ମହିଳା ଗୋଷ୍ଠିଙ୍କୁ ଋଣ ଯୋଗାଇବ ଓସାଫି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରିବା ସହିତ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଯେଉଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନେ ବ୍ୟାଙ୍କରୁ ଋଣ ପାଇପାରି ନାହାନ୍ତି ସେମାନଙ୍କ ନିମନ୍ତେ ଓସାଫି ପକ୍ଷରୁ ଅଭିନବ ଉପାୟରେ ଋଣ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଓସାଫି ସମବାୟ ସଙ୍ଘ ପକ୍ଷରୁ ସେହିସବୁ ଗୋଷ୍ଠି ଗୁଡିକୁ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଓସାଫି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାଙ୍କରୁ ଋଣ ପାଇନଥିବା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ନିମନ୍ତେ ଋଣ ପ୍ରଦାନ ନିମନ୍ତେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଗରାପୁରସ୍ଥିତ ମୟୁରୀ ପ୍ୟାଲେସ ହୋଟେଲ ପରିସରରେ ଅନୁଷ୍ଠିତ ପତ୍ରକାର ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସାଫିର କର୍ମକର୍ତ୍ତାମାନେ । ରାଜ୍ୟର ପ୍ରାୟ ୭୦ଭାଗ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ବିଭିନ୍ନ ବ୍ୟାଙ୍କରୁ ଋଣନେଇ ଆର୍ଥିକ ସ୍ୱାବଲମ୍ବି ହୋଇପାରିଥିବା ବେଳେ ଆହୁରି ୩୦ ପ୍ରତିଶତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ସେଥିରୁ ବଂଚିତ ହୋଇଥିବା ଦେଖାଯାଇଛି । ସେହି ବଂଚିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟସରକାରଙ୍କ ସହଯୋଗରେ ଓସାଫି ପକ୍ଷରୁ ଋଣ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଓସାଫିରେ ଅନୁବନ୍ଧିତ ସଂସ୍ଥା ଗୁଡିକ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରୁ ଋଣ ଆଣି ଋଣ ପାଇବାରୁ ବଂଚିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଅନୁଯାଇ ଋଣ ପ୍ରଦାନ କରିବେ ବୋଲି ଓସାଫିର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକ ସୂଚନା ଦେଇଥିଲେ । ଏହି ପ୍ରକ୍ରୀୟାକୁ ଅଧିକରୁ ଅଧିକ କ୍ରୀୟାଶୀଳ କରିବା ପାଇଁ ସଂପୃକ୍ତ ସଂସ୍ଥାର କର୍ମଚାରୀମାନେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ନିକଟକୁ ଯାଇ ସେମାନଙ୍କୁ ସଚେତନ କରି ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ କରିବାକୁ ପ୍ରଚେଷ୍ଟା ହେବ ବୋଲି କହିଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମଉଥାନର ଉପସଭାପତି ଗୋବିନ୍ଦ ଚନ୍ଦ୍ର ଦାଶ,ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ,ଫ୍ୟୁଜନ ମାଇକ୍ରୋ ଫାଇନାନ୍ସର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଋଷ୍ୟଶୃଙ୍ଗ ସାହୁ,ଆଚଂଳିକ ପରିଚାଳକ ରତ୍ନାକର ପାଣିଗ୍ରାହୀ,ବି.ପି.ଆଇ.ଏଲ.ର ଆଚଂଳିକ ପରିଚାଳକ ଦିଲ୍ଲିପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


