ମହାରାଷ୍ଟ୍ରରେ ସସ୍‌ପେନ୍ସ: ଦୁଇ ଥର ବସିଲା ସିଡବ୍ଲ୍ୟୁସି ବୈଠକ

ମୁମ୍ବାଇ, (ଯୁଗାବ୍ଦ ନ୍ୟୁଜ):ମହାରାଷ୍ଟ୍ରରେ ସରକାର ଗଠନ ନେଇ ସସ୍‌ପେନ୍ସ ଜାରି ରହିଛି । ଆଜି ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଦ୍ଧବ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନ “ମାତୋଶ୍ରୀ’ରୁ ୭ କିମି ଦୂର ବିଳାସପୂର୍ଣ୍ଣ ତାଜ୍ ଲ୍ୟାଣ୍ଡସ୍ ଏଣ୍ଡ୍ ହୋଟେଲରେ ପାୱାରଙ୍କୁ ଭେଟିଛନ୍ତି । ଏହି ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଆଲୋଚନା ହୋଇଥିଲା । ବାଲ ଠାକରେ ୧୯୬୬ରେ ଶିବ ସେନା ଗଠନ କରିବା ଦିନଠାରୁ ମାତୋଶ୍ରୀ ହିଁ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମର ମୂଳପିଣ୍ଡ ପାଲଟିଛି । ଏହି ଭବନ ବାହାରେ କ୍ୱଚିତ ଶିବ ସେନା ମୁଖ୍ୟ ଅନ୍ୟ ଦଳର ନେତାଙ୍କ ସହିତ ଆଲୋଚନା କରିବା ଦେଖାଯାଇଛି । ତେଣୁ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ଶିବ ସେନା ନିଜର ନୀତି ସହ ସାଲିସ କରିଥିବା ଅନୁମାନ କରାଯାଉଛି । ବିଜେପି ମନା କରିବା ପରେ ରାଜ୍ୟପାଳ ଗତକାଲି ଶିବସେନାକୁ ସରକାର ଗଠନ କରିବା ଲାଗି ଡାକିଥିଲେ । ଏଥିପାଇଁ ଏହି ଦଳକୁ ୨୪ ଘଣ୍ଟାର ସମୟ ପ୍ରଦାନ କରିଥିଲେ । ସୋମବାର ସନ୍ଧ୍ୟା ୭ଟା ୩୦ ସୁଦ୍ଧା ଜଣାଇବା ଲାଗି ଦଳକୁ ନିର୍ଦ୍ଦେଶ ଦିଆଯାଇଥିଲା । ମହାରାଷ୍ଟ୍ରରେ ମୋଟ ୨୮୮ଟି ଆସନ ଥିବାରୁ ଏଠାରେ ସରକାର ଗଠନ ପାଇଁ ସର୍ବନିମ୍ନ ୧୪୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ତେବେ ଶିବ ସେନା, ଏନସିପି ଏବଂ କଂଗ୍ରେସର ବିଧାୟକଙ୍କ ସମର୍ଥନକୁ ବିଚାରକୁ ନେଲେ ସେମାନଙ୍କ ମୋଟ ବିଧାୟକ ସଂଖ୍ୟା ୧୫୪ ହେଉଛି । ତେଣୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଏମାନଙ୍କ ପାଖରେ ୯ ଜଣ ଅଧିକ ବିଧାୟକ ରହୁଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ଦିନତମାମ ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ କସରତ ଚାଲିଥିଲା । ନୂଆଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇ ଥର କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ହୋଇ ମହାରାଷ୍ଟ୍ର ରାଜନୀତି ଉପରେ ଆଲୋଚନା ହୋଇଥିଲା । ସୋନିଆଙ୍କ ବାସଭବନ ୧୦ ଜନପଥରେ ପ୍ରଥମ ବୈଠକ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସାମ୍ବାଦିକମାନଙ୍କୁ କହିଥିଲେ, ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଅପରାହ୍ନ ୪ଟାରେ ମହାରାଷ୍ଟ୍ରର ପ୍ରମୁଖ ନେତାମାନଙ୍କର ସହିତ ସିଡବ୍ଲ୍ୟୁସିର ଆଉ ଏକ ବୈଠକ ହେବ । ସେହି ବୈଠକରେ ଯାହା କିଛି ନିଷ୍ପତ୍ତି ନିଆଯିବ । ସିଡବ୍ଲ୍ୟୁସିି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ, ଛଗନ ଭୁଜବଳ, ହରୀଶ ରାୱତ, କେ ସି ବେଣୁଗୋପାଳ, ଅହମ୍ମଦ ପଟେଲ, ମୁକୁଳ ୱାସନିକ, ଏ କେ ଆଣ୍ଟୋନି ଏବଂ କୁମାରୀ ସେଲଜା ପ୍ରମୁଖ ଉପସ୍ଥିତ ଥିଲେ । ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ୍ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଅହମ୍ମଦ ପଟେଲଙ୍କ ସହ ଫୋନ ଯୋଗେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହିତ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହିତ ଟେଲିଫୋନରେ କଥା ହୋଇଥିଲେ । ଯଦି ସରକାର ଗଠନ ପାଇଁ ୩ ଦଳ ମଧ୍ୟରେ ସହମତି ପ୍ରକାଶ ପାଏ ତାହେଲେ ସରକାରର ରୂପରେଖ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସରକାରର ୪ ଗୁରୁତ୍ୱପୂର୍ଣ୍ଣ ପଦ ଯଥା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବାଚସ୍ପତି ପଦରେ କେଉଁ ଦଳର ନେତା ବସିବେ ତାହା ଉପରେ ବିଚାରବିମର୍ଶ ହେବ । ତେବେ ଏହା ଆଲୋଚନା ହେଉଛି ଯେ, ମୁଖ୍ୟମନ୍ତ୍ରୀ ପଦରେ ଶିବ ସେନା ନେତା ବସିବେ । ଉପମୁଖ୍ୟମନ୍ତ୍ରୀ ପଦରେ ଏନସିପି ନେତା ଏବଂ ବାଚସ୍ପତି ପଦରେ କଂଗ୍ରେସ ନେତା ରହିବେ । ଜୟପୁରଠାରେ ଏକ ହୋଟେଲରେ ଥିବା ମହାରାଷ୍ଟ୍ରର କଂଗ୍ରେସ ବିଧାୟକମାନଙ୍କ ସହିତ ଆଜି ସଭାପତି ସୋନିଆ ଗାନ୍ଧୀ ଆଲୋଚନା କରିଛନ୍ତି । ସରକାର ଗଠନ ପାଇଁ ତାଙ୍କ ଦଳ ଶିବ ସେନାକୁ ସମର୍ଥନ ଦେବ କି ନାହିଁ ସେ ବିଷୟରେ ଆଲୋଚନା କରିଥିବା କୁହାଯାଉଛି । ଆଲୋଚନାର ନିଷ୍ପର୍ଷ କଣ ବାହାରିଛି ତାହା ଜଣାପଡ଼ିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ