ମହାଳୟା

ବିପିନ ବିହାରୀ ମହାନ୍ତି
ପିତାମାତାଙ୍କ ଋଣ ଜନ୍ମ ଜନ୍ତାନ୍ତର ନେଇ ଚେଷ୍ଟାକଲେ ବି ଶୁଝା ପଡ଼େ ନାହିଁ । ତଥାପି ପୁତ୍ର ସେମାନଙ୍କ ଜୀବଦଶାରେ ବାର୍ଦ୍ଧକ୍ୟରେ ସେମାନଙ୍କୁ ସେବା ଓ ସହାୟତା ଦିଏ ଏବଂ ସେମାନଙ୍କ ମୃତ୍ୟୁ ପରେ ପରାଗତ ଆତ୍ମାର ସଦ୍‌ଗତି ନିମନ୍ତେ ଶୁଦ୍ଧ, ଶ୍ରାଦ୍ଧ ଓ ତର୍ପଣ ଇତ୍ୟାଦି କାର୍ଯ୍ୟକରେ । ଏ ସବୁର ମୂଳରେ ଅଛି ସେମାନଙ୍କ ମୋକ୍ଷ ନିମନ୍ତେ ପିଣ୍ଡଦାନ ଦେବା । ଏମିତି କହିଲେ ପିତୃ ଲୋକାଗତ ଆତ୍ମାର ଉର୍ଦ୍ଧ୍ୱଗତି ବା ସଦ୍‌ଗତି ଲାଭ କରିବା ନିମନ୍ତେ ଶ୍ରାଦ୍ଧ ଓ ତର୍ପଣର କର୍ମ କରାଯାଏ । ଏ ପ୍ରକାର ଶ୍ରାଦ୍ଧ ତାଙ୍କ ମୃତ୍ୟୁ ଦିବସରେ କରାଯାଇଥାଏ ଅଥଚ ମହାଳୟା ଶ୍ରାଦ୍ଧ ପିତୃପକ୍ଷରେ କରାଯାଇଥାଏ । ପିତୃପକ୍ଷ କହିଲେ ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଅମାବାସ୍ୟା ଯାଏଁ ଦିବସକୁ ବୁଝାଏ । ଏହି ଦିନଗୁଡ଼ିକରେ ପିତୃଗଣଙ୍କ ତୃପ୍ତି ବିଧାନାର୍ଥେ ନିତ୍ୟ ତିଳାଞ୍ଜଳି ଅର୍ପଣ କରାଯାଏ । ଏଭିତରୁ ଯେ କୌଣସି ଦିନ ବିନା ତିଥି ନକ୍ଷତ୍ରରେ ପିତୃପକ୍ଷ ଶ୍ରାଦ୍ଧ ଦିଆଯାଇପାରିବ ।
ଆଶ୍ୱିନ କୃଷ୍ଣପକ୍ଷ ହେଉଛି ପିତୃପକ୍ଷ; କିନ୍ତୁ ଅମାବାସ୍ୟା ହେଉଛି ପିତୃତିଥି । ଏହି ଦିନକୁ ପିତୃଗଣଙ୍କ ତିଥି ମହାଳୟ ବୋଲି କୁହାଯାଏ । ଏହି ଦିବସରେ ପୁତ୍ର ପୂର୍ବବର୍ତ୍ତୀ ତିନିପୁରୁଷଙ୍କୁ ଶ୍ରାଦ୍ଧବାଢ଼େ । ପିତା, ପିତାମହ ଓ ପ୍ରପିତାମହ ନିଜ କୁଳର ତିିନିପୁରୁଷ; ମାତା, ମାତାମହୀ ଓ ପ୍ରପିତାମହୀ ଏମିତି ମାତୁଳ କୁଳର ତିନି ପରୁଷ ସହିତ ଏକ ଲୁପ୍ତ ପୁରୁଷଙ୍କୁ ଦିଏ । ମଉଳାକୁଳର ସଂପୃକ୍ତ ହେତୁ ମହାଳୟା ଶ୍ରାଦ୍ଧକୁ ମଉଳାଶ୍ରାଦ୍ଧ ମଧ୍ୟ କୁହାଯାଏ । ମୃତ୍ୟୁ ଲୋକରେ ଥାଇ ପୂର୍ବ ପୁରୁଷମାନେ ମହାଳୟା ବା ପିତୃପକ୍ଷରେ ପିଣ୍ଡପାଇଁ ଅପେକ୍ଷା କରିଥାନ୍ତି । ଯଦି ପିଣ୍ଡ ଦିଆନଯାଏ, ସେମାନେ ନିରାଶ ହୋଇ ଫେରିଯାଆନ୍ତି । ଅମାବାସ୍ୟା ଦିନ ଶ୍ରାଦ୍ଧଟି ଅତି ପବିତ୍ର । ଏହିଦିନ ସମସ୍ତ ବ୍ୟକ୍ତି ଏବଂ ଜାତି ଶ୍ରାଦ୍ଧ ଦେଇପାରିବେ ।
ସାଧାରଣତଃ ଏହି ଶ୍ରାଦ୍ଧ ନିଜର ବାସଗୃହ, ତୀର୍ଥନଦୀ, ପୁଷ୍କରିଣୀ, ସମୁଦ୍ରକୂଳ, ତୁଳସୀ ମୂଳ, ଗୟା, ବଦ୍ରିନାଥ, ବ୍ରହ୍ମକୁଣ୍ଡଳ, ଆମ ଓଡ଼ିଶାର ବିନ୍ଦୁସାଗର , ବୈତରଣୀ କୂଳ ଏବଂ ସର୍ବୋପରି ଶ୍ରୀ ମନ୍ଦିରରେ ଦିଆଯାଇପାରେ ।
ପିଣ୍ଡରେ ମହାପ୍ରସାଦ, ପାକାନ୍ନ ବା ଆମାନୁ ବଢ଼ା ଯାଇପାରେ । କେବଳ ପିତୃପୁରୁଷ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରାଯାଏ ନାହିଁ । ବିଶ୍ୱଦେବ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଋଷିଗଣ, ବେଦ, ଛନ୍ଦ ଇତ୍ୟାଦି ତୃପ୍ତିବିଧାନ ପାଇଁ ମଧ୍ୟ ଜଳତିଳ ତର୍ପଣ କରାଯାଏ ।
ଦକ୍ଷିଣ ହସ୍ତର ତର୍ଜନୀ ବା ବୃଦ୍ଧାଙ୍ଗୁଳି ମ୍ମରେ ଥିବା ସ୍ଥାନ ପିତୃତୀର୍ଥ ନାମରେ ପରିଚିତ । ଏଣୁ ଶ୍ରାଦ୍ଧ ସମୟରେ ସେହି ମୁଦ୍ରାରେ ପିଣ୍ଡ ଅର୍ପଣ କରାଯଏ । ଶ୍ରାଦ୍ଧ ଜ୍ୟେଷ୍ଠପୁତ୍ର ଦେବା ବିଧେୟ କିମ୍ବା ଜ୍ୟେଷ୍ଠବ୍ୟକ୍ତି ବି ହୋଇପାରନ୍ତି ।
ପିତାମାତାଙ୍କୁ ପିଣ୍ଡଦାନ ଓ ତର୍ପଣ ଦ୍ୱାର ସେମାନଙ୍କର ସ୍ୱର୍ଗବାସ ହୁଏ ବୋଲି ବିଶ୍ୱାସ । ପୁତ୍ରମାନେ ଏହା ଶ୍ରଦ୍ଧାର ସହିତ ସମାପନା କରିବା ଦ୍ୱାରା ଏହାକୁ ଶ୍ରାଦ୍ଧ କୁହାଯାଏ । ଏଥିରେ ସେ ନିଜେ ପିତୃଋଣରୁ ମୁକ୍ତି ପାଇବା ସହ ନିଜର ପରମଗତି ପାଇଁ ଧର୍ମ ସଂଚୟକରନ୍ତି । ଏଣୁ ଯଥାର୍ଥରେ କୁହାଯାଇଛି :
ପିତାଧର୍ମ ପିତାସ୍ୱର୍ଗ ପିତାହିଁ ପରମ ତପଃ
ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତା ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ