ମହାକୁମ୍ଭ ମେଳାର ମୋନାଲିସା

ସନ୍ତୋଷ କୁମାର ଦାଶ
ଏବେ କୁମ୍ଭମେଳାର ଆଧ୍ୟାତ୍ମିକ ପରିବେଶର ଦୃଶ୍ୟକୁ ଟିଭି ଓ ସାମାଜିକ ଗଣମାଧ୍ୟମରେ ପଛରେ ପକାଇ ଦେଇଛି ମୋନାଲିସା ଭୋସଲେ ନାମ୍ନୀ ଜଣେ ମାଳି ବିକ୍ରେତା ବଞ୍ଜାରା ଝିଅଙ୍କ ଆଖିର ସୌନ୍ଦର୍ଯ୍ୟ । କିଛି ନିଆରା ତଥା ସୁନ୍ଦର ବସ୍ତୁ, ଚିତ୍ର, ଦୃଶ୍ୟ, ଶରୀର, ଅଙ୍ଗ ପ୍ରତି ଆକର୍ଷଣ ବି ନୂଆ କଥା ନୁହେଁ । ଦେବ, ଦାନବ, ମାନବ ସମସ୍ତଙ୍କ ଭିତରେ ଏ ଆକର୍ଷଣ ସାଧାରଣ ଘଟଣା । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମହାକୁମ୍ଭ ମେଳାର ଗୁରୁତ୍ଵ ରହିଛି । ବିଶ୍ବବ୍ୟାପୀ ହିନ୍ଦୁ ସମାଜ ପବିତ୍ର ଗଙ୍ଗା ମାଆଙ୍କ ଆଶିର୍ବାଦ କାମନା କରନ୍ତି । ପ୍ରତି ବାର ବର୍ଷରେ ଥରେ କୁମ୍ଭମେଳା ଆୟୋଜିତ ହୁଏ, ହରିଦ୍ଵାର, ପ୍ରୟାଗରାଜ, ଉଜ୍ଜୈନ, ନାସିକରେ କୁମ୍ଭ ସ୍ନାନ ଆୟୋଜିତ ହୁଏ। କୁମ୍ଭ ସ୍ନାନରେ ସର୍ବ ପାପ ଖଣ୍ଡନ ହୁଏ, ସକଳ ମନୋବାଞ୍ଛା ପୂର୍ଣ୍ଣ ହୁଏ ତଥା ମୋକ୍ଷ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୁଏ ବୋଲି ହିନ୍ଦୁଙ୍କ ବିଶ୍ୱାସ ରହିଛି । କୋଟି କୋଟି ଶ୍ରଦ୍ଧାଳୁଙ୍କ ସହ ସାଧୁ ସନ୍ଥଙ୍କ ଉପସ୍ଥିତିରେ କୁମ୍ଭ ମେଳାର ପରିବେଶ ଆଧ୍ୟାତ୍ମିକତାର ଏକ ସୁନ୍ଦର ବାତାବରଣ ସୃଷ୍ଟି କରେ । ତେବେ କୁମ୍ଭ ମେଳାକୁ ଯିଏ ଯାଉଛି, ସେ ସାଧୁ ବା ଶ୍ରଦ୍ଧାଳୁ ବୋଲି କହିହେବନି । ଆମ ଓଡ଼ିଶାର ପୂଣ୍ୟଭୂମି ରେ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହୁଏ।ତେବେ ରଥଯାତ୍ରାକୁ ଯାଉଥିବା ଲୋକେ କଣ ସମସ୍ତେ ଶ୍ରୀଜଗନ୍ନାଥଙ୍କ ଭକ୍ତ ବା ଶ୍ରଦ୍ଧାଳୁ ? କିଛି ଭକ୍ତିରେ ଯାଆନ୍ତି, କିଛି ବ୍ୟବସାୟ ଉଦ୍ଦେଶ୍ୟରେ ତ ଆଉ କିଛି ଭିଡର ଫାଇଦା ଉଠାଇ ଚୋରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକରିବାକୁ ଯାଇଥାନ୍ତି । ମହାକୁମ୍ଭରେ ବି ତାହାହିଁ ହୁଏ, ସିଂହଭାଗ ଲୋକ କୁମ୍ଭ ସ୍ନାନ, ସାଧୁ ସନ୍ଥଙ୍କ ସାନ୍ନିଧ୍ୟ ପ୍ରାପ୍ତି ପାଇଁ ଯାଉଥିବା ବେଳେ କିଛି ରିଲ୍ସ, ୟୁଟ୍ୟୁବ ପାଇଁ ଭିଡିଓ ବନାଇବାକୁ, କିଛି ଅନ୍ତରରେ ଭକ୍ତି ନଥିଲେ ବି କୁମ୍ଭ ସ୍ନାନ ଆଳରେ ମଉଜ ମସ୍ତି କରିବାକୁ, କିଛି ସର୍ବବୃହତ୍ ଜନସମାଗମରେ ଅପରାଧିକ କାର୍ଯ୍ୟ କରିବାକୁ ଯାଇଥାନ୍ତି । ମାନସିକତା ଅନୁସାରେ କୁମ୍ଭରେ ଯୋଗଦେବାର ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ହୋଇଥାଏ । କିଛି କୁମ୍ଭ ସ୍ନାନକୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖି ଆନନ୍ଦ ଅନୁଭବ କଲା ବେଳେ ଆଉ କିଛି ମୋନାଲିସା ଭୋସଲେ ଭଳି ଯୁବତୀଙ୍କ ଆଖିର ନିଆରାପଣ ରୁ ଆନନ୍ଦ ଅନୁଭବ କରନ୍ତି । ଜଣେ ମନ୍ଦିର ଗାତ୍ର ରେ ରହି ଆସିଥିବା ଯୌନ ମୂର୍ତ୍ତୀ ର ସୌନ୍ଦର୍ଯ୍ୟରେ ବିଭୋର ହେବ ନା ଏହାକୁ ଅତିକ୍ରମ କରି ମନ୍ଦିର ଭିତରେ ଈଶ୍ଵର ଦର୍ଶନ କରି ତୃପ୍ତ ହେବ, ତାହା ସେହି ବ୍ୟକ୍ତିର ଦୃଷ୍ଟି ଭଙ୍ଗୀ ଉପରେ ନିର୍ଭର କରେ । ଠିକ୍ ସେମିତି ବାରବର୍ଷରେ ପଡ଼ୁଥିବା କୁମ୍ଭ ମେଳାରେ ସ୍ନାନ କରି ମଣିଷ ଆଧ୍ୟାତ୍ମିକତାର ବାତାବରଣରୁ ଆନନ୍ଦ ଅନୁଭବ କରିବ ନା ମୋନାଲିସା ର ଆଖିରେ ବିଭୋର ହେବ, ତାହା ମଧ୍ୟ ସେହି ମଣିଷର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ । ମୋନାଲିସାର ଆଖି ପାଖରେ ଅଟକି ଗଲେ କୁମ୍ଭ ସ୍ନାନର ମହତ୍ତ୍ଵ ଜଣେ ଅନୁଭବ କରିପାରିବ ନାହିଁ । ଆମ ଜୀବନର ସଫଳତା ତଥା ସାର୍ଥକତା ଆମର ଦୃଷ୍ଟିଭଙ୍ଗୀ ଉପରେ ସିଧାସଳଖ ନିର୍ଭର କରିଥାଏ । ସେ ଯାହା ହେଉ ନା କାହିଁକି କୁମ୍ଭ ମେଳା
ରେ ଭିଡ ଜମାଉଥିବା ସାଧୁ ସନ୍ଥ ଙ୍କ ବେଶ ଭୂଷା, ଚାଲିଚଳନ, କାର୍ଯ୍ୟ ଯେତିକି ଭକ୍ତ ଓ କୁମ୍ଭ ମେଳା ଯାତ୍ରୀ ମାନଙ୍କୁ ଆକର୍ଷଣ କରୁଛି ସେମିତି ପେଟ ପୋଷିବା ପାଇଁ ମାଳି ବିକୁଥିବା ମୋନାଲିସା ପରି ବଞ୍ଜାରା
ଯୁବତୀ ଙ୍କ ସୋନ୍ଦର୍ୟ୍ଯ ମଧ୍ୟ ବହୁ ଯାତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ତୁଳସୀପୁର ପୁରୀ
୯୪୩୯୩୬୧୮୮୮ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ