ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ମଦର ପ୍ରସାର ବନ୍ଦ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମଦର ପ୍ରସାର ବନ୍ଦ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବର୍ତ୍ତମାନ କରୋନା ସଂକ୍ରମଣ ସମୟରେ ଯେତେବେଳେ ମଣିଷ ଅତ୍ୟନ୍ତ ଆଶଙ୍କା,ଆତଙ୍କ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛି ,ସରକାରଙ୍କ ପ୍ରଚେଷ୍ଟା ସତ୍ୱେ ମଧ୍ୟ କରୋନାର ପ୍ରକୋପ ବଢି ବଢି ଚାଲିଛି ,ସେହି ସମୟରେ ଅତ୍ୟନ୍ତ ଦୁଃଖର ସହ ଆମେ ଲକ୍ଷ୍ୟ କରୁଛୁ ଯେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟସରକାରମାନେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଉଛନ୍ତି । ଏହି ସୁଯୋଗରେ ହଜାର ହଜାର ଲୋକ ମଦ ଦୋକାନ ସମ୍ମୁଖରେ ଭିଡ ଜମାଉଛନ୍ତି । ଏହାଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇବାର ବ୍ୟାପକ ସମ୍ଭାବନା ଦେଖାଦେଇଛି । ଦେଶର କୋଟି କୋଟି ଶ୍ରମଜୀବି ମଣିଷ ନିଜର ଜୀବନ ଜୀବିକା ହରାଇ ଅନାହାର ଓ ଅର୍ଦ୍ଧାହାରରେ ଅତ୍ୟନ୍ତ ଦୟନୀୟ ଜୀବନ ବିତାଉଥିବା ବେଳେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇ ଭୟଙ୍କର ସର୍ବନାଶକାରୀ ପରିସ୍ଥିତିକୁ ଡାକି ଅଣାଯାଉଛି । ଏହାଦ୍ୱାରା ଛୁଆପିଲାଙ୍କ ମୁହଁର ଦାନା ମଦ ଦୋକାନକୁ ଚାଲିଯିବ ଏବଂ ପରିବାର ଗୁଡିକର ଦୁଃଖ ଆହୁରି ବଢିଯିବ । ସରକାର ବଡ ବଡ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କର କୋଟି କୋଟି ଟଙ୍କାର ଟିକସ ଛାଡ କରୁଥିବା ସହ ସେମାନଙ୍କୁ ଆର୍ଥିକ ପ୍ୟାକେଜ ପ୍ରଦାନ କରୁଥିବା ବେଳେ ସରକାର ମଦ ଦୋକାନ ଖୋଲି ଓ ମଦର ପ୍ରସାର କରି ରାଜକୋଷ ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ଏହା ଘୋର ପରିତାପର ବିଷୟ ଓ ଏକ ଅମାନବିକ ପଦକ୍ଷେପ । ମହାମନିଷୀ ଗୋପବନ୍ଧୁ କହିଥିଲେ ରାଜକୋଷ ବୃଦ୍ଧି ପାଇଁ କୈାଣସି ହୀନ ପନ୍ଥା ଅବଲମ୍ବନ କରିବା ଏକ ବଡ ଅପରାଧ । ବିଷ ବିକ୍ରୀ କରିଲେ ଯଦି ରାଜକୋଷ ବଢିବ ତାହେଲେ ସରକାର କ’ଣ ବିଷ ବିକ୍ରୀ କରିବେ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେଣୁ ସରକାର ଏହାକୁ ବିଚାରକରି ଭବିଷ୍ୟତରେ ମଦ ଦୋକାନ ଖୋଲିବା ଓ ମଦ ମାଦକ ଦ୍ରବ୍ୟର ପ୍ରସାର କରିବାର ଯେ କୈାଣସି ନିଷ୍ପତିରୁ ବିରତ ହୋଇ ସମାଜର ସୁସ୍ଥ ବାତାବରଣକୁ ରକ୍ଷା କରିବାକୁ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ହିରାମଣୀ ରାଉତ,ଏଲୀନା ସାମନ୍ତରାୟ,ଜୟନ୍ତୀ ଜେନା,ବିଦ୍ୟୁତଲତା ପ୍ରଧାନ,ବ୍ରଜବାଳା ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକରି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ