ମହିଳା ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ସୁନ୍ଦରପୁର ନିକଟରେ ଜଣେ ମହିଳା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଏଠାରେ ଏଆରଏସଏସ କମ୍ପାନୀ କେନାଲ କାମ କରୁଥିବାବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ କିଛି ଶ୍ରମିକ ଆସି ଏହି କାମରେ ନିୟୋଜିତ ଥିଲେ । ଆଜି ସକାଳେ ଜଣେ ମହିଳା ଶ୍ରମିକଙ୍କ ମୃତଦେହ ନିକଟସ୍ଥ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ସୋସୋ ଥାନାକୁ ଖବର ଦେବାପରେ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛି । ମହିଳା ଶ୍ରମିକଙ୍କ ନାମ ସୁନାମଣି ହୋ (୩୦)ଏବଂ ତାଙ୍କ ଘର ସିମୁଳିଆ ଥାନା ଅଧିନସ୍ଥ କରଞ୍ଜପଡା ବୋଲି ପୁଲିସ କହିଛି । ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟାକରି ଟାଙ୍ଗି ଦିଆଯାଇଛି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ପୋଷ୍ଟମଟମ ରିପୋର୍ଟ ମିଳିବାପରେ ମୃତୁ୍ୟର କାରଣ ଜଣାପଡିବ ବୋଲି ପୁଲିସ କହିଛି ।


