ମହାଶକ୍ତି ‘ଶିବ’ଙ୍କ ଗହନ ତତ୍ତ୍ୱ

ପ୍ରଦୀପ ସେନାପତି

ଶିବ କହିଲେ ଆମେ ସାଧାରଣତ ଶୁଭ ବା ମଙ୍ଗଳକୁ ବୁଝିଥାଉ ଓ ମସ୍ତକରେ ଜଟାଜୁଟର ଅନ୍ତରାଳରେ ଗଙ୍ଗା, ଲଲାଟରେ ଅର୍ଦ୍ଧଚନ୍ଦ୍ର ଓ ତୃତୀୟନେତ୍ର, ଗଳାରେ ସର୍ପଧାରଣ, କଟିରେ ଗଜାଲିନ, ହସ୍ତରେ ତ୍ରିଶୁଳ ଓ ଅକ୍ଷମାଳା ଧାରଣ କରି ଧ୍ୟାନସ୍ଥ ମୁଦ୍ରାରେ ବସିିଥିବା ମହାଦେବଙ୍କ ମୂର୍ତ୍ତୀକୁ ପୂଜା ବା ସ୍ମରଣ କରିଥାଉ । ତେବେ ଏହି ଶିବଶବ୍ଦ ଯେ କେତେ ଗହନ-ତତ୍ତ୍ୱ-ସମ୍ବନ୍ଧିତ ଏକ ଅନାହତ ଉଚ୍ଚାରଣ, ତାହା ପ୍ରକାଶ କରିବା ଦୁରୂହ । ବେଦ ଉପନିଷଦ-ପୁରାଣ-ସାହିତ୍ୟ ସବୁଠାରେ ଶିବଶବ୍ଦ ଓ ଶିବତତ୍ତ୍ୱର ଦୀପ୍ତି ଓ ବ୍ୟାପ୍ତି ପ୍ରଶସ୍ତ ଭାବେ ଦେଖାଯାଏ । ଶୁକୃ ଯଜୃର୍ବେଦ (୧୬/୪୧) ଅନ୍ତର୍ଗତ ଶତରୁଦ୍ରିୟ ପାଠାରେ ଶିବଶବ୍ଦର ପ୍ରୟୋଗ ଦେଖାଯାଏ । ନମଃ ଶମବାୟ ଚ ନମଃ ଶିବାୟ ଚ ଶିବତରାୟ ଚ । । ମୟଭବାୟ ଚ ନମଃ ଶଙ୍କରାୟ ଚ ମୟସ୍ୱରାୟ ଚ । ଅର୍ଥାତ୍ ସୁଖାଶାନ୍ତିର ସୃଷ୍ଟିକାରୀଙ୍କୁ ନମସ୍କାର, ମଙ୍ଗଳକାରୀଙ୍କୁ ନମସ୍କାର, ଶିବଙ୍କୁ ନମସ୍କାର ଓ ପରମ କଲ୍ୟାଣଙ୍କୁ ନମସ୍କାର । ଆମେ ନିତ୍ୟ ପାଠ କରୁଥିବା ମହାମୃତ୍ୟୁଞ୍ଜୟ ମନ୍ତ୍ରର ମଧ୍ୟ ଉତ୍ପତ୍ତି-ଉତ୍ସ ହେଉଛି ଶୁକୃ ଯଜୃବେଦ । ଏଥିରେ (୩/୬-୬୧) ଥିବା ମନ୍ତ୍ରରେ ସୁଗନ୍ଧମୟ ତଥା ଅନ୍ନାଦିର ପୁଷ୍ଟିକୁ ବୃଦ୍ଧି କରୁଥିବା ତ୍ରିନେତ୍ର ଶିବଙ୍କୁ ସ୍ତୁତି କରାଯାଇ ମୃତ୍ୟୁ ବନ୍ଧନରୁ ମୁକ୍ତ ହେବା ଓ ଅମୃତରୁ ବଞ୍ôଚତ ନହେବା ନିମନ୍ତେ ସ୍ତୁତି କରାଯାଇଛି । ବିଶେଷତଃ ଅନ୍ୱତା କନ୍ୟା ଉତ୍ତମ-ବରପ୍ରାପ୍ତି ପରେ ପିତୃକୁଳରୁ ବିମୁକ୍ତି ଓ ପତିକୁଳରୁ ଅବିମୁକ୍ତି କାମନା କରି ଶିବସ୍ତୁତି କରିଥିବା ଏହି ମନ୍ତ୍ରରେ ପ୍ରକାଶିତ-ତ୍ର‌୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ । ଭର୍ବାରୁକ ଶିବ ବନ୍ଧାନାନ୍ ମୃତ୍ୟୋର୍ମୁକ୍ଷୀୟ ମାଽମୃତାତ୍ । ତ୍ର‌୍ୟାମ୍ବକଂ ଯଜାମହେ ସୁଗନ୍ଧିଂ ପତିବେଦନାମ୍ । ଭର୍ବାରୁକଶିବ ବନ୍ଧନା ଜିତୋ ମୁକ୍ଷୀୟ ମାମୁତଃ । । । ଉପନିଷତ୍ ମାନଙ୍କ ଶୃଙ୍ଖଳା କ୍ରମରେ ଦେଖିଲେ, ଶ୍ୱେତାଶ୍ୱତର ଉପନିଷଦ୍ (୩/୧୧)ରେ ଶିବଶଙ୍କର ବ୍ୟାପକତା ପ୍ରକଟିତ ହୋଇଛି-ସର୍ବାନନଶିରୋଶ୍ରୀବଃ ସର୍ବଭୂତଗୁହାଶୟଃ । ସର୍ବବ୍ୟାପୀ ସ ଭଗବାଂସ୍ତସ୍ମାତ ସର୍ବଗତଃ ଶିବଃ । । ଅର୍ଥାତ୍ ସମସ୍ତଙ୍କ ମୁଖ-ମସ୍ତକ-କଣ୍ଠ-ସ୍ୱରୂପ, ସମସ୍ତଙ୍କ ହୃଦୟସ୍ଥିତ, ସର୍ବବ୍ୟାପକ, ସର୍ବାନ୍ତରଗାମୀ, ମଙ୍ଗଳମୟ ହିଁ ଭଗବାନ ପଦବାଚ୍ୟ । କୈବଲ୍ୟୋପନିଷଦ୍ (୧/୮) ମନ୍ତ୍ରରେ କୁହାଯାଇଛି-ସ ବ୍ରହ୍ମା ସ ଶିବଃ ସେନ୍ଦ୍ରଃ ସୋଽକ୍ଷରଃ ପରମଃ ସ୍ୱରାଟ । ସ ଏବ ବିଷୁଃ ସ ପ୍ରାଣଃ ସ କାଳୋଽଗ୍ନିଃ ସ ଚନ୍ଦ୍ରମାଃ । । ଅର୍ଥାତ୍ ପରମ ବ୍ରହ୍ମ ହେଉଛନ୍ତି ଏକଧାରରେ ବ୍ରହ୍ମା-ଶିବ-ଇନ୍ଦ୍ରାଦିଦେବଗଣ-ବିଷ୍ଣୁପ୍ରାଣ-କାଳି-ଅଗ୍ନି-ଚନ୍ଦ୍ରସ୍ୱରୂପ । ସେହିପରି ରୁଦ୍ରହୃଦୟ, ଦକ୍ଷିଣାମୂର୍ତ୍ତି, ନିଳରୁଦ୍ରାଦି ଉପନିଷତ୍ ସମୂହରେ ଶିବ ଶବ୍ଦର ବ୍ୟବହାର ସହିତ ଶିବ ମହିମା ସୁବର୍ଣ୍ଣିତ ହେଉଛି । ଶିବ ଶବ୍ଦର ଆଭିଧାନିକ ଅର୍ଥ ହେଉଛି ମଙ୍ଗଳ ବା କଲ୍ୟାଣ । ଏହି ଶବ୍ଦ ଉଭୟ ବିଶେଷ୍ୟ ଓ ବିଶେଷଣ ଭାବରେ ବ୍ୟବହୃତ । ପାଣିନିକୃତ ଉଣାଦିକୋଷର ସୂତ୍ର (୧/୧୫୩)-ସର୍ବନିଘୃଷ୍ୱରି ଷ୍ୱ ଶିବପଟ୍ ବପ୍ରହ୍ୱେଷ୍ୱା ଅତନ୍ତେ ମତରେ ଶୀ, ଙ୍ (ସ୍ୱପ୍ନେ) ଧାତୁରୁ ନିଷ୍ୱନ୍ନ ଶବ୍ଦ ହେଉଛି ଶିବ, ଯାହାର ବ୍ୟୁତ୍ପତ୍ତି ବାକ୍ୟ ହେଉଛି-ଶେ ତେ ଇତି ଶିବଃ । ଅର୍ଥାତ୍ ଶିବ ସର୍ବଦା ସମାଧିସ୍ଥ ଥାଆନ୍ତି ଓ ମହାପ୍ରଳୟ ସମୟରେ ତମୋଗୁଣଯୁକ୍ତ ହୋଇ ବିନାଶକ୍ରିୟ ନିର୍ବାହ କରନ୍ତି । ପରମପୁରୁଷଙ୍କ ସୁପ୍ତିତତ୍ତ୍ୱ ହିଁ ପ୍ରଳୟର କାରଣ ଓ କାରକ ମଧ୍ୟ । ପୁନଶ୍ଚ ଅନ୍ୟମତରେ ଶେରତେ ପ୍ରାଣିନୋ ଯତ୍ର ସ ଶିବଃ । ଅର୍ଥାତ୍ ଅଶେଷ ପାପତାପରେ ଉଦ୍‌ବିଗ୍ନ ହୋଇ ପ୍ରାଣିମାନେ ବିଶ୍ରମ ନିମେନ୍ତ ଯେଉଁଠି ଶୟନ କରନ୍ତି, ସେହି ସର୍ବାଶ୍ରୟ ହିଁ ଶିବ । ଆହୁରି ମଧ୍ୟ ଭାରତକୃତ ଅମରଟୀକା ମତରେ-ଶିବଂ କଲ୍ୟାଣ ବିଦ୍ୟତେଽସ୍ୟ-ଅର୍ଥାତ୍ ମଙ୍ଗଳ ଯାହାଠାରେ ସନ୍ନିବିଷ୍ଟ, ସେ ଶିବ । ପୁନଶ୍ଚ ଶ୍ୟତି ନାଶୟତି ଅଶୁଭମିତି ଶିବଃ-ଅର୍ଥାତ୍ ଅଶୁଭର ବିନାଶକ ହିଁ ଶିବ । ଅନ୍ୟ ଏକ ମତରେ-ଶେରତେରବତିଷ୍ଠନ୍ତେଽଣିମା ଦ୍ୟାଷ୍ଟଗୁଣା ଅସୃିନ୍ନିତି ଶିବଃ ଏହାର ଅର୍ଥ ହେଉଛି ଅଣିମାଦି ଅଷ୍ଟସିଦ୍ଧିମୟ ଗୁଣାବଳୀ ଯାହାଠାରେ ପରିପୂର୍ଣ୍ଣ ଅଛି, ସେ ଶିବ ନାମବାଚ୍ୟ । ଶିବୋପନିଷତ୍ (୧/୧୦) ମତରେ-ଅଶିବାଃ ପାଶସଂଯୁକ୍ତାଃ ପଶବଃ ସର୍ବଚେତନାଃ । ଯସ୍ମାଦ୍ ବିଲକ୍ଷଣାସ୍ତେଭ୍ୟସ୍ତସ୍ମାଦୀଶଃ ଶିବଃ ସ୍ମୃତଃ । । ଅର୍ଥାତ୍ ଜାଗତିକ ମାୟାପାଶରେ ବଦ୍ଧ ହୋଇଥିବା ତଥା ଚେତନା ଥାଇ ସୁଦ୍ଧା ଅଚେତନ-ପଶୁ ଭାବରେ ବ୍ୟବହାର କରୁଥିବା ଜୀବମନାଙ୍କୁ ପାଶମୁକ୍ତ କରୁଥିବା ଈଶ୍ୱର ହିଁ ଶିବ । ସେହିପରି ଶିବ ମହାପୁରାଣନ୍ତର୍ଗତ ବିଦ୍ୱେଶ୍ୱର ସଂହିତା (୧୮ଶ୍ଲୋକ) ମତରେ-ଶଂ ନିତ୍ୟ ସୁଖମାନନ୍ଦଶିକାରଃ ପୁରୁଷଃ ସ୍ମୃତଃ । ବକାରଃ ଶକ୍ତିରମୃତଂ ମେଳନଂ ଶିବ ଉଚ୍ୟତେ । । ତସ୍ମାଦେବଂ ସ୍ୱମାତ୍ମାନଂ ଶିବଂ କୃତ୍ୱାଽର୍ଚୟେଚ୍ଛିବମ୍ । । ଅର୍ଥାତ୍ ଶିବ ଶବ୍ଦରେ ଥିବା ଶକାର ଆନନ୍ଦବାଚକ, ଇକାର ପୁରୁଷବାଚକ ତଥା ବକାର ଅମୃତଶକ୍ତିବାଚକ ଓ ଏହି ତିନି ତତ୍ତ୍ୱର ମିଳନରେ ଶିବଶବ୍ଦ ନିଷ୍ପାଦିତ । ଏଣୁ ପ୍ରତି ଜୀବ ଭଗବାନ ଶିବଙ୍କୁ ଏହିପରି ଆତ୍ମସ୍ୱରୂପ ଜାଣି ଅର୍ଚ୍ଚନା କରିବା ଉଚିତ୍ । ଏହି ଶିବଙ୍କର ସହସ୍ରନାମାବଳୀ ବ୍ୟସକୃତ ମହାଭାରତର ଅନୁଶାସନ ପର୍ବର ୧୭ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି । ଶିବ ଏକଧାରରେ ଏକରସ, ଅର୍ଦ୍ଧନାରୀ ଓ ଅର୍ଦ୍ଧପୁୁରୁଷ ତତ୍ତ୍ୱର ମିଳନରେ ଦ୍ୱିମୂର୍ତ୍ତି, ତ୍ରିନେତ୍ର, ସ୍ୱପ୍ନ-ସୁଷୁପ୍ତି-ଜାଗର-ତୁରୀୟାଦି ଚତୁରବସ୍ଥା ମଧ୍ୟରୁ ତୁରୀୟ (ଚତୁର୍ଥ) ସତ୍ତା ଅଥବା ପରା-ପଶ୍ୟନ୍ତୀ-ମଧ୍ୟମା-ବୈଖରି ନାମକ ଜ୍ଞାନରୂପକ-ଧ୍ୱନି ଚତୁଷ୍ଟୟର ପ୍ରେରକ, ପଞ୍ଚାନନ (ସଦ୍ୟୋଜାତ-ତତ୍‌ପୁରୁଷ-ଅଘୋର-ବାମଦେବ-ଇଶାନାତି ପଞ୍ଚମୁଖ ଯୁକ୍ତ) ତଥା ସୃଷ୍ଟି-ସ୍ଥିତି-ଲୟ-ନିଗ୍ରହ-ଅନୁଗ୍ରହାଦି ପଞ୍ଚବିଧ ଐଶଶକ୍ତିର ଆଧାର, ଓଁ ନମଃ ଶିବାୟ ମନ୍ତ୍ରର ଅକ୍ଷରସଟ୍‌କରେ ଉଦ୍ଭାସିତ ଅଥବା ସର୍ବଜ୍ଞତା-ସଂତୃପ୍ତି-ଅଖଣ୍ଡବୋଧ-ସ୍ୱତନ୍ତ୍ରତା-ଅନବସନ୍ନତା-ଅନନ୍ତଶକ୍ତି ପ୍ରଭୃତି ଷଟ୍‌କଳାଯୁକ୍ତ, ବିଲ୍ୱପତ୍ର-ତୋୟ-ପୟଃ-ଦଧି-ମଧୁ-ଘୃତ-ଭସ୍ମାଦି ସପ୍ତଦ୍ରବ୍ୟରେ ସବିଶେଷ ଅଭିଷକ-ପରାୟଣ ଓ ଅଣିମାଦି-ଅଷ୍ଟସିଦ୍ଧିଦାତା ଅଥବା କ୍ଷିତି-ଅପ୍‌-ତେଜଃ-ମରୁତଃ-ବ୍ୟୋମ-ସୂର୍ଯ୍ୟ-ଚନ୍ଦ୍ର-ଆତ୍ମା (କ୍ଷେତ୍ରଞ୍ଚ) ପ୍ରମୁଖ ଅଷ୍ଟତତ୍ତ୍ୱର ଆଧାରରେ ଭାବ-ଶବ-ରୁଦ୍ର-ପଶୁପତି-ଉଗ୍ର-ମହାଦେବ-ଭୀମ-ଇଶାନାଦି ଅଷ୍ଟ ନାମରେ ଅଷ୍ଟମୂର୍ତ୍ତି ସ୍ୱରୂପରେ ଅର୍ଚ୍ଚିତ । ଆହୁରି ମଧ୍ୟ, ସ୍ୱତସଂହିତା (୪/୨୭-୨୮) ମତରେ-ଦେବ ଏବଂ ସ୍ୱୟଂ ଲିଙ୍ଗ ଲିଙ୍ଗଜ ଗମକ ମେ ବହି । ଅର୍ଥାତ୍ ଶିବ ହେଉଛନ୍ତି ସ୍ୱୟଂ ଜ୍ଞାନ (ଶିବଃ ପ୍ରଜ୍ଞାନେ) ଓ ଏହି ଜ୍ଞାନ ରୂପର ପ୍ରକାଶ ହେଉଛି ଲିଙ୍ଗ । ଏହି ଲିଙ୍ଗ ସତ୍‌-ଚିତ୍‌-ଆନନ୍ଦର ସମାହାର ଓ ଅଚଳ ପ୍ରତିଷ୍ଠା । ମହାପ୍ରଳୟ ସମୟରେ ସମସ୍ତ ଶକ୍ତି ଏହିଠାରେ ଲୟପ୍ରାପ୍ତ ହୋଇଥାନ୍ତି ସତ, ମାତ୍ର ଏହି ଲିଙ୍ଗର କଦାପି ଲୟ ନାହିଁ । ପୁନଶ୍ଚ ବିଦ୍ୟେଶ୍ୱର ସଂହିତା ମତରେ ଲୀନାର୍ଥଗମକଂ ଚିହ୍ନ ଲିଙ୍ଗମିତ୍ୟ ଭି ଧ୍ୟାୟତେ । ମୁଖ୍ୟୋ ଭଗସ୍ତୁ ପ୍ରକୃତି ଭଗବାନି ଶିବ ରଚ୍ୟତେ । । ଅର୍ଥାତ୍ ଅବ୍ୟକ୍ତ ଶକ୍ତିର ପ୍ରକାଶକ ଲିଙ୍ଗ, ଭଗଶବ୍ଦର ଅର୍ଥ ପ୍ରକୃତି ଓ ଏହି ଦୁଇଟିର ଆଧାରରେ ଶିବ ଓ ଏକାଧାରରେ ଲିଙ୍ଗ ଓ ଭଗବାନ । ଆଜି ପବିତ୍ର ଶିବରାତ୍ରୀ ଅବସରରେ ସେହି ଲିଙ୍ଗାତ୍ମକ ଭଗବାନ ଶିବଙ୍କ ଚିନ୍ମୟ-ଜ୍ୟୋତିଃକୁ ସହସ୍ର ପ୍ରଣାମ । ଏହା କଳ୍‌କୀ ପୁରାଣରୁ ଆଦୃତ ।
ଲେଖକ ଜଣେ ଶିବଭକ୍ତି, ଶିବଶକ୍ତି, ଶିବଯୋଗ, ଶିବଭୋଗ ଉପାଶକ
ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର-୨
ମୋ : ୯୪୩୮୪୪୬୫୭୫

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ