ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା
ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ମହିଳା ଓ ଶିଶୁ ବିକାଶ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା ଅଧ୍ୟକ୍ଷତା କରି ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ସବୁ ବର୍ଗର ହିତାଧିକାରୀଙ୍କ ଆଧାର ସିଡିଂକୁ ଶତପ୍ରତିଶତ କରିବା ପାଇଁ କହିଛନ୍ତି । ଜିଲ୍ଲାର ଗର୍ଭବତୀ, ପ୍ରସୂତି ଓ ୭ମାସରୁ ୬ ବର୍ଷ ସମସ୍ତ ଶିଶୁଙ୍କ ଆଧାର ସିଡିଂ କରାଗଲେ ସରକାରଙ୍କ ସମସ୍ତ ଯୋଜନା ପାଇବାରେ ସୁବିଧା ହୋଇପାରବି । ସେହିପରି ଜିଲ୍ଲାର ଚିହ୍ନଟ ହୋଇଥିବା ଅତିଶୟ ପୁଷ୍ଟିହୀନତା ୩୪ ଜଣ ଶିଶୁଙ୍କୁ ଉତ୍ତମ ଚିକିତ୍ସା ସହ ଅଧିକରୁ ଅଧିକ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ କୁହାଯାଇଛି । ଯେଉଁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବିଦ୍ୟାଳୟ ସହ ମିଶ୍ରଣ ହୋଇଛି ସେ ଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ବିଶେଷ କରି ବ୍ରହ୍ମପୁର ମହାନଗର ନିଗମରେ ଏଭଳି ମିଶ୍ରଣ ରହିଥିବା କେନ୍ଦ୍ର ଗୁଡିକ ସଂଖ୍ୟା ଅଧିକ ରହିଛି । ମିଶ୍ରଣ ଥିବା ବିଦ୍ୟାଳୟ ଗୁଡିକ କମ୍ ଉପସ୍ଥାନ ଥିବା ନେଇ ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକୁ କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ନିଆଯିବ । ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପିଲାଙ୍କ ଉପସ୍ଥାପନକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ । ପିଲା, ଗର୍ଭବତୀ ଓ ପ୍ରସୂତି ମହିଳା ଯେଉଁ ଗରମ ରନ୍ଧା ଖାଦ୍ୟ ଦିଆଯାଉଛି ତାହାକୁ କ୍ୱାଲିଟିକୁ ନୀରିକ୍ଷଣ କରିବାକୁ ହେବ । ଜିଲ୍ଲାରେ ଭଡାରେ ଚାଲିଥିବା ୬୪୦ ଅଙ୍ଗନବାଡି କେନ୍ଦ୍ରର କୋଠା ସ୍ଥିତି ଅନୁଧ୍ୟାନ କରାଯିବ ଆବଶ୍ୟକ ସ୍ଥଳେ ମରାମତି ଦିଗରେ ମଧ୍ୟ ଧ୍ୟାନ ଦିଆଯିବ । ସେହିପରି ନିର୍ମାଣଧୀନ ଅଙ୍ଗନବାଡି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ହେବ ଏବଂ ଆଦୌ କାମ ଆରମ୍ଭ ନ ହୋଇଥିବା ନୂତନ କୋଠାର ନିର୍ମାଣ କାମ ଆରମ୍ଭ କରିବାକୁ କୁହାଯାଇଛି । ସେହିପରି ଜିଲ୍ଲାରେ ଖାଲି ପଡିଥିବା ଅଙ୍ଗନବାଡି କର୍ମୀ ଓ ହେଲପର ପଦବି ତୁରନ୍ତ ପୂରଣ କରିବା ପାଇଁ ସଚିବ ଶ୍ରୀ ଶର୍ମା କହିଛନ୍ତି । ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ୫୧୬୧ ଅଙ୍ଗନବାଡି କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ୩୪୪୭ କୋଠାର ନିର୍ମାଣ କାମ ଶେଷ ହୋଇଛି । ୫୮୦ ଟି କେନ୍ଦ୍ରର ନିର୍ମାଣ କାମ ବିଲକୁଲ ଆରମ୍ଭ ହୋଇନାହିଁ । ସେହିପରି ୫୧୬୧ ଅଙ୍ଗନବାଡି କର୍ମୀ ମଧ୍ୟରୁ ୬୮ କର୍ମୀଙ୍କ ପଦବି ଖାଲି ପଡିଥିବା ବେଳେ ୫୦୭୧ ହେଲପର୍ ସ୍ଥାନରେ ୧୯ ଜଣ ହେଲପର ପଦବି ଖାଲି ପଡିଛି । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ସମସ୍ତ ସିଡିପିଓମାନେ ଉପସ୍ଥିତ ଥିଲେ ।