଷେତ୍ରରେ ଅସୁରକ୍ଷିତ ହୋଇପଡିଥିବା ଦେଖିବାକୁ ପାଇଥିଲେ । ଏହି ରାସ୍ତା ଉପରଦେଇ ୧୦ଟି ପଞ୍ଚାୟତର ଲୋକମାନେ ଯାତାୟାତ ପାଇଁ ନିର୍ଭର କରୁଥିବାବେଳେ ସେମାନେ ଭୋଗୁଥିବା ଦୁର୍ଦ୍ଦଶାକୁ ନିଜ ଆଖିରେ ଦେଖିବା ସହିତ ସେମାନଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ । ଏହାର ସବବେସ ଠିକ ନଥିବାରୁ ରାସ୍ତାର ଅବସ୍ଥା ଏପରି ହୋଇଛି ବୋଲି ତାଙ୍କ ସହିତ ଆସିଥିବା ଅଧିକାରୀ ମାନେ ମଧ୍ୟ ସହମତି ପ୍ରକାଶ କରିଥିଲେ । ବିଭାଗ ପକ୍ଷରୁ ଗୋଟିଏ ସ୍ଥାନ ପୋତା ଯାଉଥିବାବେଳେ ଆଉ ଦୁଇଟି ସ୍ଥାନରେ ଖାଲ ହେଉଥିବା ଦେଖିବାକୁ ପାଇଥିଲେ । ତେଣୁ ଏହି ରାସ୍ତାକାମର ଉଚ୍ଚ ସ୍ତରୀୟ ତଦନ୍ତ ଅଥବା ଭିଜିଲାନସ ବିଭାଗ ଦ୍ୱାରା ତଦନ୍ତ କରାଇବାକୁ କମିଟି ଜିଲ୍ଲାପାଳଙ୍କୁ ଜଣାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଏହି ରାସ୍ତାନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧୫କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଏସ.କେ.ଏମ ଇନଫ୍ରାଭେଞ୍ଚର ନାମକ ଏକ ଠିକାସଂସ୍ଥା ଏହିକାମ କରୁଥିବାବେଳେ ଧାର୍ଯ୍ୟ ସମୟରେ କାମ କରିନଥିଲେ । ଯେତିକି ବି କାମ କରିଥିଲେ ତାହା ଅତି ନିମ୍ନମାନର ହୋଇଥିବାରୁ ଦିନ କେଇଟା ମଧ୍ୟରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସହ ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏନେଇ ସ୍ଥାନୀୟ ଲୋକମାନେ ଅନେକବାର ବିରୋଧ କରିବା ସହ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ ଜିଲ୍ଲାପରିଷଦ ବୈଠକରେ ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ଏକ କମିଟି ମାଧ୍ୟମରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପରିଷଦର ୩ନଂ କମିଟି ଏହି କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ବିଭାଗର ନିର୍ବାହୀଯନ୍ତ୍ରୀ ମାନେ ଉପସ୍ଥିତ ରହି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏହି ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମଧ୍ୟ ଚଳିତ ବିଧାନସଭାରେ ଏହି ପ୍ରଶ୍ନ ଉତ୍ଥାପନ କରିଥିଲେ ।


