ମହାଭୋଇ ପୋଖରୀ ପୁନରୁଦ୍ଧାରରେ ଅନିଶ୍ଚିନ୍ତତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ସଂଲଗ୍ନ ମହାଭୋଇ ପୋଖରୀରେ ମୁଖ୍ୟ ଚିକିତ୍ସାଳୟର ସମସ୍ତ ବର୍ଜ୍ୟବସ୍ତୁ ବର୍ଷବର୍ଷ ଧରି ଫୋପଡାଯାଉଛି । ଏହା ବ୍ୟତୀତ ଏହି ପୋଖରୀର ଚର୍ତୁପାଶ୍ୱର୍ରେ ଥିବା ପ୍ରାୟ ଚାରି ପାଞ୍ଚୋଟି ୱାର୍ଡର ସମସ୍ତ ଅଳିଆ, ଆବର୍ଜନା, ବର୍ଜ୍ୟବସ୍ତୁ ଓ ମଇଳା ପାଣି ପ୍ରତିଦିନ ଏହି ପୋଖରୀରେ ପ୍ରବେଶ କରିବା ଦ୍ୱାରା ପୋଖରୀର ପାଣି ପ୍ରଦୂଷିତ ହେବା ସହିତ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଛି । ତଥାପି ବହୁ ଲୋକ ଏହି ଦୂଷିତ ପାଣିରେ ପ୍ରତିଦିନ ଗାଧୋଉଥିବା ଦେଖିବାକୁ ମିଳୁଛି । ଏହି ପୋଖରୀରୁ ପଙ୍କୋଦ୍ଧାର କରାଯିବା ସହିତ ଦଳ ସଫାକରି ଏହାର ପୁନରୁଦ୍ଧାର କରିବା ପାଇଁ ସହରବାସୀ ପ୍ରାୟ ୧୦ବର୍ଷ ହେବ କେନ୍ଦ୍ରାପଡା ପୌର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଆସୁଛନ୍ତି । ସେଥରେ ସୁଫଳ ନମିଳିବାରୁ ରାଜନେତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ତଥାପି କେନ୍ଦ୍ରାପଡା ପୌର ପରିଷଦ ଏଥିପ୍ରତି ଗୁରୁତ୍ୱ ନଦେବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପୌର ନିର୍ବାଚନ ପରେ କେନ୍ଦ୍ରାପଡା ପୌର ପରିଷଦ ପକ୍ଷରୁ ଏହି ପୋଖରୀର ପୁନରୁଦ୍ଧାର କରିବା ସହିତ ନବୀକରଣ କରିବା ପାଇଁ ୭କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଡିପିଆର ପ୍ରସ୍ତୁତ କରାଯାଇ ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ପାଖକୁ ପଠାଯାଇଥିଲା । କିନ୍ତୁ ପୋଖରୀ ଚର୍ତୁପାଶ୍ୱର୍ରେ ପଥର ପ୍ୟାକିଂକୁ ବାଦ ଦେଇ ସଂଶୋଧିତ ଡିପିଆର ପ୍ରସ୍ତୁତ କରି ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଉଥରେ ପଠାଇବା ପାଇଁ ଉପରୁ ନିର୍ଦ୍ଦେଶ ଆସିବା ଫଳରେ ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ଅନିଶ୍ଚିନ୍ତତା ଦେଖାଦେଇଛି । ସୂଚନା ଯୋଗ୍ୟ ଯେ ଏହି ପୋଖରୀର ପୁନରୁଦ୍ଧାର ପାଇଁ ୨ବର୍ଷ ତଳେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । କିନ୍ତୁ ସେ କୌଣସି କାରଣରୁ ଅଧାରୁ କାମଛାଡି ଦେଇଥିଲେ । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇପାରୁନଥିବା ସାଧାରଣରେ ଅଭିଯୋଗ ହେଉଛି । ତେଣୁ ଏହି ପୋଖରୀର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାପାଇଁ ଜନସାଧାରଣ ପୌରପାଳିକାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ କେନ୍ଦ୍ରାପଡା ପୌରସଂସ୍ଥାକୁ ୧ନମ୍ବର କରିବା ପାଇଁ ଏହି ପୋଖରୀର ପୁନରୁଦ୍ଧାର ଏବଂ ନବୀକରଣ ଏକ ପ୍ରମୁଖ କାର୍ଯ୍ୟ ହୋଇଥିବାରୁ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ପାଇଁ ପୌରପାଳିକାଙ୍କୁ ଆବଶ୍ୟକ ପଦକ୍ଷେପ ନେବାପାଇଁ ପୌରବାସୀ ନିବେଦନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ