ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ନବୀନ ନିବାସ ଘେରାଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ନିଜର ଦାବି ହାସଲ ପାଇଁ ଆଜକୁ ତିନିଦିନ ଧରି ଖୋଲା ଆକାଶ ତଳେ ପିଏମ୍ଜି ଛକରେ ଆମରଣ ଅନଶନରେ ବସି ରହିଥିଲେ ମଧ୍ୟ ସରକାରଙ୍କର ଏଥିପ୍ରତି ନିଘା ନାହିଁ । ଆଜି ସଚିବାଳୟ ପରିସରରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସମ୍ପାଦକଙ୍କ ତତ୍ତ୍ୱାବଧାନରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନାରେ ସଂଘ ତରଫରୁ ସଭାପତି ଶ୍ରୀ ଜେନା, ବିଷ୍ଣୁପ୍ରିୟା ଖଣ୍ଡେଇ, ସୋନାଲି ମହାନ୍ତି, ଡ଼ଲିମା ନାୟକ, ସବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ସମୟ ଆଲୋଚନା ପରେ କିଛି ସୁଫଳ ନ ମିଳିବାରୁ ସଂଘ କ୍ଷୋଭ ପ୍ରକାଶ କରି ଆଲୋଚନାକୁ ବର୍ଜନ କରିଥିଲା । ଏହାପରେ ଶତାଧିକ ମହିଳା ନବୀନ ନିବାସ ଘେରାଉ ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଯାଉଥିବା ସମୟରେ ଶିଶୁଭବନ ଚକରେ ହଜାର ହଜାର ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପୋଲିସ୍ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ତିନିଜଣ ମହିଳା ସଙ୍କଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯଦି ସରକାର ସଂଘର ଦାବି ପ୍ରତି ସଚେତନ ନହୁଅନ୍ତି, ତେବେ ଆଗାମୀ ଦିନରେ ସଂଘର ତରଫରୁ ଯେଉଁ ପଦକ୍ଷେପ ନିଆଯିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଭାପତି ଶ୍ରୀ ଜେନା ସରକାରଙ୍କୁ ଚେତାବନୀ ଦେଇଛନ୍ତି ।