ମହିଳାଙ୍କୁ ହତ୍ୟା କରି ସୁନା ଅଳଙ୍କାର ଲୁଟ୍ ମାମଲା ; ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ଗ୍ରାମ ତଳସାହି ର ସୁଜାତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ଗତ ସୋମବାର ଅପରାହ୍ନ ରେ କେହି ଦୁର୍ବୃତ୍ତ ଘର ମଧ୍ୟରେ ହତ୍ୟା କରି ଫେରାର ହୋଇଯାଇଥିଲେ। ଏପରିକି ମହିଳା ଙ୍କ ବେକରୁ ସୁନା ଅଳଙ୍କାର ଲୁଟ କରାଯାଇଥିଲା। କେ. ନୂଆଗାଁ ଥାନା ପୋଲିସ ଶନିବାର ଏହି ଜଘନ୍ୟ ଘଟଣାର ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ତଣ୍ଡିପୁର ଗ୍ରାମର ସୁଜାତାଙ୍କ ସମ୍ପର୍କୀୟ ଭାଇ ହେମନ୍ତ କୁମାର ବେହେରା । ଗାଁ ର ପୋଖରୀ ନିକଟ ପଥର କୁଆରୀ ରେ ହେମନ୍ତ ଲୁଚାଇ ରଖିଥିବା ସୁନା ନାନୁ ମାଳି ଏବଂ ଏକ କଲ୍ ଭର୍ଟ ତଳେ ଫୋପାଡି ଥିବା ରକ୍ତଭିଜା ସାର୍ଟ କୁ ପୋଲିସ ଜବତ କରିଛନ୍ତି । ଥାନା ମାମଲା ନଂ.୨୮୦/୨୦ ଦଫା – ୩୦୨/୪୫୦/୩୯୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ତଦନ୍ତକାରୀ ପୋଲିସ ଅଧିକାରୀ ତଥା କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ଙ୍କ ସୂଚନାନୁସାରେ ଗତ କିଛି ଦିନ ପୂର୍ବେ ହେମନ୍ତଙ୍କ ଭଉଣୀ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ନିଖୋଜ ସମ୍ପର୍କ ରେ ସୁଜାତା ସବୁକିଛି ଜାଣିଥିଲେ ମଧ୍ୟ କାହାରିକୁ କିଛି ସୂଚନା ଦେଇନଥିଲେ। ଏହି କାରଣରୁ ପ୍ରତିଶୋଧ ପରାୟଣହୋଇ ସୁଜାତା ଙ୍କୁ ହତ୍ୟା କରିବା ପାଇଁ ହେମନ୍ତ ବିସ୍ତୃତ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରି ସୁଯୋଗ ଖୋଜୁଥିଲେ। ଦୈବାତ ସୁଜାତାଙ୍କ ଭାଇ ଶଙ୍କର ଗତ ସୋମବାର ସକାଳେ ହେମନ୍ତ ଙ୍କୁ ଧାନ କାଟିବାକୁ ଗଡ ଗୋବିନ୍ଦ ପୁର ରେ ରହୁଥିବା ଭିଣୋଇ କେଦାର ବେହେରା ଙ୍କ ଘରକୁ ଡାକି ନେଇଥିଲେ। ସେଠାରେ ସକାଳ ଭୋଜନ ସାରିବା ପରେ ସମସ୍ତେ ମିଶି ଗାଁ ନିକଟ ଚାଷ ଜମିକୁ ଧାନ କାଟିବାକୁ ଯାଇଥିଲେ। ନୂଆ ବୋହୂ ସୁଜାତା ଘରେ ଏକୁଟିଆ ଥିଲେ। ହେମନ୍ତ ଗୁଟଖା କିଣି ଆଣିବା ବାହାନା ରେ ଧାନ ଜମିରୁ ସିଧା ସୁଜାତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ସୁଜାତା ନିଜେ ଖାଇବାକୁ ଭାତ ବାଢୁଥିବା ବେଳେ ତାଙ୍କୁ ଶୋଇବା ଘର ଖଟ ଉପରକୁ ଟେକି ନେଇ ହେମନ୍ତ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସୁଜାତା ପ୍ରତିବାଦ କରିବାରୁ ସେ ନିସ୍ତୁକ ମାଡ଼ ମାରି ଦରମରା କରି ପକାଇଥିଲେ।ପାଟି କରିବାରୁ ତାଙ୍କୁ ତଳେ ପକାଇ ମାଡ଼ି ବସିଥିଲେ।ସୁଜାତା ତାଙ୍କ ହାତ ଦୁଇଟିକୁ ଧରିଦେବାରୁ ସେ ତାଙ୍କୁ କାମୁଡ଼ି ଖଣ୍ଡିଆ ଖାବରା କରିବାକୁ ପଛାଇନଥିଲେ। ସୁଜାତା ଲହୁ ଲୁହାଣ ହୋଇ ମୂର୍ଚ୍ଛା ହୋଇଯିବା ପରେ ବେକରେ ଗୋଡ଼ ପକାଇ ତାଙ୍କୁ ମାରି ଦେଇଥିଲେ। ପରେ ସେ ବେକରେ ପିନ୍ଧିଥିବା ସୁନା ର ନାନୁମାଳି କୁ ଛିଣ୍ଡାଇ ଚମ୍ପଟ ମାରିଥିଲେ। ସ୍ଵାମୀ ଓ ପରିବାର ଲୋକେ ଜମିରୁ ଘରକୁ ଫେରିବା ପରେ ସୁଜାତା ସଂଜ୍ଞାହୀନ ଅବସ୍ଥାରେ ଉଲଗ୍ନ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁହଁ ରେ ଗଭୀର ଆଘାତ ଲାଗିଥିବା ବେଳେ ହାତ ସମେତ ବିଭିନ୍ନ ସ୍ଥାନରେ କାମୁଡ଼ା ଚିହ୍ନ ରହିଥିଲା। ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ସୁଜାତା ଙ୍କୁ ମୃତ ଘୋଷଣା କରିଥିଲେ।


