ମହାରଥୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଓ ପିପିଲି ନିର୍ବାଚନମଣ୍ଡଳୀର ବହୁ ଲୋକ ଲୋକାୟୁକ୍ତଙ୍କୁ ଭେଟି ମହାରଥୀ ୧୦୦ କୋଟି ଟଙ୍କାର ଜମି ହଡ଼ପ କରିଥିବା ନେଇ ଅଭିଯୋଗ କରିଛନ୍ତି । ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୋଧରେ ମଧ୍ୟ ୩୦୦ କୋଟି ଟଙ୍କାର ଜମି ହଡ଼ପ ଅଭିଯୋଗ ହୋଇଛି । ଏହି ୪୦୦ କୋଟି ଟଙ୍କାର ଜମି ସରକାରୀ ଖାତାକୁ ଫେରାଇ ଆଣିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି । ବିଜେପିର ଅଭିଯୋଗ ଅନୁଯାୟୀ ପ୍ରଦୀପ ମହାରଥୀ ବେଆଇନ୍ ଭାବେ ସରକାରୀ ଜମିକୁ ହଡ଼ପ କରି ନିଜ ଫାର୍ମରେ ମିଶାଇଛନ୍ତି । ଓଡ଼ିଶା ସରକାରଙ୍କ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥାଇ ସେ ସର୍ବସାଧାରଣ ସମ୍ପତ୍ତି, ଜଳସେଚିତ କେନାଲ ଜମି, ଗୋଚର, ଚକ ରାସ୍ତା, ସଂରକ୍ଷିତ ଜଙ୍ଗଲ, ଅନାବାଦି ଆଦିକୁ ନିଜ ହୁଙ୍କେଇପୁର ଫାର୍ମ ହାଉସ୍ ମିଶାଇ ଜବର ଦଖଲ କରି ଚାଷୀମାନଙ୍କ ଚାଷ କାମରେ ଅସୁବିଧା ସୃଷ୍ଟି କରୁଛନ୍ତି । ତାଙ୍କ ହୁଙ୍କେଇପୁର ଫାର୍ମ ହାଉସ୍ ନିକଟବର୍ତ୍ତୀ ମୌଜା ପୋଡ଼ାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟ୍କୁ ତାଙ୍କ ଫାର୍ମ ହାଉସ୍ ରେ ମିଶାଇ ଦଖଲ କରୁଛନ୍ତି । ଏହା ଆଇନ୍ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ । ସେହିପରି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ନିଜର ଜଣେ ଘନିଷ୍ଠ ସହଯୋଗୀ ଓ ବିଶ୍ୱସ୍ତ କର୍ମୀଙ୍କ ବାପା ଓ ତାଙ୍କ ଭାଇଙ୍କ ଶ୍ୱଶୁରଙ୍କ ନାମରେ ଚଞ୍ଚକତା କରି ପିପିଲି ତହସିଲରେ ୫୬ ଏକରରୁ ଅଧିକ ଗୋଚର ଜମିକୁ ତକ୍ରାଳୀନ ତହସିଲ୍ଦାର ଓ ଜିଲ୍ଲାପାଳମାନଙ୍କ ସହାୟତାରେ ହଡ଼ପ କରିଛନ୍ତି । ଏ ନେଇ ରାଜସ୍ୱ ପର୍ଷଦରେ ଏକ ମାମଲା ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ବିଚାର ନ ହୋଇ ପଡ଼ି ରହିଛି । ୨୫ ଏକର ଗୋଚର ଜମିକୁ ମଧ୍ୟ ବେଆଇନ୍ ଭାବେ ରେକର୍ଡ କରି ନିଆଯାଇଛି । ପ୍ରତିନିଧି ଦଳରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ବିଜେପିର ପିପିଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ ।


