ମହିଳା ମହାସଂଘର ଦୁର୍ନୀତି ଏବଂ ମଦ ବିରୋଧୀ ଅଭିଯାନ
ଭବାନୀପାଟଣା : ସରକାର ଗୋଟିଏ ପଟରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ଅନ୍ୟ ପଟରେ ମଦ ଦ୍ବାରା ନିଶାଶକ୍ତ ଏହି ସମାଜରେ ଆଜି ମଧ୍ୟ ନାରୀ ଅସୁରକ୍ଷିତ।ହିଂସା, ବଳତ୍କାର ଭଳି ଜଘନ୍ୟ ଅପରାଧ ମଧ୍ୟ ଦିନକୁ ଦିନ ବଢି ଚାଲିଥିବା ଫଳରେ ବିଶୃଙ୍ଖଳିତ ସମାଜ ଭିତରେ ନାରୀ ଆଜି ନିର୍ଯ୍ୟାତନା ଶିକାର ହୋଇ ଅସହାୟ ହୋଇପଡିଛି।ଏଥିପାଇଁ ସରକାର ସଚେତନତାର ସହ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।କିନ୍ତୁ ମହିଳା ମାନେ ସମାଜର ଏହି ଅସହ୍ୟ ଅତ୍ୟାଚାର ଓ ନିର୍ଯ୍ୟାତନା ବିରୁଦ୍ଧରେ ଏକତ୍ରିତ ହୋଇ ଦୁର୍ନୀତି ଓ ମଦ ବିରୋଧୀ ଅଭିଯାନ ତଥା ଆନ୍ଦୋଳନ ମାଧ୍ୟମରେ ସ୍ବର ଉତ୍ତୋଳନ କରିଚାଲିଛନ୍ତି।ଏଭଳି ଏକ ଆନ୍ଦୋଳନ ମୁଣ୍ଡ ଟେକିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତରେ।ଏହି ପଞ୍ଚାୟତରେ ଥିବା ବିଭିନ୍ନ ଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ଏକତ୍ରିତ ହୋଇ ମହିଳା ମହାସଂଘ ଗଠନ କରି ଦୁର୍ନୀତି ଓ ମଦ ବିରୋଧୀ ଅଭିଯାନ ଜାରି ରଖିଛନ୍ତି।ଗାଁ ଗାଁ ବୁଲି ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇ ଏହି ଅଭିଯାନରେ ସାମିଲ ହୋଇ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି।ମଦଭାଟି,ଓ ମଦ ବିକ୍ରି ବନ୍ଦ କରିବା,ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ହେଉଥିବା ଦୁର୍ନୀତିକୁ ବନ୍ଦ କରିବା ପାଇଁ ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିଛି ଏହି ମହିଳା ମହାସଂଘ।ଅଭିଯୋଗ କ୍ରମେ ଏହି ଅଭିଯାନରେ ସରକାରଙ୍କ ସହଯୋଗ କାମନା କରିଛି ମହାସଂଘ।ନହେଲେ ଏହି ଅଭିଯାନ ଆନ୍ଦୋଳନର ରୁପ ନେଇପାରେ ବୋଲି କହିଛନ୍ତି ମହାସଂଘର ମହିଳା ନେତୃବୃନ୍ଦ।