ମହାବାତ୍ଯାକୁ ପୁରିଲା ୨୧ ବର୍ଷ
ଜଗତସିଂହପୁର, (ଅନସୂୟା ରାଉତ): ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ବୁଧବାର ରାତିଅଧରେ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳରେ ଆରମ୍ଭ ହୋଇଥିଲା ମହାବାତ୍ୟାର ତାଣ୍ଡବଲୀଳା । ୩୫୦ କି.ମି ବେଗରେ ପବନ ବହିଲା।ସମୁଦ୍ର ଫୁଲି ଉଠିଲା । ୧୪/୧୫ ଫୁଟ ଉଚ୍ଚତାର ସମୁଦ୍ର ଜୁଆର ମାଡି ଆସି ଗାଆଁ ଗଣ୍ଡାରେ ପସି ଘର ଦ୍ବାର ଭାଙ୍ଗି ଦେଲା । ପାଣି ସ୍ରୋତରେ ଲକ୍ଷ ଲକ୍ଷ ଲୋକ ସମୁଦ୍ରର ଅତଳ ଗର୍ଭରେ ଲୀନ ହେଲେ । ବାପ କୋଳରୁ ପୁଅ ଭାସିଗଲା, ସଧବା ମଥାରୁ ସିନ୍ଦୁର ଲିଭିଲା,ମାନବ ସମାଜ ଶ୍ମଶାନ ପାଲଟି ଗଲା । ଚତୁର୍ଦୀଗ ପଚା ସଢା ଶବରେ ପରିଣତ ହୋଇଥିଲା । ଆଜିର ଦିନରେ ମନେପଡେ ସେହି ବିଭୀଷିକା ଦୁଃଖଦ ଘଟଣା । ଆଜିର ଦିନରେ ମନେପକାଇ ଦିଏ ସମୁଦ୍ରର ଭୟଙ୍କର ରୂପ ଓ ଗର୍ଜନ । ଆଜକୁ କୋଡ଼ିଏ ବର୍ଷ ତଳର ମହାବାତ୍ୟା ଓଡିଶାର ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା । ଆଜି ଜଗତସିଂହପୁର ସୁଧୁରି ଯାଇଛି । ବଦଳି ଯାଇଛି ଭୌଗୋଳିକ ଅବସ୍ଥିତି । ତଥାପି ମନେ ପଡ଼େ ସେହି ମହାବାତ୍ୟା ।


