ମହିଳା ଦୁଗ୍ଧ ଉତ୍ପାଦିକା ଗୋଷ୍ଠିଙ୍କୁ ଜିଲ୍ଲା ବାହାରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ରାଇଡର ପ୍ରୟାସ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ମହିଳା ଦୁଗ୍ଧ ଉତ୍ପାଦିକା ଗୋଷ୍ଠିଙ୍କୁ ଜିଲ୍ଲା ବାହାରେ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ ରାଇଡ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ନୂତନ ପ୍ରୟାସ ଆରମ୍ଭ କରାଯାଇଛି । ନାବାର୍ଡ ଓ ରାଇଡ ସ୍ୱେଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଓ ଅଙ୍ଗୁଳାଇ ପଞ୍ଚାୟତରେ ଦୁଇଟି ଦୁଗ୍ଧ ଉତ୍ପାଦିକା ଗୋଷ୍ଠି ଗଠନ କରାଯାଇଛି । ମେସିନ ସାହାଯ୍ୟରେ ଦୁଗ୍ଧରୁ କିଭଳି ଲହୁଣୀ, ଘିଅ, ଛେନା, ଦହି, ରାବିଡି, ପେଡା ଓ ରସାବଳି ପ୍ରସ୍ତୁତ କରାଯାଇପାରିବ ସେଥିପାଇଁ ଏକ ଡେମନଷ୍ଟ୍ରେସନ ୟୁନିଟ ଉଦଘାଟିତ ହୋଇଯାଇଛି । ଅଙ୍ଗୁଳେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ପରିଚାଳକ ସୁଦିପ୍ତ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଏହି ୟୁନିଟକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାବାର୍ଡର ଡିଡିଏମ ଅଶୋକ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମାର୍ଶାଘାଇ ବ୍ଲକ ପଶୁସମ୍ପଦ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମହାରଣା, କୁହୁଡି ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସେକ ସକିଲ, ରାଇଡର ସମ୍ପାଦକ କିଶୋର କୁମାର ସାହୁ ଓ ସି.ଆର.ପି.ବାବିନି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ୟୁନିଟର ମହିଳା ଦୁଗ୍ଧ ଉତ୍ପାଦିକା ଗୋଷ୍ଠିଙ୍କ ବିଭିନ୍ନ ଉତ୍ପାଦକ ସାମଗ୍ରୀକୁ ରାଇଡ ପକ୍ଷରୁ ଜିଲ୍ଲା ବାହାରେ ମାର୍କେଟିଂ କରାଯିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସମ୍ପାଦକ ଶ୍ରୀ ସାହୁ କହିଛନ୍ତି ।


