ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର ଓ ଚେନ୍
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ ଦମ୍ପତି ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ମୋଟର ସାଇକେଲରେ ଯାଉଥିବା ବେଳେ ୨ ଲୁଟେରା ଦମ୍ପତିଙ୍କ ପିଛା କରି ମହିଳାଙ୍କ ବେକରୁ ସୁନାଚେନ୍ ଓ ହାର ଲୁଟି ନେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଗୋଳନ୍ଥରା ଥାନା କନିଷିହାଟ ଗ୍ରାମର ରବି ଚୌଧୁରୀ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ଚୌଧୁରୀ ୧୪ ତାରିଖ ଅପରାହ୍ନରେ ମୋଟର ସାଇକେଲ ଯୋଗେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ହିଞ୍ଜିଳି ଥାନା ପୋଚିଲିମା- ସୋମପୁର ମଧ୍ୟବର୍ତ୍ତୀ ସନ୍ତୋଷୀ ମା’ମନ୍ଦିର ନିକଟରେ ହେଲମେଟ ଓ ମାସ୍କ ପରିଧାନ କରିଥିବା ୨ ଜଣ ଦୁବୃର୍ତ୍ତ ମୋଟର ସାଇକେଲ ଯୋଗେ ଆସି ଦମ୍ପତିଙ୍କୁ ଆସିକା ଯିବା ପାଇଁ ରାସ୍ତା ପଚାରିଥିଲେ। ପରେ ମହିଳାଙ୍କ ବେକରୁ ପ୍ରାୟ ଅଢେଇ ଭରି ଓଜନର ଏକ ସୁନା ଚେନ ଓ ଗୋଟିଏ ହାର ଝାମ୍ପିନେଇ କ୍ଷିପ୍ର ଗତିରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣା ନେଇ ରବି ଚୌଧୁରୀ ସୋମବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୯୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।