ମହିଳାଙ୍କୁ ବିଭତ୍ସ ହତ୍ୟା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ମହୁଡା ଗ୍ରାମ ନୂଆସାହିରେ ଘର କାନ୍ଥ ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ଅପରାହ୍ନରେ ଜଣେ ମହିଳାଙ୍କୁ ନିଜ ଘର ସମ୍ମୁଖରେ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ବିଜୟଲକ୍ଷ୍ମୀ ମହାନ୍ତି ଓରଫ୍ କୁନା (୫୫) ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗ୍ରାମରେ ମହିଳା ଜଣକ ଦୀର୍ଘବର୍ଷ ଧରି ରହିଆସୁଥିବା ବେଳେ ସେ ଅତିବାହିତ ଭାବରେ ଏକାକୀ ଜୀବନ କାଟୁଥିଲେ । ତେବେ ରହୁଥିବା ଘର କାନ୍ଥକୁ ନେଇ ପୂର୍ବରୁ ତାଙ୍କ ପଡୋଶୀ ରବିନ୍ଦ୍ର ନାହାକଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଶତ୍ରୁତା ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ମହିଳା ଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ରବିନ୍ଦ୍ର ଓ ତାଙ୍କ ପରିବାର ଲୋକେ ବିଜୟ ଲକ୍ଷ୍ମୀ ଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏସ୍ଆଇ ବଳଭଦ୍ର ଗଣ୍ଡ , ମାଧବ ଚନ୍ଦ୍ର ଟାକିରୀ , ଏ . ସ୍ବର୍ଣ୍ଣଲତା ପାତ୍ର ଙ୍କ ସମେତ ପୋଲିସ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଥାନା ମାମଲା ନଂ ୩୦୭/୨୧ ଦଫା ୩୦୨/୩୪ ଆଇପିସି ଅନୁସାରେ ମକଦ୍ଦମା ରୁଜୁ କରି ବୁଧବାର ସକାଳେ ପୋଲିସ ସାଇ ଣ୍ଟି ଫିକ ଟିମ୍ ର ତଦନ୍ତ ପରେ ମୃତ ମହିଳାଙ୍କ ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ହତ୍ୟାକାଣ୍ଡ ପରେ ଫେରାର ରହିଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।


