ମଶା ମାରିବାକୁ ଲକ୍ଷ ଲକ୍ଷ ଖର୍ଚ୍ଚ କରୁଛି ମହାନଗର ନିଗମ ଉପକାର ପାଉନାହାଁନ୍ତି ସହରବାସୀ : ପୀତବାସ ପଣ୍ଡା
ବ୍ରହ୍ମପୁର,(ଅନିଲ କୁମାର):ଯାବତୀୟ କେଳେଙ୍କାରୀ ଓ ଅନିୟମିୟତାରେ ପ୍ରସିଦ୍ଧ ଅର୍ଜନ କରିଥିବା ବ୍ରହ୍ମପୁର ମହାନଗର ନିଗମ ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି l ସହରବାସୀ ବର୍ଷ ତମାମ ମଶା ଦ୍ୟାରା ଆକ୍ରାନ୍ତର ଶିକାର ହେଉଥିବା ବେଳେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ନଜରକୁ ଆସୁଛି l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ ସହରବାସୀ ଙ୍କୁ ମଶା ଦାଉରୁ ରକ୍ଷା ପାଇଁ କଣ ପଦକ୍ଷେପ ନେଇଛି ଓ ମଶା ମାରିବା ମେସିନ୍ ଯଥା ଟିଫା ମେସିନ୍ କୁ କେତେ ଦିନ ବାର୍ଷିକ ବ୍ୟବହାର କରାଯାଇଛି ଓ ଏହି ବାବଦରେ କେତେ ଟଙ୍କା ପୌର ପରିଷଦ ଖର୍ଚ୍ଚ କରିଛି ବୋଲି ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ,ବିଜେପି ନେତା ଶ୍ରୀ ପୀତବାସ ପଣ୍ଡା ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ଚାହିଁଥିଲେ lମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ମହାନଗର ନିଗମ ସହରରେ ମଶା ମାରିବା ପାଇଁ ମୋଟ ୬୯ ଲକ୍ଷ ୬୯ ହଜାର ୨୮୩ ଟଙ୍କା ଖର୍ଚ୍ଚ କରିଛି l ଏହି ବିପୁଳ ଧନ ରାଶି ଟିଫା ମେସିନ୍ ରେ ବ୍ୟବହୃତ ହେଉଥିବା ଡିଜେଲ ପାଇଁ ମହାନଗର ନିଗମ ଖର୍ଚ୍ଚ କରିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୧୯-୨୦ ରେ ସର୍ବନିମ୍ନ ୨୦ଘଣ୍ଟା ମଶା ମାରିବାକୁ ଟିଫା ମେସିନ କୁ ବ୍ୟବହାର କରାଯାଇଥିଲା ଓ ଏଥିପାଇଁ ପନ୍ଦର ଶହ ଲିଟର ଡିଜେଲ୍ ଯାହାର ମୂଲ୍ୟ ୧ଲକ୍ଷ ୧୬ ହଜାର ୪୦ ଟଙ୍କା ପୌର ପରିଷଦ ଖର୍ଚ୍ଚ କରିଛି । ସେହିପରି ୨୦୨୩-୨୪ ବର୍ଷ ରେ ପ୍ରାୟ ୪୨୧ ଘଣ୍ଟା ମଶା ମାରିବା ପାଇଁ ଟିଫା ମେସିନ୍ ବୁଲିଥିବା ବେଳେ ଏହି ବାବଦକୁ ୩୧,୫୯୦ ଲିଟର ଡିଜେଲ୍ ଖର୍ଚ୍ଚ କରାଯାଇଛି ,ଯାହାର ମୂଲ୍ୟ ୩୦ଲକ୍ଷ ୩୭ ହଜାର ୬୧ ଟଙ୍କା ବୋଲି ମହାନଗର ନିଗମ ସୂଚନା ଦେଇଛି ।ଏତେ ପରିମାଣର ବିପୁଳ ଧନରାଶି ମଶା ମାରିବା ପାଇଁ ପୌର ପରିଷଦ ଖର୍ଚ୍ଚ କରୁଥିବା ବେଳେ ,ସହରବାସୀ ଏଥିରୁ କେତେ ଉପକାର ପାଉଛନ୍ତି ତାହା ଏକ ବିରାଟ ପ୍ରଶ୍ନ ! ଯେତେବେଳେ ଦେଶରେ କରୋନା ଯୋଗୁଁ 2020 ଓ 2021.ରେ ସମସ୍ତ ଜୀବନ ଜିବିକା ଠପ ହୋଇଯାଇଥିଲା ସେତେବେଳେ ମହାନଗର ନିଗମ ମଶା ମାରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସନ୍ଦେହ ସୃଷ୍ଟି କରୁଛି l ବାସ୍ତବରେ ଟିଫା ମେସିନ୍ କୁ ମହାନଗର ନିଗମ ଦ୍ୟାରା ଦିଆଯାଇ ଥିବା ତଥ୍ୟ ଅନୁଯାୟୀ ସହରରେ ବୁଲା ଯାଇଛି, କି ‘ଏଥିରେ କିଛି ଗଡ଼ବଡ଼ କରାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ପ୍ରକାଶ କରିଛନ୍ତି l