ମହିଳାଙ୍କୁ ଅପହରଣ ଓ ବଳାତ୍କାର ଉଦ୍ୟମ, ୫ଗିରଫ
ହାଟଡ଼ିହି : ବସକୁ ଅପେକ୍ଷା କରିଥିବା ଜଣେ ମହିଳା ଯାତ୍ରୀଙ୍କୁ ଅପହରଣ କରାଯାଇ ବଳାତ୍କାର ଉଦ୍ୟମ କରିବା ଓ ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିବା ଘଟଣା ସମଗ୍ର ଆନନ୍ଦପୁର ଉପଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ଯାଜପୁର ଅଞ୍ଚଳର ଜଣେ ମହିଳା ଆନନ୍ଦପୁରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସି ଯାଜପୁର ଫେରିବାକୁ ବସକୁ ଅପେକ୍ଷା କରିଥିବାବେଳେ ଶାଳପଡା କିଛି ଯୁବକ ତାଙ୍କୁ ଘରେ ଛାଡିଦେବାକୁ କହି ମହିଳାଙ୍କୁ ଶାଳପଡା ଜଳସେଚନ ବିଭାଗର ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କ୍ୱାଟରକୁ ନେଇ ଯାଇ ବଳାତ୍କାର ଉଦ୍ୟମ କରିଥିଲେ । କୌଣସି ସୁତ୍ରରୁ ଖବରପାଇ ଘସିପୁରା ପୁଲିସ ସେଠାରେ ପହଞ୍ଚିଯାଇ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହିତ ୫ଜଣଯାକ ଯୁବକଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି । ସଂପ୍ରତି ଅପହରଣ ଓ ବଳାତ୍କାର ଭଳି ଘଟଣାକୁ ନେଇ ହାଇଦ୍ରାବାଦରେ ପୁଲିସର ଏନକାଉଣ୍ଟର ଓ ନିର୍ଭୟା ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଫାସି ନିର୍ଦ୍ଦେଶ ଦିଆଯାଇଥିଲେବି ଅପରାଧି ମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନଥିବାରୁ ଦିନକୁ ଦିନ ଏହିପରି ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି ।