ମହିଳାଙ୍କ ସୁରକ୍ଷା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଉନ୍ନାଓ, ହାଇଦ୍ରାବାଦ୍ ଓ ପୁରୀ ଦୁଷ୍କର୍ମ ଘଟଣା ପରେ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ମହିଳାଙ୍କ ସମସ୍ତ ପ୍ରକାର ଅଭିଯୋଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କଡା ତାଗିଦ୍ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ମହିଳା ଓ ଝିଅଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବା ଗୃହସଚିବ ଅଜୟ କୁମାର ଭଲ୍ଲା ରାଜ୍ୟ ସରକାରମାନଙ୍କୁ ଏ ସମ୍ପର୍କରେ ପତ୍ରଲେଖି ଜଣାଇଛନ୍ତି।
ଦେଶରେ ଏଭଳି ଅପରାଧ ନିୟନ୍ତ୍ରଣ ଲାଗି ସରକାର ସାମ୍ବିଧାନିକ ପ୍ରାବଧାନକୁ ମଜଭୁତ କରିବା ଲାଗି ଉଦ୍ୟମ କରୁଥିବା ଗୃହ ସଚିବ ପତ୍ରରେ ସୂଚିତ କରିଥିବା ବେଳେ ଏଥି ଲାଗି ପୋଲିସକୁ କଡା ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଯେପରି ପୋଲିସ ପ୍ରତି ମୂହୁର୍ତ୍ତରେ ଏଭଳି ଅଭିଯୋଗର ମୁକାବିଲା ଲାଗି ଉପଲବ୍ଧ ହୁଏ ଓ ଖୁବ୍ ସ୍ୱଳ୍ପ ସମୟରେ ମାମଲାର ସମାଧାନ କରେ ସେଥିଲାଗି ଯତ୍ନବାନ ହେବାକୁ ବି ଗୃହସଚିବ ପରାମର୍ଶ ଦେଇଛନ୍ତି। ଯଦି କୌଣସି କ୍ଷେତ୍ରରେ ପୋଲିସ ବିଫଳ ହୁଏ ତେବେ ଏହାକୁ ବିଫଳତା ବୁଝାଯିବା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ପୋଲିସ କର୍ମଚାରୀଙ୍କୁ ଆବଶ୍ୟକତା ସ୍ଥଳେ ରିଫ୍ରେସର କୋର୍ସ କରାଇବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟରେ ଥିବା ଇନଭେଷ୍ଟିଗେସନ ଟ୍ରାକିଙ୍ଗ ସିଷ୍ଟମ ଫର ସେକ୍ସୁଆଲ ଅଫେନସ (ଆଇଟିଏସଏସଓ)କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ମୁଖ୍ୟ ଶାସନ ସଚିବ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।


