ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ସମ୍ପାଦକ ତଥା ବିଜେଡି ଜିଲ୍ଲା ଉପସଭାପତିଙ୍କ ମହା-କେଳେଙ୍କାରି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :- ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି।ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଦଣ୍ଡାସି ସାହୁ ନିଜ ଘରେ ଓଲ୍ଡ ଏଜ୍ ହୋମ ଚଳାଉ ଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି ଓ ଏହା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ମୋହନାରେ କୌଣସି ଓଲ୍ଡ ଏଜ୍ ହୋମ ନାହିଁ। ବିଦ୍ୟାଳୟର ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଭାଗଟିକୁ ଜିଲ୍ଲା ପ୍ରଶାସନ ଚିଠି ନମ୍ବର ୬୬୬୯ ତା ୩୦ .୦୯.୨୦୨୦ ରେ ରିଜେକ୍ଟ କରିଥିଲେ ମଧ୍ୟ ବିଦ୍ୟାଳୟ ସମ୍ପାଦକ ଗତ ମାର୍ଚ୍ଚ ମାସରେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ବାହାର କରି ନିଯୁକ୍ତି ଦେବା ନାଁରେ ବେକାରୀ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି। ପୁଣି ବିଦ୍ୟାଳୟରେ ସର୍ବଦା ୩୦ ରୁ ୪୦ ପିଲା ରହୁଥିବା ବେଳେ ସଂପାଦକ କାଗଜପତ୍ର ରେ କେନ୍ଦ୍ରୀୟ ଅନୁଦାନ ହଡ଼ପ ଉଦ୍ଦେଶ୍ୟରେ ୧୩୮ ପିଲା ରହୁଛନ୍ତି ବୋଲି ଦର୍ଶାଇଛନ୍ତି। କ୍ୟାସ ବହି ଓ ଛାତ୍ର ଉପସ୍ଥାନ ଖାତା ଓ ପ୍ରୋଜେକ୍ଟ ପ୍ରପୋଜାଲକୁ ତନଖି କଲେ ସବୁ ଦୁର୍ନୀତି ପର୍ଦାଫାସ ହୋଇପାରିବ । ବଧିର ବିଦ୍ୟାଳୟର ଏନ୍ ଓ ସି ମଧ୍ୟ ଗତ ମାର୍ଚ୍ଚ ମାସରୁ କଟିଯାଇଛି। ବିନା ଏନ୍ ଓ ସି ରେ ବିଦ୍ୟାଳୟ କିପରି ଚାଲିଛି ତାହା ତଦନ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ସଭାପତିଙ୍କୁ ହାତ ବାରିସି କରି ଅନୁଷ୍ଠାନର ବାଇଲକୁ ଜାଲି କରି ନିଜ ପଦବୀକୁ ଦୀର୍ଘ ବର୍ଷ ହେଲା ମାଡି ବସିଛନ୍ତି। ନୂତନ ବାଇଲଟି କେବେ ଅନୁମୋଦନ ହୋଇଛି ସେଥିରେ ତାରିଖ ମଧ୍ୟ ପଡିନାହିଁ। ସଭାପତି ବାଇଲର ସବୁ କାଗଜପତ୍ରରେ ହସ୍ତ ଲେଖା ଦସ୍ତଖତ କରିବା ବଦଳରେ ତାଙ୍କର ଦସ୍ତଖତକୁ ଜାଲି କରି ରବର ଷ୍ଟାମ୍ପ ସିଲ୍ କରି ମରାଯାଇଛି । ରେଜୁଲେଶନ ବହିରେ କମିଟି ମେମ୍ବରଙ୍କର ଜାଲି ଦସ୍ତଖତ ପକାଯାଇଛି। ଯାହା ଆଇନ ସମ୍ମତ ନୁହେଁ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଖିଳ କୁମାର ସାହୁ ମାସିକ ୨୨୫୦୦ ଟଙ୍କା ପାରିଶ୍ରମିକ ନେଉଥିବା ବେଳେ ସରକାରଙ୍କୁ ମିଥ୍ୟା ତଥ୍ୟ ଦେଇ ମୋହନା ପଂଚାୟତରୁ ଏକ ଇନ୍ଦିରା ଆବାସ ହାତେଇ ନେଇଛନ୍ତି। ଏକ ଗରିବ ଲୋକ ଆବାସ ଯୋଜନାରେ ସାମିଲ ହେଇପାରୁନଥିବା ବେଳେ ଆର୍ଥିକ ସ୍ୱଛଳ ଥିବା ଜଣେ ପ୍ରଧାନ ଶିକ୍ଷକ କେମିତି ଆବାସ ପାଇଲେ ତାହା ତଦନ୍ତ କରିବା ପାଇଁ ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଳିକ ଓ ପୂର୍ବତନ ସରପଞ୍ଚ ରମାକାନ୍ତ ମଳିକ ଦାବି କରିଛନ୍ତି। ବିଦ୍ୟାଳୟର ଏହି ସବୁ ଦୁର୍ନୀତିକୁ ରାଜ୍ୟ ସରକାର ଭିଜିଲାନ୍ସ ଦ୍ବାରା ତଦନ୍ତ କରାଇ କମିଟି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୋହନା ଅଂଚଳବାସୀ ଓ ବିଦ୍ୟାଳୟ କର୍ମଚାରୀ ସୁନିଲ କୁମାର ନାୟକ, ଭୀମ ମଳିକ, ସୁଜିତ କୁମାର ସାହୁ, ସନ୍ତୋଷ କୁମାର ପାତ୍ର, ସୁନିଲ କୁମାର ସ୍ୱାଇଁ, ସୁରଜ ନାୟକ, କନକ ନାୟକ ଦାବି କରିଛନ୍ତି। ସେହିପରି ସ୍ଥାନୀୟ ନୀଳକଣ୍ଠେଶ୍ଵର ବଣିକ ସଂଘର ପୂର୍ବତନ ସଭାପତି ଦଣ୍ଡାସି ନୂତନ ଭାବେ ଗଠିତ କମିଟିକୁ ସଂଘର ଆବଶ୍ୟକୀୟ ନଥିପତ୍ର ହସ୍ତାନ୍ତର କରୁ ନ ଥିବା ବେଳେ ସଂଘର ଅର୍ଥକୁ ହେରଫେର କରିଥିବା ଅଭିଯୋଗ ହୋଇଛି। କିଛି ଜିଲ୍ଳା ସ୍ତରୀୟ ଅଧିକାରୀଙ୍କୁ ହାତ କରି ଏହି ବାହୁବଳୀ ନେତା ଦୁର୍ନିର୍ତୀରେ ବୁଡି ରହିଛନ୍ତି ।ତତସହିତ ଦୀର୍ଘବର୍ଷ ତଳେ ମୋହନାରେ ଆରମ୍ଭ ହୋଇଥିବା ନୀଳକଣ୍ଠେଶ୍ଵର ହାଇସ୍କୁଲର ସମ୍ପାଦକ ଥାଇ କର୍ମଚାରୀ ନିଯୁକ୍ତି ଦେଇ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆତ୍ମସାତ କରିଥିବା ଓ ପରବର୍ତ୍ତୀ ସମୟରେ ବିଦ୍ୟାଳୟଟି ବନ୍ଦ ହୋଇ ଯାଇଥିଲା। ସେହିଭଳି ଲୁହା ଗୁଡିଠାରେ ଗଞ୍ଜାମ – ଗଜପତି ଟ୍ରକ ୟୁନିଅନର ମୁଖ୍ୟ କାର୍ଯ୍ୟାଳୟ ଖୋଲି ଟଙ୍କା ହଡପ କରିଥିବା ଶୁଣିବାକୁ ମିଳୁଛି। ଏହିଭଳି ବହୁ ଦୁର୍ନିତୀରେ ଲିପ୍ତ ଥିବା ବିଜେଡିର ଉପସଭାପତି ଦଣ୍ଡାସି ସାହୁଙ୍କ କେବେ ଖୋଲିବ ଅସଲ ମୁଖା ସେହି ଦିନକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ । ଜିଲ୍ଲା ସ୍ତରୀୟ ଅଧିକାରୀମାନେ ବାରମ୍ଵାର ଆସି ତଦନ୍ତ କରି ଫେରୁଥିଲେ ମଧ୍ୟ ସୁଫଳ ମିଳୁ ନ ଥିବା ଦୁଃଖର ସହ କହିଛନ୍ତି କର୍ମଚାରୀମାନେ।