ମହାପ୍ରୟାଣ କାର୍ଯ୍ୟକ୍ଷମ ସହ ଶରୀର ଦାନ ପ୍ରକ୍ରିୟାକୁ ସହଜ କରିବାକୁ ଦାବୀ
ବ୍ରହ୍ମପୁର,(ଅନିଲ କୁମାର): ଚକ୍ଷୁ ଦାନ -ଶରୀର ଦାନ ଅଭିଯାନକୁ ଆଗକୁ ନେବା ଲକ୍ଷ୍ୟରେ ସମାଜସେବୀ ଶ୍ରୀମତି ତାରିଣୀ ଗୟାଙ୍କ ଚତୁର୍ଥ ତମ ସ୍ମୃତି ଦିବସରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମହାପ୍ରୟାଣ ଯୋଜନାର ବିଫଳତାକୁ ନେଇ ଏକ ପ୍ରେସ ବାର୍ତ୍ତା ଜାରି ହୋଇଛି l ଗତ ୨୦୨୧ ମସିହା ଡିସେମ୍ବର ୨୧ତାରିଖରେ ସ୍ଥାନୀୟ ରାଜୀବ ନଗର ନିବାସୀ ତାରିଣୀ ଗୟା ମୃତ୍ୟୁ ପରେ ଚକ୍ଷୁ ଓ ଶରୀର ଦାନ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଯାଇଛନ୍ତି l ତାଙ୍କ ସ୍ମୃତି ଉଧେଶ୍ୟରେ ଶରୀର ଦାନ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବାକୁ ଆଜି ମଞ୍ଚ ଦାବୀ କରିଛି l ସରକାରୀ ସ୍ତରରେ ଶରୀର ଦାନ ସମ୍ବନ୍ଧରେ ଅଧିକ ଜନ ସଚେତନତା ସୃଷ୍ଟି କରିବା, ମେଡିକାଲ କଲେଜକୁ ମୃତ ଶରୀର ପହଂଚାଇବା ପାଇଁ ଦେୟ ମୁକ୍ତ ଗାଡି ବ୍ୟବସ୍ଥା କରିବା, ଏମକେସିଜି ମେଡିକାଲ କଲେଜର ସବୁଠାରୁ ଉପର ମହଲାରେ ଥିବା ଆନାଟମି ବିଭାଗକୁ ମୃତ ଦେହ ନେବା ପାଇଁ ଲିଫ୍ଟ ବ୍ୟବସ୍ଥା କରିବା, ଶରୀର ଦାନ କରିଥିବା ବଦାନ୍ୟ ବ୍ୟକ୍ତି ମାନଙ୍କୁ ସମ୍ମାନ ଜଣାଇବା ଲାଗି ମେଡିକାଲ କଲେଜ ପ୍ରବେଶ ଦ୍ୱାରରେ ସେମାନଙ୍କ ପରିଚୟ ଓ ଫୋଟ ଚିତ୍ର ରଖିବା ଓ ମୃତ ଶରୀର ବୁହା ପାଇଁ ବନ୍ଦ ପଡ଼ିଥିବା ମହାପ୍ରୟାଣ ଗାଡି ତୁରନ୍ତ ଚାଲୁ କରିବା ଆଦି ୫ଦଫା ଦାବୀ ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ଓ ଆବାହକ ଅବନୀ ଗୟା ପ୍ରେସ ବିବୃତ୍ତି ମାଧ୍ୟମରେ ଉପସ୍ଥାପନ କରିଛନ୍ତି l ସୂଚନା ଯୋଗ୍ୟ ଯେ, ମୃତ ଶରୀର ବୁହା ଲାଗି ଦୀର୍ଘ ଦିନରୁ ମହାପ୍ରୟାଣ ଗାଡି ବନ୍ଦ ରହିଥିବା ଅନେକଙ୍କୁ ଖୁବ ବାଧିଛି l ପୂର୍ବ ରାଜ୍ୟ ସରକାରଙ୍କ ଏହି ବିଶେଷ ଯୋଜନାରେ ଅନେକ ଲୋକ ଉପକୃତ ହେଉଥିବା ବେଳେ ଏମକେସିଜି ମେଡିକାଲରେ ପ୍ରାୟ ଏକ ମାସ ଊର୍ଧ୍ଵ ଦିନରୁ ଏହି ସରକାରୀ ଯୋଜନା କାର୍ଯ୍ୟକାରୀ ହେବାରେ ସମ୍ପୂର୍ଣ ଭାବେ ବିଫଳ ହୋଇଛି ବୋଲି ମଞ୍ଚ ଅଭିଯୋଗ କରିଛି l ଯାହା ଫଳରେ ଶବ ବୁହାକୁ ନେଇ ଘରୋଇ ଆମ୍ବୁଲାନ୍ସ ଗୁଡିକ ମଧ୍ୟରେ ଖୁବ ବ୍ୟବସାୟ ଜମିଛି,ଆତ୍ମୀୟଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡିଥିବା ବନ୍ଧୁ ପରିଜନଙ୍କ ଠାରୁ ବହୁଳ ମାତ୍ରାରେ ହଜାର ହଜାର ଟଙ୍କା ଶୋଷଣ କରାଯାଉଛି,ହେଲେ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ମହାପ୍ରୟାଣ ଭଳି ଜନହିତକାରୀ ଯୋଜନାକୁ ଅବହେଳା କରି ଘରୋଇ ଆମ୍ବୁଲାନ୍ସ ମାଲିକ ମାନଙ୍କ ସହ ସଲାସୁତରା ପଛରେ କେଉଁ ବାବୁଙ୍କ କମିଶନ କାରବାର ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ମଞ୍ଚ ଦାବୀ କରିଛି l