ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ
ମହର୍ଷି ବାଲ୍ମୀକିଙ୍କ ଦ୍ୱାରା ବିରଚିତ ସଂସ୍କୃତ ରାମାୟଣ ମହାକାବ୍ୟ ସମଗ୍ର ସଂସାରେ ଏକ ଅଦ୍ଵିତୀୟ ଗ୍ରନ୍ଥ, ଯାହା ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ। ଏଥିରେ ମହର୍ଷି ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଓ ଶୈଶବ କାଳ ବା ବାଳ କାଣ୍ଡ ଠାରୁ ଆରମ୍ଭକରି ସୀତାପତିଙ୍କ ରାଜ୍ୟାଭିଷେକ ଓ ତା’ର ପରବର୍ତ୍ତୀ କଥାକୁ ନେଇ ଉତ୍ତର କାଣ୍ଡ ଭାଵେ ସାତଗୋଟି ଭାଗରେ ବର୍ଣ୍ଣନା କରିଛନ୍ତି। ଯାହା ମାନବ ସମାଜ ନିମନ୍ତେ ଏକ ଆଲୋକବର୍ତ୍ତିକା। ଏହି ଗ୍ରନ୍ଥରେ ଅନେକ ତାତ୍ତ୍ୱିକ ବିଷୟ ଆଲୋଚନା ହୋଇଥିଲେ ମଧ୍ୟ ବିଶେଷ ଭାବରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ‘ମର୍ଯ୍ୟାଦା ପୁରୁଷୋତ୍ତମ ରୂପେ’ ବର୍ଣ୍ଣନା କରାଯାଇଛି।
ଶ୍ରୀରାମଚନ୍ଦ୍ର ହେଉଛନ୍ତି ଭାରତୀୟ ସଂସ୍କୃତିର ଜଣେ ଆଦର୍ଶ ପୁରୁଷ ଓ ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାର। ସେ ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥି ଏବଂ କର୍କଟ ଲଗ୍ନର ପୁନର୍ବସୁ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ। ଏହି ପବିତ୍ର ସମୟକୁ ସାରା ସଂସାରବାସୀ “ଶ୍ରୀରାମ ନବମୀ” ରୂପେ ପାଳନକରି ଆସୁଛନ୍ତି। ମହାପ୍ରଭୁଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ରାମଚନ୍ଦ୍ର, ରାଘବ, ରଘୁନାଥ, ରଘୁପତି,ସୀତାପତି, ସୀତାବଲ୍ଲଭ, କୌଶଲ୍ୟା ନନ୍ଦନ, ଦାଶରଥୀ, ରାଜୀବଲୋଚନ , ପରମପୁରୁଷ ଓ ପୁରୁଷୋତ୍ତମ ଆଦି ଅନେକ ନାମରେ ସ୍ମରଣ କରିଥାନ୍ତି। ଏ ପ୍ରତ୍ୟେକ ନାମର ଯଥାର୍ଥତା ବି ରହିଛି। ଯେପରି ରଘୁବର, ଅର୍ଥାତ୍ ଯେ ରଘୁକୁଳର ଶ୍ରେଷ୍ଠ ଏବଂ ଯେ ସର୍ଵଦା କୁଳର ରୀତି-ନୀତିକୁ ଅକ୍ଷୁର୍ଣ୍ଣ ରଖନ୍ତି। ରାଘବ ନିଜ ରଘୁକୁଳର ଗାରିମାକୁ ରକ୍ଷା କରିବାକୁ ଯାଇ ନିଜେ ଅନେକ ଦୁଃଖ ଓ ଯନ୍ତ୍ରଣା ଭୋଗ କରିଛନ୍ତି। କାରଣ ସୂର୍ଯ୍ୟ ବଂଶୀୟ ରଘୁକୁଳର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଚନ ରକ୍ଷା କରିବା। ତେଣୁ ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି : ” ରଘୁକୁଳ ରୀତି ସଦା ଚଲି ଆଈ, ପ୍ରାଣ ଯାଏ ପର ବଚନ ନ ଜାଈ ” ଅର୍ଥାତ୍ ରଘୁକୁଳ ରୀତି ବା ପରମ୍ପରା ସର୍ବଦା ଏପରି ରହିଆସିଛି ଯେ, ପ୍ରାଣ ଚାଲିଗଲେ ମଧ୍ୟ ସେ’ମାନେ ଦେଇଥିବା କଥାକୁ କେବେ ବି ଭଙ୍ଗ କରନ୍ତି ନାହିଁ।
ଭଗବାନ ଶ୍ରୀରାମଙ୍କ ଜୀବନୀ ମୁଖ୍ୟତଃ ଆଦର୍ଶ, ଧର୍ମ ଏବଂ କର୍ତ୍ତବ୍ୟ ପରାୟଣତା ଉପରେ ଆଧାରିତ। ପ୍ରଭୁ ଦାଶରଥୀ ପିତୃଭକ୍ତି ଓ କର୍ତ୍ତବ୍ୟପରାୟଣତାର ମୂର୍ତ୍ତିମନ୍ତ ପ୍ରତୀକ ଅଟନ୍ତି। ସେ ପିତୃ ସତ୍ୟ ରକ୍ଷା କରିବାକୁ ଯାଇ ହସି ହସି ରାଜପ୍ରାସାଦ ତ୍ୟାଗ କରି ୧୪ ବର୍ଷ ବନବାସକୁ ଗ୍ରହଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତୁଳସୀ ଦାସ କହିଛନ୍ତି:
ପ୍ରାତଃକାଳ ସିଧୁ ନରହରି । ମଗଧ ରଘୁପତି ସିଂହାସନ ଧରି ।।
ପିତୁ ଆୟସୁ ମାନି ନିଜ ଶିର। ଚଲିତୁ ରାମ ବନ ଧରି ଗମ୍ଭୀର ।।
ଅର୍ଥାତ୍ ପିତାଙ୍କ ଆଜ୍ଞାକୁ ଅବଜ୍ଞା ନ କରି ରଘୁପତି ମୁଣ୍ଡପାତି ଗ୍ରହଣ କରିଥିଲେ ଏବଂ ସେ ଗମ୍ଭୀର ଭାବରେ ବନବାସ ପାଇଁ ବାହାରିଲେ। ସେ’ପରି ଓଡ଼ିଆ ଭାଗବତର ରଚୟିତା ଅତିବଡି ଜଗନ୍ନାଥ ଦାସ ଲେଖିଛନ୍ତି:
“ରାମ ରୂପରେ ଭଗବାନ ହରିଲେ ମହୀର କଷଣ।
ସତ୍ୟ ପାଳିଲେ ପିତୃବାକ୍ୟ ସୁଖେ ବଞ୍ଚିଲେ ବନଯାକ॥”
ପ୍ରଭୁ ଶ୍ରୀରାମ ସିଂହାସନ ଛାଡ଼ିଲେ କିନ୍ତୁ ମର୍ଯ୍ୟାଦା ଛାଡ଼ିଲେ ନାହିଁ। ଯାହା ଜଣେ ଆଦର୍ଶ ପୁତ୍ରର ଦୃଷ୍ଟାନ୍ତ ଦର୍ଶାଏ। ସେଭଳି ନିଜ ଜୀବନର ପ୍ରତିଟି କ୍ଷେତ୍ରରେ ନୀତି, ନିୟମ ଓ ସାମାଜିକ ମର୍ଯ୍ୟାଦାକୁ ସେ ଶ୍ରେଷ୍ଠ ସ୍ଥାନ ଦେଇଥିଲେ । ତେଣୁ ଶାସ୍ତ୍ରରେ କୁହାଯାଇଛି:
ଧର୍ମ ସ୍ୱରୂପ ରାମ, ସତ୍ୟ ସ୍ୱରୂପ ରାମ ।
ପତିତ ପାବନ ରାମ, ମର୍ଯ୍ୟାଦା ପୁରୁଷୋତ୍ତମ ରାମ ।।
ସେ’ପରି ଅନ୍ୟ ଏକ ଜଣାଣରେ ଦେଖାଇବାକୁ ମିଳେ:
ସୀତାପତି ରାମ ପୁରୁଷ ଉତ୍ତମ ନ୍ୟାୟ ଧର୍ମ ମୂର୍ତ୍ତିମନ୍ତ ।
ସମସ୍ତ ହୃଦରେ ରମଣ କରନ୍ତି କହଇ ଦାସ ହେମନ୍ତ ।।
ଏହି କାରଣରୁ ତାଙ୍କୁ ‘ମର୍ଯ୍ୟାଦା ପୁରୁଷୋତ୍ତମ’ ବୋଲି କୁହାଯାଏ। ସେ ଧର୍ମ ଓ ସତ୍ୟର ସର୍ବଦା ପଥ ଅନୁସରଣ କରିଥିଲେ ଏବଂ କଠିନ ସମୟରେ ମଧ୍ୟ ଧର୍ମ ଓ ସତ୍ୟରୁ ବିଚ୍ୟୁତ ହୋଇନଥିଲେ। ମହାପ୍ରଭୁ କୋଦଣ୍ଡଧାରୀ ରାବଣ ପରି ଶକ୍ତିଶାଳୀ ଅସୁରକୁ ପରାସ୍ତ କରି ଧର୍ମର ପ୍ରତିଷ୍ଠା କରିଥିଲେ। ତେଣୁ ଶ୍ରୀରାମ ହେଉଛନ୍ତି ଧୈର୍ଯ୍ୟ ଓ ସାହସର ଜ୍ୱଳନ୍ତ ଉଦାହରଣ। ଯାହା ଉକ୍ତ ଶ୍ଳୋକରେ ପ୍ରତିତି ହୁଏ ଲୋକାଭିରାମଂ ରଣରଙ୍ଗଧୀରଂ ରାଜୀବନେତ୍ରଂ ରଘୁବଂଶନାଥମ୍ । ସେ ଥିଲେ ଜଣେ ନ୍ୟାୟପ୍ରିୟ ତଥା ପ୍ରଜାବତ୍ସଳ ଶାସକ। ସୀତାପତି ନିଜର ପ୍ରଜାଙ୍କ ସ୍ୱାର୍ଥକୁ ସର୍ବୋପରି ମନେ କରୁଥିଲେ। ସେ ପ୍ରଜାଙ୍କ ଭାବନାକୁ ହୃଦୟଙ୍ଗମ କରି ମାତା ସୀତାଙ୍କୁ ମଧ୍ୟ ତ୍ୟାଗ କରି ଦେଇଥିଲେ। ତା’ଙ୍କ ଶାସନ କାଳରେ ପ୍ରଜାମାନେ ଅତ୍ୟନ୍ତ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରୁଥିଲେ। ତେଣୁ ଆଜି ବି ଆଦର୍ଶ ଶାସନ କହିଲେ ‘ରାମରାଜ୍ୟ’କୁ ବୁଝାଏ। ରଘୁନାଥ ଅନାଥର ନାଥ ମଧ୍ଯ ଥିଲେ। ସେ ଶତ୍ରୁ ପକ୍ଷ ଲଙ୍କାପତି ରାବଣର ଭାଇ ବିଭୀଷଣ, ବନ୍ଧୁ ସୁଗ୍ରୀବଙ୍କୁ ମଧ୍ୟ ଦୟା ଭାବ ଦେଖାଇ ଆଶ୍ରୟ ପ୍ରଦାନ କରିଥିଲେ। ତେଣୁ ତା’ଙ୍କୁ ଶରଣାଗତ ବତ୍ସଳ କୁହାଯାଏ। ସେ ଜାତି ବର୍ଣ୍ଣ ନିର୍ବିଶେଷରେ ଗୁହକ ରାଜା, କୈବର୍ତ୍ତ ତଥା ଶବରୀର ଅଇଁଠା କୋଳି ଖାଇ ସମସ୍ତଙ୍କୁ ଆପଣାଇ ନେଇଥିଲେ। ଯାହା ଉଦାରତା ଓ ପ୍ରେମର ଏକ ଅତୁଳନୀୟ ନିଦର୍ଶନ। କୌଶଲ୍ୟା ନନ୍ଦନ ଜଣେ ଆଦର୍ଶ ପୁତ୍ରଭାବେ ମାତା କୈକେୟୀଙ୍କ କଥାକୁ ଗ୍ରହଣ କରି ଭାଇ ଭରତଙ୍କୁ ରାଜ ସିଂହାସନ ପ୍ରଦାନ କରିଥିଲେ ଏବଂ ଆଦର୍ଶ ଶିଷ୍ୟ ଭାବେ ଗୁରୁ ବିଶ୍ଵାମିତ୍ରଙ୍କ ଆଜ୍ଞା ପାଳନ କରି ଅସୁର ସଂହାର କରିଥିଲେ। ଆଦର୍ଶ ଭାତୃ ଭାବେ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ପ୍ରତି ତାଙ୍କର ଅତୁଟ ସ୍ନେହ ରହିଥିଲା। ଆଦର୍ଶ ସ୍ୱାମୀ ରୂପେ ଏକପତ୍ନୀ ବ୍ରତ ପାଳନ କରିଥିଲେ ଏଵଂ ମାତା ସୀତାଙ୍କ ପ୍ରତି ରହିଥିଲା ତା’ଙ୍କର ନିଷ୍ଠା ଓ ସମ୍ମାନ। ଆଦର୍ଶ ପିତା ଏବଂ ଜଣେ ଆଦର୍ଶ ମିତ୍ର ଭାବରେ ସାରା ବିଶ୍ୱ ପାଇଁ ସେ ପ୍ରେରଣାର ଉତ୍ସ ଅଟନ୍ତି। ତେଣୁ କୁହାଯାଉଛି ଯେ,ରାମ ସ୍ୱଭାବୁ ସବହି ସନ ପ୍ରୀତି । ସବହି ବହୁତ ପିୟୁ ପ୍ରିୟା ପ୍ରତୀତି ।।
ଏହାର ଅର୍ଥ: ଶ୍ରୀରାମଙ୍କ ସ୍ୱଭାବ ଏଭଳି ଯେ ସେ ସମସ୍ତଙ୍କୁ ବିନା ସର୍ତ୍ତରେ ପ୍ରେମ କରନ୍ତି। ତେଣୁ ସେ ସମସ୍ତଙ୍କର ଅତି ପ୍ରିୟ ଅଟନ୍ତି।ଏପରି ଦୈବୀ ଗୁଣ ଓ ଆଦର୍ଶ ଆଜିର ସମାଜ ପାଇଁ ନିତାନ୍ତ ଆବଶ୍ୟକ। ନହେଲେ ରାମ ରାଜ୍ୟର ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯିବ।
ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।


