ମହାରାଷ୍ଟ୍ର ରାଜନୀତି ଇସ୍ତଫା ଦେଲେ ଫଡ଼ନାବିସ୍
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଗତ ଅକ୍ଟୋବର ୨୪ ତାରିଖ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ଦିନରୁ ଅନିଶ୍ଚିତତା ଲାଗି ରହିଛି । ସେପଟେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ଼ନାବିସ ଇସ୍ତଫା ଦେଇଛନ୍ତି । ଫଡ଼ନାବିସ୍ ରାଜଭବନକୁ ଯାଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ତାଙ୍କ ଈସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଇସ୍ତଫା ପତ୍ର ଗ୍ରହଣ କରିବା ସହିତ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା କିମ୍ବା ବିକଳ୍ପ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ।
ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଫଡ଼ନାବିସ୍ କହିଛନ୍ତି ଯେ ରାଜ୍ୟବାସୀ ପୁଣିଥରେ ମେଣ୍ଟ ଦଳ (ବିଜେପି-ଶିବସେନା) କୁ କ୍ଷମତା ଦଖଲ କରିବାର ସୁଯୋଗ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୫୦:୫୦ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ଚୟନ କରାଯିବା କଥା ଉଠାଇବା ସହିତ ତାଙ୍କ ପାଇଁ ଅନ୍ୟ ବିକଳ୍ପ ଥିବା ମଧ୍ୟ କହିଆସିଛନ୍ତି । ତାଙ୍କ ଜାଣତରେ ବିଜେପି ଓ ଶିବସେନା ମଧ୍ୟରେ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବା ନେଇ କୌଣସି ଆଲୋଚନା ହୋଇନାହିଁ । ତା ଛଡ଼ା ବିଜେପି ସହ ସରକାର ଗଠନ ନେଇ ଆଲୋଚନା ନ କରି ଶିବସେନା ଏନସିପି ଓ କଂଗ୍ରେସ ସହ କଥାବାର୍ତ୍ତା କରୁଛି । ଶିବସେନା ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ବୟାନବାଜି କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷରେ ଶିବସେନାର ନେତା ସଞ୍ଜୟ ରାଉତ ଶୁକ୍ରବାର ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏନସିପି ବିରୋଧୀ ଆସନରେ ବସିବ ବୋଲି ପାୱାର ବାରମ୍ବାର କହୁଥିଲେ ମଧ୍ୟ ଏନସିପି ସହ ମିଶି ଶିବସେନା ସରକାର ଗଢ଼ିବ ଏବଂ କଂଗ୍ରେସ ବାହାରୁ ସମର୍ଥନ ଦେବ ବୋଲି ଚର୍ଚ୍ଚା ଜୋର ଧରିଛି ।
ସେପଟେ ଉଦ୍ଧବ ଠାକରେ କହିଛନ୍ତି ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରି ଓହରି ଯାଉଛି । ବାଲାସାହେବ ଠାକରେ ପୁଅ ମିଛ କହୁଛି ବୋଲି ଫଡ଼ନାବିସ୍ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । ବିଜେପି ଆମର ଶତ୍ରୁ ନୁହେଁ । କିନ୍ତୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଦରକାର ।