ମହଙ୍ଗା ପଡ଼ିଲା ଶାହଙ୍କ ସ୍ୱାସ୍ଥ୍ୟ ଗୁଜବ, ୪ ଗିରଫ

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନାମରେ ଜାଲ ଟ୍ୱିଟର ଆକାଉଣ୍ଟ ସୃଷ୍ଟି କରାଯାଇ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କରାଯାଇଛି । ଏହି ମାମଲାରେ ଅହମ୍ମଦାବାଦ ପୁଲିସ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ ଏକ ବିବୃତି ଜାରି କରିଛନ୍ତି, ସୋସିଆଲ ମିଡିଆରେ ମୋ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଗୁଜବ ସୃଷ୍ଟି କରାଯାଉଛି, ତାହା ସମ୍ପୂର୍ଣ୍ଣ ଭୁଲ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୋର କୌଣସି ଅସୁବିଧା ହୋଇନାହିଁ ।
ପୁଲିସ ବିଭାଗ ସ୍ୱତନ୍ତ୍ର କମିଶନର (ଅପରାଧ) ଅଜୟ ତୋମର କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ସମ୍ପର୍କରେ ଗୁଜବ ସୃଷ୍ଟି କରି ଏହାକୁ ସୋସିଆଲ ମିଡିଆରେ ପ୍ରସାରଣ କରିବା ଅଭିଯୋଗରେ ସ୍ଥାନୀୟ କ୍ରାଇମ ବ୍ରାଞ୍ଚ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି । ଅଭିଯୁକ୍ତମାନେ ଶାହଙ୍କ ନାମରେ ଜାଲ ଟ୍ୱିଟର ଆକାଉଣ୍ଟ ଖୋଲି ତାଙ୍କୁ ଏକ ବଡ଼ ରୋଗ ହୋଇଛି ବୋଲି ଦର୍ଶାଇଥିଲେ । ଆକାଉଣ୍ଟର ଏକ ସ୍କ୍ରିନ ସଟ ନେଇ ସେମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋକୁ ଲୋକମାନେ ଦେଖିବା ପରେ ଏହା ଭାଇରାଲ ହେବାରେ ଲାଗିଥିଲା । ତାଙ୍କ କହିବା ଅନୁସାରେ, ସନ୍ଦିଗ୍ଧମାନଙ୍କୁ ଅହମ୍ମଦାବାଦ ଏବଂ ଭାବନଗରଠାରୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରାଉଚରା କରାଯାଉଛି । ଆଇଟି ଆଇନ ଧାରା ୬୬ (ସି) ଓ ୬୬(ଡି) ଅନୁସାରେ ଏହି ମାମଲା ଦାଏର କରାଯାଇଛି । ସେପଟେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଟ୍ୱିଟ କରି କହିଛନ୍ତି, ଅମିତ ଶାହଙ୍କ ସ୍ୱାସ୍ଥ୍ୟ ବାବଦରେ ଏଭଳି ଅମାନବୀୟ ଟିପ୍ପଣୀ ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ । କାହାର ସ୍ୱାସ୍ଥ୍ୟକୁ ନେଇ ଏଭଳି ମିଥ୍ୟା ଖବର ସୃଷ୍ଟି କରାଯିବା ଉଚିତ ନୁହେଁ । କେବଳ ମାନସିକ ସ୍ଥିତି ଖରାପ ଥିବା ଲୋକମାନେ ଏଭଳି କରିପାରନ୍ତି । ମୁଁ ଏହାକୁ ତୀବ୍ର ଭର୍ତ୍ସନା କରୁଛି ଏବଂ ଏଭଳି ଲୋକଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନାକ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ