ମହିଳାଙ୍କୁ ହତ୍ୟା କରି ସୁନା ଅଳଙ୍କାର ଲୁଟ୍ ମାମଲା ;  ସ୍ଵାମୀଙ୍କ ସମେତ ୫ ଅଟକ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ଗ୍ରାମ ତଳସାହି ର ସୁଜାତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ  ସୋମବାର ଅପରାହ୍ନ ରେ ଘରେ ପଶି ହତ୍ୟା କରାଯାଇଥିଲା।  ହତ୍ୟା କରାଯିବା ପରେ ସେ ପିନ୍ଧିଥିବା   ସୁନାଗହଣା ଲୁଟି ନେଇଥିଲେ ଦୁର୍ବୃତ୍ତ । ମଙ୍ଗଳବାର ପୂର୍ବାହ୍ନ ରେ ବ୍ରହ୍ମପୁର ଏସ.ପି ପିନାକ ମିଶ୍ର  ଘଟଣାସ୍ଥଳ ଅନୁଧ୍ୟାନ ସହ କେ. ନୂଆଗାଁ ଥାନା ରେ ଅଟକ ଥିବା ସୁଜାତାଙ୍କ ସ୍ଵାମୀ କେଦାର ବେହେରା ଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା  କରି ଫେରିଥିବା ଜଣାପଡିଛି। ଅପରପକ୍ଷରେ କେଦାର ଙ୍କ ବଡ଼ ଭାଇ ପବିତ୍ର ବେହେରା ଏନେଇ  କେ. ନୂଆଗାଁ ଥାନାରେ ଏତଲା ଦେବାପରେ ଆଇ ଆଇ ସି ମାଧବାନନ୍ଦ ନାୟକ ଥାନା ମାମଲା ନଂ.୨୮୦/୨୦ ଦଫା – ୪୫୦/୩୦୨/୩୯୪ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଅଟକ ବ୍ୟକ୍ତି ମାନଙ୍କୁ ପୋଲିସ କୌଣସି ଏକ ଅଜଣା ସ୍ଥାନରେ ରଖି ମାରାଥନ ଜେରା କରିବା ପରେ ହତ୍ୟା ସମ୍ପର୍କରେ ଅନେକ ସୁରାକ  ହାସଲ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଖୁବ ଶୀଘ୍ର ଏହି ରହସ୍ୟଜନକ ହତ୍ୟାକାଣ୍ଡ ର ପର୍ଦ୍ଦାଫାସ ହେବ ବୋଲି ପୋଲିସ ଆଶାବାଦୀ ଥିବା ବେଳେ ଗଡ ଗୋବିନ୍ଦପୁର ଗ୍ରାମରେ ଏନେଇ ନାନା ଚର୍ଚ୍ଚା ଲାଗିରହିଛି। ମଙ୍ଗଳବାର ମଧ୍ୟାହ୍ନରେ ସୁଜାତାଙ୍କ ମୃତଦେହ ବ୍ରହ୍ମପୁର ବଡ ଡ଼ାକ୍ତରଖାନା ରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟାରେ ଗାଁ ଶ୍ମଶାନରେ ସୁଜାତାଙ୍କ ମୃତଦେହ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ସୋମବାର ପରିବାର ଲୋକେ ଧାନ କାଟିବାକୁ ଚାଷ ଜମିକୁ  ଯାଇଥିବା ବେଳେ ସୁଜାତା ଘରେ ଏକୁଟିଆ ଥିଲେ। ସେ ଘରେ ଏକୁଟିଆ ଥିବା ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଘରେ ପଶି ଏଭଳି ବିଭତ୍ସ କାଣ୍ଡ ଘଟାଇଥିବା ଜଣାପଡିଛି।ଅପରପକ୍ଷରେ ଘଟଣା ସମୟରେ ଘର ଦାଣ୍ଡ ରେ ସାହି ପଡୋଶୀ ଙ୍କ ଗହଳ ଚହଳ ଥିବା ବେଳେ ସୁଜାତା ଙ୍କୁ ଦୁର୍ବୃତ୍ତ ମାନେ କିଭଳି ଘରେ ପଶି ହତ୍ୟା କରି ପରେ ଫେରାର ହୋଇଗଲେ ତାହାକୁ ଗ୍ରାମବାସୀ ସହଜରେ ହଜମ କରିପାରୁ ନାହାନ୍ତି। ଦୁର୍ବୃତ୍ତ ମାନଙ୍କ ସହ ସୁଜାତାଙ୍କ ଦୀର୍ଘସମୟ ଧରି ଧସ୍ତାଧସ୍ତି ହୋଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲେ ମଧ୍ୟ ଏତେ ବଡ଼ ଗାଁ ରେ କେହି ମଧ୍ୟ ତାଙ୍କ ଚିତ୍କାର କିଭଳି ଶୁଣି ପାରିଲେ ନାହିଁ ସେ ନେଇ ଘଟଣା ସମ୍ପର୍କରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାହି ପଡୋଶୀ ଥିଲେ ମଧ୍ୟ  ପରିବାର ଲୋକେ ଜମିରୁ ଫେରିବା ପରେ ହିଁ ସୁଜାତା ସଂଜ୍ଞାହୀନ ଅବସ୍ଥାରେ ଅର୍ଦ୍ଧ ଉଲଗ୍ନ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାଙ୍କ ମୁହଁ ରେ ଗଭୀର ଆଘାତ ଲାଗିଥିବା ବେଳେ ହାତ ସମେତ ବିଭିନ୍ନ ସ୍ଥାନରେ କାମୁଡ଼ା ଚିହ୍ନ ରହିଥିଲା । ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ସୁଜାତା ଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ