ମହାମାରୀ କୁ ଆୟତ୍ତ କରିବାକୁ ବାଡ଼ି ନୃସିଂହ ବିଜେ
ନିମାପଡ଼ା, (ସନ୍ତୋଷ ଦାଶ):ଅନନ୍ୟ ଓ ରହସ୍ୟମୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ କ୍ଷେତ୍ର ରେ ବିଭିନ୍ନ ମାନବୀୟ ଲୀଳା କରିଥାନ୍ତି ବିଭିନ୍ନ ପର୍ବ ପର୍ବାଣୀ ରେ। ସମାଜ ପ୍ରତି ଘଟୁଥିବା ପ୍ରତିଟି ବିପତ୍ତି କିପରି ଦୂର ହୋଇପାରିବ ସେ ଦିଗରେ ବି ପ୍ରଭୁ କିଛି ନୀତି ଖଞ୍ଜିଛନ୍ତି ଯାହା ଏବେ ଶ୍ରୀ ମନ୍ଦିର ରେ ପରମ୍ପରା ପାଲଟିଛି। ଏହାର ଉଦାହରଣ ହେଉଛି ମହାମାରୀ କୁ ଦୁର/ ପ୍ରତିହତ କରିବାକୁ ଶ୍ରୀ ମନ୍ଦିର ରେ ରହିଛି ଏକ ଅନନ୍ୟ ପରମ୍ପରା। ଯାହା ” ବାଡ଼ି ନୃସିଂହ ବିଜେ ” ନାମରେ ପରିଚିତ।ପ୍ରତିବର୍ଷଚୈତ୍ର ମାସ ଚତୁର୍ଥୀ ତିଥି ଓ ଶ୍ରାବଣ ନବମୀ ତିଥି ରେ ଏହି ପରମ୍ପରା ପାଳିତ ହୋଇ ଆସୁଛି ବୋଲି କୁହନ୍ତି ମହାପ୍ରଭୂ ଙ୍କ ପ୍ରତିହାରୀ ସେବକ ଇପିସିତ ପ୍ରତିହାରୀ। ଏହି ଦିନ ଶ୍ରୀ ମନ୍ଦିର ରୁ ବାଡ଼ି ନୃସିଂହ ଏକ ସୁସଜ୍ଜିତ ବିମାନ ରେ ବାହାରି ନଗର ପରିକ୍ରମା କରି ୪ଆଶ୍ରମ କୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି। ଏହି ବାଡ଼ି ନୃସିଂହ ବିଜେ ନୀତି ପାଳନ ସଂପର୍କ ରେ ଏକ କିମ୍ବଦନ୍ତୀ ରହିଛି। କୁହାଯାଏ ଯେ,୧୯୦୩- ୧୯୦୫ ମସିହା ରେ ସାରା ଦେଶ ଓ ଆମ ରାଜ୍ୟ ରେ ମହାମାରୀ ଦେଖା ଦେଇଥିଲା। ହଇଜା ରୋଗ ରେ ଲୋକ ମାନେ ଆକ୍ରାନ୍ତ ହୋଇ ପୋକ ମାଛି ପରି ପ୍ରତିଦିନ ମୃତ୍ୟୁ ବରଣ କରିଥିଲେ। ପୁରୁଷୋତ୍ତମ କ୍ଷେତ୍ର ରେ ବି ସାଧାରଣ ଲୋକ ଓ ଏଠାକୁ ଆସୁଥିବା ଯାତ୍ରୀ ଭକ୍ତ ମାନେ ବି ମୃତ୍ୟୁ ବରଣ କରିଥିଲେ। ଏହାର ନିରାକରଣ ପାଇଁ ଗଜପତି ଙ୍କୁ ଦେଉଳକରଣ ଓ ପଣ୍ଡିତ ମାନେ କହିବାରୁ ଗଜପତି ମହାରାଜ ଶ୍ରୀ ଜଗନ୍ନାଥ ଙ୍କ ଶରଣ ପଶିଥିଲେ। ମହାପ୍ରଭୂ ଙ୍କ ସ୍ୱପ୍ନାଦେଶ ଅନୁସାରେ ବାଡ଼ି ନୃସିଂହ ବିଜେ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୂ ବାଡ଼ି ନୃସିଂହ
ନଗର ପରିକ୍ରମା କରିବା ପରେ ମହାମାରୀ ହଇଜା ପୁରୀ ଶ୍ରୀ କ୍ଷେତ୍ର ରୁ ଉଭେଇଯାଇଥିଲା। ସେହି ଦିନ ଠାରୁ ଏହି ନୀତି ଅନୁଷ୍ଠିତ ହେବା ପରମ୍ପରା ରେ ପାଲଟିଛି। ଶ୍ରୀ ମନ୍ଦିର ରେ ମଧ୍ୟାହ୍ନ ଧୂପ ବଢ଼ିବାପରେ ଦକ୍ଷିଣୀ ଘରୁ ପ୍ରଭୂ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ (ମୁକ୍ତି ମଣ୍ଡପ) ତଳେ ଥିବା ବିମାନ ରେ ଅଧିଷ୍ଠିତ ହୋଇଥାନ୍ତି। ଏହାପରେ ପୁଷ୍ପାଳକ ସେବକ ପ୍ରଭୁ ନୃସିଂହ ଙ୍କୁ ବିମାନ ରେ ବିଜେ କରାଇବା ପରେ ବିମାନବଡୁ ସେବକ ମାନେ ବିମାନ କୁ ସ୍କନ୍ଦ ରେ ବୋହି ନେଇ ସିଂହଦ୍ଵାର ଦେଇ ମାର୍କଣ୍ଡ, ଅଙ୍ଗିରା, କଣ୍ଡୁ ଓ ଭୃଗୁ ଆଦି ୪ଆଶ୍ରମ କୁ ନେଇଥାଆନ୍ତି। ୪ ଆଶ୍ରମ ରେ ପୁଜାପଣ୍ଡା ଙ୍କ ଦ୍ଵାରା ପ୍ରଭୁ ନୃସିଂହ ଙ୍କୁ ଶୀତଳ ଭୋଗ ଲାଗି କରାଯାଇଥାଏ। ଏହି ଦିନ ବିଜେ ସମୟ ରେ ବିଭିନ୍ନ ମଠ, ଜାଗା, ଆଖେଡା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ଟି ସ୍ଥାନ ରେ ଠାକୁର ଙ୍କୁ ପଂକ୍ତି ଭୋଗ ଲାଗି କରାଯାଇଥାଏ। ଶେଷରେ ପ୍ରଭୁ ନୃସିଂହ ଶ୍ରୀ ମନ୍ଦିର କୁ ବାହୁଡା ବିଜେ କରିଥାନ୍ତି। ଏବେ ହଇଜା ସ୍ଥାନ ରେ କରୋନା ମହାମାରୀ ରୂପ ନେଇଛି। ଏଣୁ ଠାକୁର ମାନଙ୍କୁ ଭୋଗ ଅର୍ପଣ ସମୟରେ ସେବକ ଓ ଭକ୍ତ ମାନେ ଏହି ମହାମାରୀ କୁ ଦୂରେଇ ଦେବାକୁ ହରିବୋଲ ପକାଇ ମହାପ୍ରଭୂ ନୃସିଂହ ଙ୍କୁ ପ୍ରାର୍ଥନା କରିଥାନ୍ତି। ମହାପ୍ରଭୂ ଯୁଗେ ଯୁଗେ ଭକ୍ତ ର ଦୁଃଖ, କଷ୍ଟ ଲାଘବ କରିବାକୁ ନା ନା ଲୀଳା କରିଛନ୍ତି ବାଡ଼ି ନୃସିଂହ ବିଜେ ନୀତି ତାର ଜ୍ଵଳନ୍ତ ଉଦାହରଣ। ଜୟ ଜଗନ୍ନାଥ।।