ମହିଳା ଦିବସରେ କବୟିତ୍ରୀ ବନ୍ଦନା ବିଶ୍ୱାସଙ୍କ କବିତା ପୁସ୍ତକ ଉନ୍ମୋଚନ
ବାଲେଶ୍ୱର : ଉକ୍ରଳ ମହିଳା ସମିତି, ବାଲେଶ୍ୱର ଶାଖା ତରଫରୁ ସ୍ଥାନୀୟ ଉଠାଜଳ ସେଚନ କର୍ମଚାରୀ ଭବନ ସଭାଗୃହରେ ବିଶ୍ୱ ମହିଳା ଦିବସ ଓ କବୟିତ୍ରୀ ବନ୍ଦନା ବିଶ୍ୱାସଙ୍କ ପ୍ରଥମ କବିତା ସଂକଳନ ‘ସଂଗ୍ରାମ’ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ତଥା ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ‘ଅଳକାନନ୍ଦା’ ପତ୍ରିକାର ସଂପାଦକ କବି ବାଂଛାନିଧି ଦାସ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ସମୀକ୍ଷକ ଭାବରେ କବୟିତ୍ରୀଙ୍କର ପ୍ରକାଶିତ କବିତା ଗୁଡ଼ିକଉପରେ ଆଲୋକପାତ କରି ସମସ୍ତ କବିତାରେ ସମାଜର ଦୁର୍ବଳ ଶ୍ରେଣୀ ମଣିଷର ଯନ୍ତ୍ରଣା ଓ ଅସମାନତା ବିରୁଦ୍ଧରେ ପ୍ରତିବାଦର ସ୍ୱର ପ୍ରତିଫଳିତ ହୋଇଛି ବୋଲି ମତପ୍ରକାଶ କରିଥିଲେ । ବରିଷ୍ଠ ଆଇନଜୀବୀ ମନୋଜ ନାୟକ, ସମାଜସେବୀ ତ୍ରୈଲୋକ୍ୟନାଥ ଦାସ, ସରସ୍ୱତୀ ପଣ୍ଡା, ଶିକ୍ଷକ ନେତା ମଧୁସୂଦନ ମାଝି, କବି ରମେଶ ଜେନା ଓ ରବିନାରାୟଣ ମିଶ୍ର କବିତାଗୁଡ଼ିକ ଉପରେ ସେମାନଙ୍କର ମତପ୍ରଦାନ କରି ସମାଜରେ ନିଷ୍ପେସିତ ମଣିଷର ଜୀବନଯନ୍ତ୍ରଣା ଉପରେ ପର୍ଯ୍ୟବେସିତ ବୋଲି କହିଥିଲେ । ପୁସ୍ତିକାର ପ୍ରକାଶକ ଯତିନ୍ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।