ମହିଳା ଅଫିସରଙ୍କୁ ଗୁଳି
ଚଣ୍ଡିଗଡ଼(ଏଜେନ୍ସି): ପଞ୍ଜାବ ସରକାରଙ୍କ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଡିଏ)ର ଜଣେ ୩୬ ବର୍ଷୀୟା ମହିଳା ଅଫିସର ନେହା ଶୋରେଙ୍କୁ ଅଫିସ୍ ମଧ୍ୟରେ ଗୁଳି କରି ହତ୍ୟା କରାଯାଇଛି । ୧ଠ ବର୍ଷ ତଳେ ବେଆଇନ ଭାବେ ଔଷଧ ବିକ୍ରି କରୁଥିବା ବଲୱିନ୍ଦର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଲାଇସେନ୍ସ ନେହା ବାତିଲ୍ କରିଦେଇଥିଲେ । ଏହାର ପ୍ରତିଶୋଧ ନେବାକୁ ବଲୱିନ୍ଦର ଯୋଜନା କରିବା ସହ ଖାରର ସ୍ଥିତ ନେହାଙ୍କ ଅଫିସ୍କୁ ଆସିଥିଲା । ଏହାପରେ ସେ ହାପି ହୋଲି କହିବା ସହ ନେହାଙ୍କ ଛାତିକୁ ଲକ୍ଷ୍ୟ କରି ଦୁଇରାଉଣ୍ଡ୍ ଗୁଳି ଚଳାଇଥିଲା । ଗୁଳି କରି ସାରିବା ପରେ ବଲୱିନ୍ଦର ଖସିଯିବାକୁ ଉଦ୍ୟମ କରିଥିଲା । ହେଲେ ଅଫିସ୍ ବାହାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ । ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ବଲୱିନ୍ଦର ଗୁଳି କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସେଥିରେ ସକ୍ଷମ ହୋଇନଥିଲା । ଶେଷରେ ସେ ନିଜେ ନିଜକୁ ଗୁଳି କରିଦେଇଥିଲା । ବଲୱିନ୍ଦରଙ୍କୁ ହସ୍ପିଟାଲ୍ ନିଆଯାଇଥିଲେହେଁ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା ।
୨ଠଠ୯ରେ ନେହା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଏହି ସମୟରେ ବଲୱିନ୍ଦରଙ୍କ ଔଷଧ ଦୋକାନ ଉପରେ ମଧ୍ୟ ଚଢ଼ାଉ ହୋଇଥିଲା । ଏଥିସହ ବଲୱିନ୍ଦରଙ୍କ ଲାଇସେନ୍ସକୁ ମଧ୍ୟ ନେହା ରଦ୍ଦ କରିଦେଇଥିଲେ । ସେବେଠାରୁ ନେହା ଓ ବଲୱିନ୍ଦରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଅନେକ ସମୟରେ ବଲୱିନ୍ଦର ନେହାଙ୍କୁ ଅଫିସ୍କୁ ଆସି ଲାଇସେନ୍ସ ପାଇଁ ଆବେଦନ କରୁ୍ଥିଲେ ହେଲେ ଏହାକୁ ନେହା ଗ୍ରହଣ କରୁନଥିବା ଜଣାପଡ଼ିଛି । ନେହାଙ୍କ ଘର ପଞ୍ଚକୁଲାରେ ହୋଇଥିବା ବେଳେ ବଲୱିନ୍ଦରଙ୍କ ଘର ମୋରିଣ୍ଡାରେ ବୋଲି ଜଣାପଡ଼ିଛି । ଘଟଣା ସମୟରେ ନେହାଙ୍କ ସହ ତାଙ୍କ ୬ ବର୍ଷୀୟ ଝିଆରୀ ମଧ୍ୟ ଅଫିସ୍ରେ ଥିଲେ ।