ମହାଆଡ଼ମ୍ବର ସହକାରେ ଗଜାନନଙ୍କ ପୂଜାତ୍ସୋବ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ଦିବସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାପୀଠ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଧରିତ୍ରୀ ପବ୍ଳିକ ସ୍କୁଲ, ଓଁ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲ, ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୁରୁପଡ଼ା ଭଗବତି ବିଦ୍ୟାପୀଠ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ବିଦ୍ୟାପୀଠ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଡଖଣ୍ଡି ସତ୍ୟଭାମା ଉଚ୍ଚ ବିଦ୍ୟାଳୟ, ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମ ବିଦ୍ୟାଳୟ, ପୋଚିଲିମା ସ୍ଥିତ ସରକାରୀ ଶିଳ୍ନ ତାଲିମ ଅନୁଷ୍ଠାନ ଓ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ ସାହି ବସ୍ତିରେ ସ୍ୱେଛାସେବୀ ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଘୋଡ଼ାହାଡ଼ ପାହାଡ଼ ଏବଂ ସୋମପୁର ଘୋଡ଼େଇଶୁଣୀ ପୀଠରେ ଥିବା ଗଣେଷ ମନ୍ଦିରରେ ପ୍ରାତଃହରୁ ଦିନତମାମା ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥିଲା । ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳରେ ଛୋଟବଡ଼ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ବିନାୟକ ମହାପ୍ରଭୂଙ୍କ ମେଢ ବସିଥିଲା । ୧୬ ନଂ ୱାର୍ଡ଼ ମାଣିକନଗର ଅଞ୍ଚଳରେ ସହରର ସବୁଠାରୁ ବ୍ୟୟବହୁଳ ଗଜାନନଙ୍କ ମେଢ ଅନୁଷ୍ଠିତ ହୋଇଥିଲା । ବିନାୟକ ଚତୁର୍ଥୀ ଉପଲକ୍ଷେ ରଜାସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତଲୀଳା ନାଟକ ପରିବେଷଣ କରାଯାଇଥିଲା । ଗଜାନନଙ୍କ ପୂଜାତ୍ସୋବ ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ପୂଜା ମଣ୍ଡପ ଗୁଡ଼ିକୁ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ବାନା ଓ ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ମାଣିକ ନଗର ଅସ୍ଥାୟୀ ପୂଜା ମଣ୍ଡପ ପରିସରରେ ବୁଧବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ନୃତ୍ୟ ପରିବେଷଣ ସହ ଲକ୍ଷ୍ମୀ ନୃସିଂହ ଭଜନ ସଂଘ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଗତ ୨ ବର୍ଷ ଧରି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଗଣେଷ ପୂଜା ନେଇ କଟକଣା ଲାଗି ରହିଥିବାରୁ ପୂଜାତ୍ସୋବ ଧୁମଧାମରେ ପାଳନ କରାଯାଇନଥିଲା । ଚଳିତ ବର୍ଷ ହିଞ୍ଜିଳିକାଟୁ ପୌରାଞ୍ଚଳର ପ୍ରତି ୱାର୍ଡରେ ୭ରୁ ୧୦ଟି ଲେଖାଏଁ ବିନାୟକଙ୍କ ପୂଜାତ୍ସୋବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ରୋଡ ରୋମିଓ ମାନଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୋଲିସ ବାହିନୀ ମୃତୟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ