ମହାପ୍ରଭୂଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରି ଭକ୍ତ ବିମୋହିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୂଙ୍କ ବିଭିନ୍ନ ପଞ୍ଚୁକ ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଧର୍ମର ମାସ କାର୍ତ୍ତିକର ମହାପଂଚୁକ ବ୍ରତର ପ୍ରଥମ ଦିନରେ ମଙ୍ଗଳବାର ମହାପ୍ରଭୂଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । ଧର୍ମର ମାସ କାର୍ତ୍ତିକର ମଙ୍ଗଳବାର ବଡ ଏକାଦଶୀ ତିଥିରେ ଆସିକା ସହର ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିର ଗୁଡିକରେ ପୂଜା ପାଇ ଆସୁଥିବା ଦାରୁବ୍ରହ୍ମଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଏନ୍‍ଏସି ଅଧିନସ୍ଥ ସୁନାମ୍ବ ରଥଦାଣ୍ଡ ସାହି ସ୍ଥିତ ଜଗନ୍ନାଥ ମନ୍ଦିରର ପୂଜକ ସୁରେନ୍ଦ୍ର ନାଥ ଦାଶ, ସୁଶାନ୍ତ କୁମାର ଦାଶ, ଉପେନ୍ଦ୍ର କୁମାର ଦାଶ, ରବିନ୍ଦ୍ର କୁମାର ଦାଶ, ଜିତେନ୍ଦ୍ର କୁମାର ଦାଶ, ରାଜେନ୍ଦ୍ର କୁମାର ଦାଶଙ୍କ ଉପସ୍ଥିତିରେ ଉକ୍ତ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା ବେଳେ ଏହି ଅବସରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକ ମଧ୍ୟ ଲୋକାରଣ୍ୟ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଥିବାରୁ କାର୍ତ୍ତିକର ପଞ୍ଚୁକ ବ୍ରତର ପ୍ରଥମ ଦିନରେ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ମାସର ଶେଷ ୫ ଦିନ ଅର୍ଥାତ୍‍ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥି ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଂଚୁକ ପାଳନ କରାଯାଇଥାଏ । ଏହା ମହାପଂଚକ, ବଗପଂଚକ, ଭୀଷ୍ମପଂଚକ ରୂପେ ମଧ୍ୟ ପରିଚିତ । ଯେଉଁମାନେ କାର୍ତ୍ତିକ ମାସ ସାରା କୌଣସି କାରଣରୁ ହବିଷ୍ୟ ପାଳନ କରିପାରିନଥାନ୍ତି ସେହିମାନେ ପ୍ରାୟତଃ ଏହି ପଂଚୁକ ୫ ଦିନ ହବିଷ୍ୟ ପାଳନ କରିଥାନ୍ତି । ଆଉ କେତେକ ଶ୍ରଦ୍ଧାଳୁ ଭକ୍ତ ଅଁଳା ନବମୀ ତିଥି ଠାରୁ ହବିଷ୍ୟ ମଧ୍ୟ ପାଳନ କରିଥାନ୍ତି । ପଂଚୁକ ୫ ଦିନ ଆମିଷ ଭକ୍ଷଣ ଛାଡି ଶ୍ରଦ୍ଧାଳୁ ଭକ୍ତମାନେ ସାତ୍ତ୍ୱିକ ଭୋଜନ କରିଥାନ୍ତି । କାର୍ତ୍ତିକ ମାସର ଶେଷ ୫ ଦିନ ପଂଚୁକ ପାଳନ କରାଯାଉଥିଲା ବେଳେ ଏହି ଦିନ ଗୁଡିକରେ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ