ମହାବଳ ବାଘ ଆତଙ୍କରେ ଲୋକେ ଭୟଭୀତ, ଗ୍ରାମାଞ୍ଚଳରେ ବନ ବିଭାଗ ସଜାଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଶେଷକରି ମୋହନା ତହସିଲ ଅଞ୍ଚଳରେ ରହିଥିବା ବନାଞ୍ଚଳରେ ମହାବଳ ବାଘର ବିଚରଣକୁ ନେଇ କିଛି ବ୍ୟକ୍ତି ଦେଖିବା ପରେ ଏହା ସାଧାରଣରେ ପ୍ରକଟ ହୋଇ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଠାରେ ଭୟ ଆତଙ୍କର କାରଣ ସୃଷ୍ଟି ହୋଇଛି. ପାହାଡ଼ ଓ ବନାଞ୍ଚଳର ନିକଟରେ ଥିବା ବହୁ ଗ୍ରାମର ଲୋକେ ମହାବଳ ବାଘ ଭୟରେ ଘରୁ ବାହାରିବାକୁ ଭୟ କରୁଛନ୍ତି. ହେଲେ ପାରଳାଖେମୁଣ୍ଡି ଡ଼ିଏଫଓ ଏସ. ଆନନ୍ଦଙ୍କ ନିର୍ଦେଶକ୍ରମେ ବନ ବିଭାଗର କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ସାଧାରଣଙ୍କ ସୁରକ୍ଷା ପାଇଁ ସଜାଗ ରହିବା ସହ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରି ସଚେତନ ରହିବା ପାଇଁ ବନ କର୍ମଚାରୀମାନେ ଗାଁ ଗାଁକୁ ବୁଲି ଲୋକଙ୍କୁ ସଚେତନ କରୁଥିବା ଲକ୍ଷ୍ୟ କରାଯାଇଛି. ଘଟଣାରୁ ପ୍ରକାଶ, ଗତ ଶୁକ୍ରବାର ଭୋରୁ ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଚାନ୍ଦିପୁଟ ସେକ୍ସନ ଅକିଲି ମୂଲିକା ସଂରକ୍ଷଣ ଫାର୍ମ ନିକଟରେ ମହାବଳର ପାଦଚିହ୍ନ ଠାବ ହୋଇଥିଲା । ତାପର ଠାରୁ ବାଘ କେଉଁ ବନାଞ୍ଚଳରେ ରହିଛି କିଛି ସନ୍ଧାନ ମିଳିନି। ବାଘ ଚଳପ୍ରଚଳ ନେଇ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ମାତ୍ର ଏହି ଫଟୋ ଫେକ୍ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୁଇ ଦିନ ହେଲା ବାଘର କୌଣସି ସନ୍ଧାନ ମିଳି ନାହିଁ । ବନ ବିଭାଗ କର୍ମଚାରୀ ଗାଁ ଗାଁରେ ବୁଲି ବୁଲି ସନ୍ଧ୍ୟା ପରେ ଘରୁ ନବାହାରିବାକୁ ସଚେତନ କରୁଛନ୍ତି । ବାଘ ପାଦ ଚିହ୍ନ ଦେଖିଲେ ବନ ବିଭାଗକୁ ଜଣାଇବାକୁ କହିଛନ୍ତି। କେତେ ବେଳେ କେଉଁଠି ଲୋକ ପାଦଚିହ୍ନ ପଡ଼ିଥିବା ସୂଚନା ଦେଉଛନ୍ତି। ରବିବାର ରାତିରେ ବାଘ ଧନୁପତା ଗାଁସ୍କୁଲ ନିକଟରେ ଥିବା ନେଇ ସୂଚନା ପାଇ ବନ କର୍ମଚାରୀ ସେଠାରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ସେଠାରେ ପଡ଼ିଥିବା ପାଦ ଚିହ୍ନ ମହାବଳ ବାଘର ନୁହେଁ ବୋଲି ସ୍ପଷ୍ଟ କରିଥିଲେ ବନ ବିଭାଗ। ରବିବାର ରାତିରେ ମୋହନା କଣ୍ଟେଇକୋଳି ଗାଁ ନିକଟରେ ଲୋକ ପାଦ ଚିହ୍ନ ପଡ଼ିଥିବା କହିବା ପରେ ମୋହ‌ନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଶୋଇ ଓ ଟିମ ଗାଁରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ବାଘର ପାଦ ଚିହ୍ନ ସହ ତାହା ମେଳ ଖାଉନଥିବା କହିଛତି ବନାଞ୍ଚଳ ଅଧୁକାରୀ । ସେହିପରି ବାଘ ଇବାରସିଂ ଛକ ନିକଟ ମୁଖ୍ୟ ରାସ୍ତାରେ ବାଘ ଠିଆ ହୋଇଥିବା ଫଟୋ ଭାଇରାଲ୍ ହେଉଛି। ଏହାକୁ ଦେଖି ନିକଟସ୍ତ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଫଟୋଟି ଫେକ୍ ବୋଲି ବନ ବିଭାଗ ସ୍ପଷ୍ଟ କରିଛି । ବନ ବିଭାଗ ବାଘର ଗତିବିଧ‌ି ଉପରେ କଡ଼ା ନଜର ରଖୁଛି । ଶୁକ୍ରବାର ଠାରୁ କୌଣସି ସନ୍ଧାନ ମିଳିନାହିଁ । ଅଯଥାରେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୟଭୀତ ନକରିବାକୁ ଡିଏଫ୍‌ଓ ଏସ୍. ଆନନ୍ଦ କହିଛନ୍ତି । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ଜାନି ଆମ୍ବ, ବାଦପୁର, ପୁରୁଣାପାଣି ଓ ଗଡ଼ ଶାନ୍ତରାପୁର ନିକଟସ୍କା ଜଙ୍ଗଲରେ ବୁଲୁଥିଲା ମହାବଳ। ଜାନିଆମ୍ଭ ଗାଁର ଜଳନ୍ଦର ଦଲାଇଙ୍କ ଗାଈକୁ ଗୁହାଳ ନିକଟରୁ ଟାଣି ନେଇ ମାରି ଖାଇଥ୍ ବା ବେଳେ ଗାଈର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । ଏଥିସହ ଏହାର ନିକଟରେ ପାଦଚିହ୍ନ ଠାବ କରିଥିଲେ ବନ କର୍ମଚାରୀ। ଏହାପରେ ଗତ ଶୁକ୍ରବାର ଆକିଲି ଗାଁ ନିକଟରେ ବାଘର ପାଦ ଚିହ୍ନ ଦେଖ‌ିବାକୁ ମିଳିଥିଲା। ଏପରିକି ଜଣେ ଚାଷୀ ବାଘକୁ ନିକଟରୁ ଦେଖିଛନ୍ତି । ମହାବଳ ରାୟଗଡ଼ା ଜିଲ୍ଲାରେ ପ୍ରବେଶ କରିଥିବା ଅନୁମାନ କରୁଛି ବନ ବିଭାଗ । ତଥାପି ବନ ବିଭାଗ ବାଘର ଗତିବିଧି ଓ ଜନ ସାଧାରଣଙ୍କ ଧନ ଜୀବନର ସୁରକ୍ଷା ପାଇଁ ସମଗ୍ର ଗଜପତି ଜିଲ୍ଲାରେ ବନ କର୍ମଚାରୀମାନେ ସମ୍ପୂର୍ଣ ସଜାଗ ରହିଛନ୍ତି ବୋଲି ପାରଳାଖେମୁଣ୍ଡି ଡିଏଫଓ ଏସ. ଆନନ୍ଦ ପ୍ରକାଶ କରି କହିଛନ୍ତି ବାଘର ଗତିବିଧ ଓ ବିଚରଣ ନେଇ ଯେକୌଣସି ବ୍ୟକ୍ତି ସନ୍ଧାନ ପାଇଲେ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ