ମହଙ୍ଗା ପଡ଼ିଲା ଅନ୍ଲାଇନ୍ ମଦକିଣା
ବର୍ତ୍ତମାନର ଜୀବନଶୈଳୀ ବହୁତ ସହଜ ହୋଇଯାଇଛି । ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ଦେଣନେଣ, ଖାଦ୍ୟ, ପୋଷାକ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଅର୍ଡର୍ ଗୋଟିଏ ଚୁଟ୍କିରେ ହୋଇପାରୁଛି । ବେଳେବେଳେ ଅନ୍ଲାଇନ୍ରେ ଜିନିଷ କିଣିବା ମଣିଷକୁ ହରଡ଼ଘଣାରେ ପକାଇଦିଏ । ସମ୍ପ୍ରତି ଏକ ଖବର ଅନୁସାରେ ଜଣେ ବ୍ୟକ୍ତିଙ୍କ ପାଇଁ ଅନ୍ଲାଇନ୍ରେ ମଦ ମଗାଇବା ଭାରି ପଡ଼ିଛି । ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୦ ହଜାର ଟଙ୍କା କଟିଯାଇଛି । ଏହି ଘଟଣା ଘଟିଛି ଗାଜିଆବାଦର ସରାଇ ନଜର ଅଲୀରେ । ସେଠାରେ ବାସ କରୁଥିବା କାର୍ତ୍ତିକ ଗୋୟଲ ଗୁଗଲରେ ୱାଇନ୍ ଦୋକାନ ବିଷୟରେ ସର୍ଚ୍ଚ କରିଥିଲେ ଓ ସେଠାରୁ ମିଳିଥିବା ଏକ ନମ୍ବରରେ ଫୋନ୍ କରିଥିଲେ । ଏହାପରେ ୨ହଜାର ୯ଶହ ଟଙ୍କା ମୂଲ୍ୟର ୱାଇନ୍ ଅନ୍ଲାଇନ୍ ଅର୍ଡ଼ର ଦେଲେ । ଏହାର କିଛି ସମୟ ପରେ ଠକମାନେ ତାଙ୍କ ଡେବିଟ୍ କାର୍ଡ଼ର ସମ୍ପୂର୍ଣ୍ଣ ତଥ୍ୟ ନେଇ ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଇଥିଲେ । ଯାଞ୍ଚରୁ ଜଣାପଡ଼ିଲା ଯେ, ଯେଉଁ ୱାଇନ୍ ପାଇଁ ସେ ଫୋନ କରିଥିଲେ, ସେଠାରେ ସେପରି କୌଣସି ଦୋକାନ ନାହିଁ । ସାଇବର୍ ସେଲ୍ ଘଟଣାର ଯାଞ୍ଚ କରୁଛି । ସୂଚନା ଅନୁସାରେ, ଗୁଗଲରୁ ନମ୍ବର ପାଇ କାର୍ତ୍ତିକ ଫୋନ୍ କଲା ପରେ ୟୁପିଆଇ ଜରିଆରେ ୨ ହଜାର ୯୦୦ ଟଙ୍କା ପେମେଣ୍ଟ୍ କରିଥିଲେ । ଏହାପରେ ଡେଲିଭରି ଚାର୍ଜ ନାଁ’ରେ ତାଙ୍କୁ ୪୦ ଟଙ୍କା ମଗାଯାଇଥିଲା ଓ କାର୍ଡ଼ କରିଆରେ ଏହି ଦେୟ ଦେବାକୁ କୁହାଗଲା । ଲୁଟେରା କାର୍ତ୍ତିକଙ୍କୁ କାର୍ଡ଼ର ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ ଓ ସେ ମଧ୍ୟ ଦେଇ ଦେଇଥିଲେ । ଏହାପରେ ତାଙ୍କ ଖାତାରୁ ୯ ହଜାର ୧ ଶହ ଟଙ୍କା କଟି ଯାଇଥିଲା । କାର୍ତ୍ତିକ ପୁଣି ସେହି ନମ୍ବରକୁ ଫୋନ୍ କଲା ପରେ ସେମାନେ କହିଲେ ଭୁଲରେ କଟିଯାଇଛି, ଆପଣଙ୍କ ଡେବିଟ୍ କାର୍ଡ଼କୁ ପେମେଣ୍ଟ କରି ହେଉନାହିଁ । ତେଣୁ ଆପଣ ଆଉ ଏକ କାର୍ଡ଼ ନମ୍ବର କୁହନ୍ତୁ । ଏହା ପରେ କାର୍ତ୍ତିକ ତାଙ୍କ ଭାଇଙ୍କ କାର୍ଡ଼ର ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ । କିଛି ସମୟ ମଧ୍ୟ ପାଞ୍ଚ ଥରରେ ଖାତାରୁ ୧ ଲକ୍ଷ ୯୦ ଜହାର ଟଙ୍କା କଟିଯାଇଥିଲା ।