ମହା ଶିବରାତ୍ରୀ ବା ଜାଗର ଯାତ୍ରା


ସନ୍ତୋଷ କୁମାର ଦାଶ

ଆମ ହିନ୍ଦୁ ଧର୍ମ ପରମ୍ପରାରେ ଏକ ଲୋକ ପ୍ରିୟ ପର୍ବ ହେଉଛି ମହା ଶିବ ରାତ୍ରୀ ବା ଜାଗର ଯାତ୍ରା। ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ରାତ୍ର କୁ ମହା ଶିବ ରାତ୍ରୀ ବା ଜାଗର ଯାତ୍ରା କୁହାଯାଇଥାଏ। ଏହି ଦିନ ସଦାଶିବ ମହେଶ୍ୱର ଜ୍ୟୋତିର୍ଲିଙ୍ଗ ରୂପରେ ଆବିର୍ଭୁତ ହୋଇ ଧରାବତରଣ କରିଥିଲେ ବୋଲି ଶିବପୁରାଣ ରେ ବର୍ଣ୍ଣିତ ହୋଇଛି। ଆମ ଦେଶୀୟ ଗଣନା ଆନୁସାରେ ଫାଲଗୁନ ମାସ ହେଉଛି ବର୍ଷ ର ଅନ୍ତିମ ବା ଶେଷ ମାସ। ମହା ଶିବରାତ୍ରୀ ର ମହିମା ଅବର୍ଣ୍ଣନୀୟ। ମହା ଶିବରାତ୍ରି ର ଚାରି ପ୍ରହର ରେ ମହେଶ୍ୱରଙ୍କୁ ଅଭିଷେକ କଲେ ଆଉ ପୁନଃଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ମହା ଶିବରାତ୍ରୀର ପ୍ରଥମ ପ୍ରହର ରେ ଖିର, ଦ୍ଵିତୀୟ ପ୍ରହର ରେ ଦହି, ତୃତୀୟ ପ୍ରହରରେ ଘିଅ ଓ ଚତୁର୍ଥ ପ୍ରହର ରେ ମହୁ ରେ ଅଭିଷେକ କଲେ ଶିବ ଶମ୍ଭୁ ଅତ୍ୟନ୍ତ ପ୍ରୀତ ହୋଇଥାନ୍ତି। ମହା ଶିବରାତ୍ରୀ ପାଳନ ସମ୍ପର୍କରେ ଅନେକ ଲୋକକଥା ଓକିମ୍ବଦନ୍ତୀ ରହିଛି। ସମୁଦ୍ର ମନ୍ଥନ ସମୟ ରେ ବାହାରିଥିବା ସମସ୍ତ ଗରଳ ( ବିଷ) କୁ ଶିବ ଶମ୍ଭୁ ପାନ କରି ଏ ପୃଥିବୀ କୁ ଆସନ୍ନ ବିପଦ ରୁ ରକ୍ଷା କରିଥିଲେ। ବିଷ ପାନ ପରେ ଏହାର ପ୍ରଭାବ ରେ ସେ ନିଜ ଚେତା ହରାଇ ଥିଲେ। ତାଙ୍କର ଚେତା ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗର ରେ ବସିଥିଲେ। ସେହି ଦିନକୁ ମନେ ପକାଇ ରାତି ଉଜାଗର ରହି ଦୀପ ଜାଳିଲେ ଶିବ ଶମ୍ଭୁ ଅତ୍ୟନ୍ତ ପ୍ରୀତ ହୋଇଥାନ୍ତି। ମହା ଦେବ ଫୁଲ ଓ ବେଲ ପତ୍ର ପ୍ରିୟ ହୋଇ ଥିବାରୁ ଶିବ ରାତ୍ରି ଦିନ ନାଗେଶ୍ଵର, ଟଗର,ଅପରାଜିତା, ଚମ୍ପା, କେତକୀ ଫୁଲ ଓ ବେଲ ପତ୍ର ଶିବ ରାତ୍ରି ଦିନ ଲିଙ୍ଗ ଉପରେ ଚଢା ଯାଇଥାଏ। ଶିବ ରାତ୍ରି ଦିନ ଶିବ ଶମ୍ଭୁ ଙ୍କୁ ଅଭିଷେକ କଲେ ବିବାହ ସମସ୍ୟା, ଅଳ୍ପାୟୁ ଯୋଗ, କାଳ ସର୍ପ ଯୋଗ, ବିଭିନ୍ନ ଅସାଧ୍ୟ ରୋଗ, ଘରେ ଥିବା ବାସ୍ତୁ ଦୋଷ, ଭୂମି କ୍ରୟ ରେ ସମସ୍ୟା, ଜୀବନ ର ଦୁଃଖ କଷ୍ଟ ପ୍ରଭୃତି ସମସ୍ୟା ଦୂର ହୋଇଥାଏ ବୋଲି ଶିବ ପୁରାଣ ରେ ଉଲ୍ଲେଖ ରହିଛି। ଏହି ଦିନ ଶିବ ଶମ୍ଭୁ ଙ୍କୁ ଶମି ବୃକ୍ଷ ର ପତ୍ର ଅର୍ପଣ କଲେ ଜାତକ ରେ ରହିଥିବା ଶନି, ରାହୁ ଓ କେତୁ ଙ୍କ ଦୋଷ ଦୂର ହୋଇଥାଏ। ଚଳିତ ବର୍ଷ ମହା ଶିବରାତ୍ରୀ ରେ ଏକ ବିରଳ ଗ୍ରହ ସଂଯୋଗ ହେଉଥିବା ବିଭିନ୍ନ ଜ୍ୟୋତିର୍ବିଦ ମାନେ ସୂଚନା ଦେଇଛନ୍ତି। ଶିବରାତ୍ରୀ ଦିନ ସୂର୍ଯ୍ୟ, ବୁଧ, ଶନି ଏକତ୍ର କୁମ୍ଭ ରାଶି ରେ ଅବସ୍ଥାନ କରିବେ। ପ୍ରାୟ ୧୪୯ ବର୍ଷ ପରେ ଏପରି ତିନି ଗ୍ରହ ର ସଂଯୋଗ ହେଉଥିବା କୁହା ଯାଇଛି। ଏହି ଦିନ ଶୁକ୍ର ନିଜ ଉଚ୍ଚ ରାଶି ମୀନ ରାଶି ରେ ଅବସ୍ଥାନ କରିବେ। ରାହୁ ମଧ୍ୟ ମୀନ ରାଶି ରେ ଅବସ୍ଥାନ କରିବେ। ଏହା ଏକ ଶୁଭ ଯୋଗ ବୋଲି ବିଶ୍ୱାସ ରହିଛି। ସୂର୍ଯ୍ୟ ଆଉ ଶନି କୁମ୍ଭ ରାଶି ରେ ଅବସ୍ଥାନ କରିବେ। ସୂର୍ଯ୍ୟ ହେଉଛନ୍ତି ଶନି ଙ୍କ ପିତା ଆଉ କୁମ୍ଭ ହେଉଛି ଶନି ଦେବ ଙ୍କ ରାଶି। ଏହି ସମୟ ରେ ଶିବ ଶଙ୍କର ଙ୍କୁ ଅଭିଷେକ ଓ ପୂଜା କଲେ ମୋକ୍ଷ ପ୍ରାପ୍ତି ସହିତ ଶିବ ଲୋକ ରେ ସ୍ଥାନ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଆମ ରାଜ୍ୟ ର ପ୍ରାୟ ପ୍ରତ୍ୟେକ ଶିବ ମନ୍ଦିର ରେ ଜାଗରଯାତ୍ରା ଧୁମ୍ ଧାମରେ ପାଳିତ ହୋଇଥାଏ। ଶ୍ରଦ୍ଧାଳୁ ଭକ୍ତମାନେ ଉପବାସ ରହି ମନ୍ଦିର ପାଖରେ ଦୀପ ଜାଳି ଉଜାଗର ରହିଥାନ୍ତି।ବିଳମ୍ବିତ ରାତି ରେ ମନ୍ଦିର ଚୂଡା କୁ ମହାଦୀପ ଉଠି ସାରିବା ପରେ ନିଜ ବ୍ରତ ସମାପନ କରି ଶିବ ଶମ୍ଭୁ ଙ୍କ ଭୋଗ କୁ ଖାଇ ଥାନ୍ତି। ଶେଷ ହୋଇଥାଏ ମହା ଶିବରାତ୍ରୀ ବା ଜାଗର ଯାତ୍ରା। ଚଳିତ ବର୍ଷ ମହା ଶିବରାତ୍ରୀ ପାଳନ ପାଇଁ ଆମ ରାଜ୍ୟ ର ସମସ୍ତ ଶୈବ ପୀଠ ଉତ୍ସବ ମୁଖର ହୋଇପଡ଼ିଛି। ଓଁ ନମଃ ଶିବାୟଃ ।।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ