ମହାରାଜା ବୈକୁଣ୍ଠ ନାଥ ଦେବ ସ୍ମୃତି ସଂସଦ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରତିବର୍ଷ ଭଳି ମହାରାଜା ବୈକୁଣ୍ଠ ନାଥ ଦେବ ସ୍ମୃତି ସଂସଦ ପକ୍ଷରୁ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ମାଣିଖମ୍ଭସ୍ଥିତ ରାଜବାଟୀ ଛକଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଶିବିରକୁ ଉଦଘାଟନ କରିବା ସହିତ ସ୍ୱର୍ଗତ ମହାରାଜା ବୈକୁଣ୍ଠ ନାଥ ଦେବଙ୍କ ସ୍ମୃତିରେ ଏହି ସେବାକାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେ । ପ୍ରଜାଙ୍କ ହିତ ସହ ସ୍ଥାନୀୟ ଅଞ୍ଚଳର ଉନ୍ନତି ପ୍ରତି ସର୍ବଦା ଗୁରୁତ୍ୱ ଦେଇ ଆସିଥିବା ମହରାଜାଙ୍କ ଅବର୍ତ୍ତମାନରେ ବି ତାଙ୍କ ଆଦର୍ଶକୁ ବଜାୟ ରଖି ସ୍ମୃତି ସଂସଦର ଏହି ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ବିଧାୟକ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଏହି ପରମ୍ପରା ନିୟମିତ ବଜାୟ ରଖିବାକୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରପାଳ ଆଲୋକ ସାହୁ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ଯୁବନେତା ଗୌରାଙ୍ଗ ଦାସ ପ୍ରମୁଖ ଏଥିରେ ଯୋଗଦେଇ ମହାରାଜା ବୈକୁଣ୍ଠ ନାଥ ଦେବ ସ୍ମୃତି ସଂସଦର କର୍ମକର୍ତ୍ତାଙ୍କ ସମାଜ ସେବାମୂଳକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ସ୍ମୃତି ସଂସଦର ସଭାପତି ସମାଜସେବୀ ସୁଜିତ ଦେବ ଶିବିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ପୌର ଉପାଧ୍ୟକ୍ଷା ରଶ୍ମିରେଖା ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ସମ୍ପାଦକ ସରୋଜ କାନ୍ତ ରଣା, ଶମ୍ଭୁ କର, ସୁଦର୍ଶନ ମାଝୀ, ପଙ୍କଜ ଦତ୍ତ, ରବୀନ୍ଦ୍ର ମାଝୀ, ଭଞ୍ଜକିଶୋର ରଣା, ଦୀପକ କୁମାର କର, ଲକ୍ଷ୍ମୀଧର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ସ୍ମୃତି ସଂସଦର କର୍ମକର୍ତ୍ତା ଓ ସଦସ୍ୟମାନେ ପରିଚାଳନା କରିଥିଲେ । ଜିଲା ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଶିବିର ଶେଷସୁଦ୍ଧା ଶହେରୁ ଊର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ମୃତି ସଂସଦର ଏହି ଜନକଲ୍ୟାଣ କାର୍ଯ୍ୟକୁ ବିଭିନ ମହଲରୁ ପ୍ରଶଂସା କରାଯାଇଛି ।


