ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଂଚଳ ନୁଆଁଗଡ଼ ଗ୍ରାମରୁ ହିଞ୍ଜିଳି ପୁଲିସ ଶନିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଝୂଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣକ ସୁନିଳ ସେଠିଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ (୨୨) । ଏ ନେଇ ହିଞ୍ଜିଳି ଥାନାରେ ନଂ-୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି ।ପ୍ରକାଶ ଯେ, ସ୍ଥାନୀୟ ପୌରାଂଚଳ ନୁଆଁଗଡ଼ ଗ୍ରାମର ସୁନିଳ ସେଠିଙ୍କ ପରିବାର ସଦସ୍ୟ କାମକୁ ଯାଇଥିବା ବେଳେ ମହିଳା ଜଣକ ଘର ଛାତ ହୁକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି । ଘର ମଧ୍ୟରୁ ଶିଶୁଟିର କାନ୍ଦ ଶୁଣି ସାହି ପଡ଼ୋଶୀ ଡ଼ାକ ପକାଇଥିଲେ । କୌଣସି ଉତର ନମିଳିବାରୁ ଝରକା ଫାଙ୍କରେ ମହିଳାଙ୍କୁ ଝୁଲନ୍ତା ମୃତଦେହକୁ ଦେଖିଥିଲେ । ଏ ନେଇ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ମାଜିଷ୍ଟେଟ(ତହସିଲଦାର) ଜନ୍ମେଜୟ ସାହୁଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ୧୧ମାସର ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ମୃତଦେହକୁ ଜବତ କରିଥିଲେ । ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା ନେଇ ଗ୍ରାମରେ ଚର୍ଚ୍ଚା ଚାଲିଛି । ମହିଳାଙ୍କ ବାପା ଘରକୁ ପୁଲିସ ଖବର ପଠାଇ ଘଟଣାର ତଦନ୍ତ ଚଲାଇଛି । ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।