ମହଙ୍ଗା ପଡିଲା ପୋଲିସକୁ ଆକ୍ରମଣ : ପ୍ରଧାନ ଶିକ୍ଷକ ଗଲେ ଜେଲ
ବୁଗୁଡ଼ା, (ଅନିଲ କୁମାର ମହାରଣା) :କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ଗୁଣ୍ଡାଗିରି, ଅଟକାଇବାରୁ କାର୍ଯ୍ୟରତ ଓଏପିଏଫ ସିପାହୀଙ୍କୁ ମଧ୍ୟ ଆକ୍ରମଣ, କାବୁକରି ଧରିଲେ ପୋଲିସ ଓ ଶେଷରେ ଗଲେ ଜେଲ । ପୋଲସରା ଥାନା ଅନ୍ତର୍ଗତ ସାନବରଗାଁ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସତ୍ୟ ସନାତନ ବେହେରା ମଙ୍ଗଳବାର ଦିନ ପୋଲସରା ବସଷ୍ଟାଣ୍ଡରେ କୌଣସି କାରଣରୁ କୋଦଳା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ମାଡମାରି ଆକ୍ରମଣ କରିଥିଲେ । ପୋଲସରା ବସଷ୍ଟାଣ୍ଡରେ କାର୍ଯ୍ୟରତ ଓଏପିଏଫ ସିପାହୀ ଜଣକ କାହିଁକି ଜନଗହଳି ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛ ବୋଲି ପଚାରିବା ଯୋଗୁଁ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା, କାର୍ଯ୍ୟରତ ସିପାହୀ ସୀମାଞ୍ଚଳ ଶବରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଓଏପିଏଫ ସିପାହୀ ସୀମାଞ୍ଚଳଙ୍କୁ ଆକ୍ରମଣ ହେଉଥିବା ବେଳେ କାର୍ଯ୍ୟରତ ଅନ୍ୟ ପୋଲିସ ବୃନ୍ଦ କୌଶଳ କ୍ରମେ ଆକ୍ରମଣ କାରି ପ୍ରଧାନ ଶିକ୍ଷକ ସତ୍ୟ ସନାତନ ବେହେରାଙ୍କୁ କାବୁକରି ପୋଲିସ ଥାନାଙ୍କୁ ନେଇଥିଲେ । ସିପାହୀ ସୀମାଞ୍ଚଳ ଶବରଙ୍କ ଅଭିଯୋଗ କ୍ରମେ ପୋଲସରା ଥାନା କେଶ ନଂ ୫/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ପ୍ରଧାନ ଶିକ୍ଷକ ସତ୍ୟ ସନାତନ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବା ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ସାନବରଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ମଧ୍ୟ ଗ୍ରାମବାସୀ ବିଇଓଙ୍କୁ ଲିଖିତ ଅଭିଯୋଗ ଦେଇ ସ୍କୁଲ ଗେଟରେ ତାଲା ପକାଇ ଥିବା ଜଣାପଡିଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନ ଶିକ୍ଷକ ସତ୍ୟ ସନାତନ ବେହେରା ବିଦ୍ୟାଳୟ ପରିସରରେ ମଦ୍ୟ ଓ ଭାଙ୍ଗ ପାନକରି ଗ୍ରାମ୍ୟ କମିଟି ସଭାପତି ଏବଂ ପରିଚାଳନା କମିଟି ସଭାପତି ଓ ସଦସ୍ୟ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ଗ୍ରାମବାସୀ ବିଇଓଙ୍କୁ ଅଭିଯୋଗ କରିବା ସହ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବିକାରୀ ବିଦ୍ୟାଳୟ ଫାଟକରେ ତାଲା ପକାଇଥିବା ପରିଚାଳନା କମିଟି ସଭାପତି ପ୍ରକାଶ କରିଛନ୍ତି । ବର୍ତ୍ତମାନ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଜେଲରେ ଥିବା ବେଳେ ଅନ୍ୟଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦାବିକରିଛନ୍ତି ।


