ମହାନ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ୧୯୩ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର : ସ୍ଥାନୀୟ କଳ୍ପନା ଛକସ୍ଥିତ ମହାନ ବିପ୍ଳବୀ, ଜଗନ୍ନାଥଙ୍କ ସେବକ, କବି ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ)ଙ୍କ ୧୯୩ତମ ଜୟନ୍ତୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ଚାଖି ଖୁଣ୍ଟିଆଙ୍କ ଅବଦାନ ଅତୁଳନୀୟ । ସିପାହୀ ବିଦ୍ରୋହ ସମୟରେ ଉତ୍ତର-ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନଙ୍କୁ ଇଂରେଜମାନଙ୍କ ବିପକ୍ଷରେ ସେ ଏକ୍ଜୁଟ୍ କରିବା ସହିତ ଉତ୍ତେଜିତ କରିଥିଲେ । ମାତ୍ର ୧୨ବର୍ଷ ବୟସରେ ଭାଷା ସାହିତ୍ୟ, ସଂସ୍କୃତରେ ତାଙ୍କର ଜ୍ଞାନର ପରିଚୟ ମିଳିଥିଲା । ପବିତ୍ର ଶାମ୍ବ ଦଶମୀ ତିଥିରେ ସେ ଭୂମିଷ୍ଠ ହେବା ସହିତ ନିଜ ପିତା-ମାତା ଓ ସାରା ଓଡ଼ିଶାର ସୁନାମ ତାଙ୍କ କାର୍ଯ୍ୟ ଦ୍ୱାରା ଅର୍ଜନ କରିଥିଲେ । ବଳିଷ୍ଠ ଶରୀର, ଗଭୀର ଜ୍ଞାନ, ତୀକ୍ଷ୍ମ ବୁଦ୍ଧି ଦ୍ୱାରା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଝାସ ଦେଇଥିଲେ । ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ସେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଆଜିର ଯୁବକ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମତବ୍ୟକ୍ତ କରାଯାଇଥିଲା । ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଆବିର୍ଭାବର ଜନ୍ମ ତାରିଖ ଓ ମସିହାରେ ଏକ ଗୁରୁତର ତ୍ରୁଟି ପରିଲକ୍ଷିତ କରାଯାଇଥିଲା (ଜାନୁଆରୀ ୨୦ ଓ ୧୮୨୭ ମସିହା ପରିବର୍ତ୍ତେ ଜାନୁଆରୀ ୨୨ ତାରିଖ ୧୮୨୨ ମସିହା ଉଲ୍ଲେଖ ରହିଛି) । ଏହା ପୂଜ୍ୟପୂଜାର ଅଧ୍ୟକ୍ଷ, ଯୁଗ୍ମ ଆବାହକ, ମୁଖାପାତ୍ର ତଥା ଅଭିଯାନର ସମସ୍ତ ସଦସ୍ୟଙ୍କ ମନରେ ଗଭୀର ଦୁଃଖ ଓ କ୍ଷୋଭ ଆଣିଥିଲା । ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ ବୋଲି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିବା ସହିତ ତୁରନ୍ତ ଏହା ଉପରେ ଦୃଷ୍ଟିଦେବାକୁ ମତ ରଖିଥିଲେ । ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ସଂଗଠନର ସଦସ୍ୟ ଜୟ ନାରାୟଣ ମିଶ୍ରଙ୍କ ସହିତ ଅଭିଯାନର ଓଡ଼ିଆ ଭାଷାପ୍ରାଣ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଳଭ ମହାପାତ୍ର, ନାରାୟଣ ଚନ୍ଦ୍ର ଓଝା, ପ୍ରଭାତ ରଥ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନାରାୟଣ ଖୁଣ୍ଟିଆ, ସମୀତା ମହାରଣା, ବ୍ରଜବନ୍ଧୁ ପରିଡ଼ା, ମଧୁସ୍ମିତା ବେହେରା, ବିଜୟ ମଲ୍ଲ, ମନୋରଞ୍ଜନ ବାରିକ, ମନଜୀତ୍ କୌର, ତନ୍ମୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


