ମହିଳା ଉତ୍ପୀଡନକାରୀ ନବୀନଙ୍କ ମହିଳା ସଶକ୍ତିକରଣ ଅଭିଯାନର ସାରଥୀ : ଧର୍ମେନ୍ଦ୍ର
ଭୁବନେଶ୍ୱର : ମହିଳା ଉତ୍ପୀଡନକାରୀ ନବୀନଙ୍କ ମହିଳା ସଶକ୍ତିକରଣ ଅଭିଯାନର ସାରଥୀ ସାଜିଛନ୍ତି ବୋଲି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ଘୋଷଣା କରିଥିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଆଗାମୀ ୫ ବର୍ଷରେ ଓଡିଶାର ମା’ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଣ କରିବେ ବୋଲି ତଥ୍ୟ ରଖିବା ବଦଳରେ ବିଗତ ୧୯ ବର୍ଷ ହେଲା ମହିଳାଙ୍କ ପାଇଁ କଣ କରିଛନ୍ତି ତାହାର ତଥ୍ୟ ରଖୁନାହାଁନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । । ରାଜ୍ୟକୁ ନିନ୍ଦିତ କରିଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ଟିକେଟ୍ ଦେଇଛନ୍ତି । ମହିଳା ଉତ୍ପୀଡନକାରୀ ଓ ଓଡିଶାକୁ ଲଜ୍ଜିତ କରିଥିବା ବ୍ୟକ୍ତିମାନଙ୍କୁ ବିଧାନସଭା ଟିକେଟ ଦେବା କଣ ମହିଳାଙ୍କୁ ସମ୍ମାନ ? ପିପିଲି ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ମୁଖ୍ୟ ସଂରକ୍ଷକ, ମହିଳାଙ୍କୁ ଅକଥନୀୟ ଅତ୍ୟାଚାରର ପ୍ରତିଛବି ଭୁବନେଶ୍ୱରର ନେତା, ନବୀନ ନିବାସ ଆଗରେ ଆତ୍ମହୁତି ଉଦ୍ୟମ କରିଥିବା ମହିଳାଙ୍କୁ ଅସଦାଚାରଣ କରିଥିବା ବ୍ୟକ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିବା କି ପ୍ରକାର ମହିଳାଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳାଙ୍କ ପାଇଁ କଣ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ବିଜେପି ନିର୍ବାଚନୀ ଇସ୍ତାହାର ଆଣିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ କପି କରି କହିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ କଥା କହି ମହିଳା ସଶକ୍ତିକରଣ କଥା କହୁଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେତେଦିନ ସରକାରୀ ଟଙ୍କାକୁ ନିର୍ବାଚନ ପୂର୍ବରୁ ଦେଉଥିବେ, ମହିଳାମାନେ କଣ ନିଜ ଗୋଡରେ ଠିଆ ହେବେ ନାହିଁ? ମହିଳାଙ୍କୁ ବ୍ୟବସାୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଗାମୀ ୫ ବର୍ଷରେ ୫୦୦ କୋଟିର ଲାଭ କଥା ବଦଳରେ ୫ ହଜାର ଓ ୫୦ ହଜାର କୋଟି କଥା କାହିଁକି କହି ।ରୁନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ମୋଦିଙ୍କ ସରକାର ଓଡିଶାର ମା’ ଭଉଣୀଙ୍କ ପାଇଁ ପରିବାର ପିଛା ୧୨ ହଜାର ଟଙ୍କା ଶୌଚାଳୟ ନିର୍ମାଣ କରିବାକୁ ପଇସା ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି କାମ କରେଇ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।


