ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ପୁରା ବିଶ୍ୱରେ ମହିଳାମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି ବିଷୟକୁ ନେଇ ସଚେତନ ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ଓ ସରକାରୀ ଆଇ.ଟି.ଆଇ. ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ. ଛାତ୍ରୀ ନିବାସ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥିମାନଙ୍କ ଗହଣରେ ବୃନ୍ଦାବତୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡଃ. ସନ୍ଧ୍ୟାରାଣୀ ଦାସ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ୍ କ୍ୟାମ୍ପସର ପ୍ରଧାନ ଶିକ୍ଷୟତ୍ରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର, ସିଦ୍ଧ ଭୈରବୀ ଉଚ୍ଚ ମହାବିଦ୍ୟାଳୟର ସ୍କାଉତ୍ ଓ ଗାଇଡ ରେଞ୍ଜର ମୋନାଲିସା ଦାସ ଓ ବ୍ରହ୍ମପୁର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହାୟକ ପରିବେଶ ବୈଜ୍ଞାନିକ ମିସ୍ ପୁନମ ବେହେରା ପ୍ରମୁଖ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ସହ ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ ଅଧିକାର, ସମାନତା, ସଶକ୍ତିକରଣ ଉପରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ସମସ୍ତ ମହିଳାଙ୍କୁ ସ୍ୱାଭିମାନୀ ହେବାକୁ ଗୁରୁତ୍ୱ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ୱରେ ନାରୀ ଶକ୍ତିକୁ ଦୃଢତାର ସହ ସହଯୋଗ କରିବା ପାଇଁ ଚେଷ୍ଟା କରିବା ଆମର ମୂଳ ଲକ୍ଷ୍ୟ । ଆଇ.ଟି.ଆଇ.ର ଏ.ଟି.ଓ. ସୁଚିତ୍ରା ମିଶ୍ର ଓ ସୁନନ୍ଦା ବେହେରାଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯିବା ସହ ଯୁବ ସାମ୍ବାଦିକା ଇତିଶ୍ରୀ ପାତ୍ରଙ୍କୁ ତାଙ୍କରି କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ୪୦୦ ଜଣ ଆଇ. ଟି.ଆଇ. ଛାତ୍ରୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟ ଓ ଅତିଥି ମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏଥିରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ସ୍ନିଗ୍ଧାରାଣୀ ମହାରଣା, ମିନତି ପଟ୍ଟନାୟକ ଓ ଆଇ.ଟି.ଆଇ. ର ସଦସ୍ୟଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ