ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅବିଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ୨୦୨୦ରେ କୋଭିଡ୍ ଭଳି ଘାତକ ମହାମାରି ପ୍ରାରମ୍ଭ ସମୟରେ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା ପ୍ରବାସୀମାନଙ୍କୁ ଦିଆଯାଇଥିବା ଖାଦ୍ୟର ବକେୟା ବିଲ୍ ଆଜି ଯାଏଁ ପୈଠ କରାଯାଇନଥିବାର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗୋଷାଣି ବିଡିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି । କୋଭିଡ୍ ସମୟରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମ ଠାରେ ଥିବା ମାଣିକାଣ୍ଠା ମହିଳା ସ୍ୱୟଂ ସହାୟକର ଗୋଷ୍ଠୀର ମହିଳାମାନେ କୋଭିଡର ପ୍ରଥମାର୍ଦ୍ଧ ସମୟରେ ଯେତେ ବେଳେକି କୌଣସି ଉପଚାର କିମ୍ବା ପ୍ରତିକାର ବ୍ୟବସ୍ଥା ପାଇଁ କୌଣସି ସଠିକ ନିର୍ଦ୍ଦେଶନାମା ରହି ନଥିଲା ସେପରି ବିପଦପୂର୍ଣ୍ଣ ସମୟେରେ ଏହି ମହିଳା ଗୋଷ୍ଠୀର ସଦସ୍ୟା ମାନେ ନିଜ ନିଜ ଜୀବକୁ ବାଜି ଲଗାଇ ନିଜ ନିଜ ଘରର କାମଧନ୍ଦା ଛାଡି ନିସ୍ୱାର୍ଥପର ଭାବେ ଆଗେଇ ଆସି ରାଜ୍ୟ ତଥା ଗଜପତି ଜିଲ୍ଲା ଗୋଷାଣି ପ୍ରଶାସନର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ନିଜ ନିଜର ମର୍ଯ୍ୟାଦା ନିଜ ନିଜ ଘରେ ହରାଉଛୁ ବୋଲି ଅଶ୍ରୁଭରା ନୟନରେ ପ୍ରକାଶ କରିଛନ୍ତି । ଉଲ୍ଲେଖିତ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ କହିଛନ୍ତି ଯେ, ୨୦୨୦ ମସିହାରେ ଯେତେବେଳେ କୋଭିଡ୍ ନିୟମ କୋଠର ଭାବେ ଆରମ୍ଭ ହୋଇଥିଲା ଏବଂ ସଂକ୍ରମଣ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଥିଲା ସେତେବେଳେ ମହାମାରିର ବ୍ୟାପିବା ଭୟରେ କ୍ୱାରେଣ୍ଟାଇନ୍ରେ ରହୁଥିବା ପ୍ରବାସୀମାନଙ୍କୁ ନିଜ ନିଜ ପ୍ରାଣ ବଞ୍ଚାଇବା ଉଦ୍ଦେଶ୍ୟରେ ଭୟଭୀତ ହୋଇ କେହି ରନ୍ଧା ଖାଦ୍ୟ ଦେବାକୁ ଆଗେଇ ଆସିଲେ ନାହିଁ । ଯାହାକୁ ନେଇ ସେତେବେଳେ ବ୍ଲକ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଥିଲା । ଏପରି ପରିସ୍ଥିତିରେ ଆମ୍ଭେମାନେ ବାଘଶଳା ପଞ୍ଚାୟତର ମହିଳା ସ୍ୱୟଂ ସହାହିକା ଗୋଷ୍ଠୀ ହୋଇଥିଲେ ହେଁ ଅନ୍ୟ ଗୋଟିଏ ପଞ୍ଚାୟତ ଯଥା ଅଗରଖଣ୍ଡି ପଞ୍ଚାୟତର ବାପୁଜୀପେଣ୍ଠ ଗ୍ରାମର ରାଧାଚରଣଦାସ ବାଳକ ଉଚ୍ଚ ବିିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ହୋମ୍ରେ ଥିବା ପ୍ରବାସୀମାନଙ୍କୁ ଦୁଇ ଓଳି ରନ୍ଧା ଖାଦ୍ୟ ସହ ଜଳଖିଆ, ଚାହା ଆଦି ଦୁଇ ମାସ ଧରି ଦେଇଥିଲୁ । ସମୁଦାୟ ବିଲ ବାବଦକୁ ୨ଲକ୍ଷ ୭୦ ହଜାର ଟଙ୍କା ବିଲ୍ ହେଉଥିବା ସ୍ଥଳେ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅବଶିଷ୍ଟ ୧ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯାଇନଥିବା ଏବଂ ଏହାକୁ ନେଇ ବାରମ୍ବାର ବିଭିନ୍ନ ସମୟରେ ତତ୍କାଳୀନ ବିଡିଓ ମାଙ୍କ ସହ ଜିପିଓଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି କହିଛନ୍ତି । ତେଣେ ସେହି ସମୟରେ ରୋଷେଇବାସ ପାଇଁ ଅଣାଯାଉଥିବା କିରାଣା ସାମାନ ବାବଦରେ ଦୋକାନୀ ମାନଙ୍କୁ ଆମ୍ଭେମାନେ ବାକି ହୋଇପଡିଛୁ । ଏହାକୁ ନେଇ ଦୋକାନୀମାନେ ସମୟେ ସମୟେ ଆମ୍ଭଙ୍କୁ ବିଭିନ୍ନ ସମୟରେ ଟଙ୍କା ବକେୟାଥିବାକୁ ନେଇ କଟୁକ କହୁଛନ୍ତି । ଯାହାକୁ ନେଇ ଆମ୍ଭମାନଙ୍କ ପରିବାର ମଧ୍ୟରେ ଆମ୍ଭଙ୍କୁ କାହିଁକି ଏପରି କାମ କରିଥିଲୁ ବୋଲି ଝଗଡା ହେଉଛି । ଗୋଟିଏପଟେ ଦୋକାନୀ ଓ ଅନ୍ୟପଟେ ନିଜ ନିଜ ଘରେ କଳି ହେବାକୁ ନେଇ ଅସହ୍ୟ ହୋପଡୁୁଛୁ ବୋଲି ଜଣାଇଥିଲେ । ଅପର ପକ୍ଷରେ ସମସ୍ତ ରନ୍ଧା ଖାଦ୍ୟ ବାବଦରେ ବିଲ୍ ତତ୍କାଳୀନ ପିଇଓ ଲକ୍ଷ୍ମୀଧର କହଁରଙ୍କୁ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସେ ଅବସର ନେଇସାରିଛନ୍ତି । ତାଙ୍କ ନିକଟରେ ସମସ୍ତ ବିଲ୍ ସମ୍ବନ୍ଧୀୟ ଦସ୍ତାବିଜ ରହିଯାଇଛି ବୋଲି ଜଣାଇଛନ୍ତି । ଏନେଇ ନୂତନ ଭାବେ ଯୋଗଦେଇଥିବା ଗୋଷାଣି ବିଡିଓ ଅଜୟ ପ୍ରଧାନ କହିଛନ୍ତି ଯେ, ଘଟଣାର ଅନୁସନ୍ଧାନ କରାଯିବ ଏବଂ ତତ୍କାଳୀନ ପିଇଓ ଏବଂ ବର୍ତ୍ତମାନର ପିଇଓଙ୍କୁ ତୁରନ୍ତ ବିଭାଗୀୟ ଚିଠି ଦେଇ ଡକାଯିବା ପାଇଁ ନିର୍ଦ୍ଦେଶ ଦେଇଥିବାର ସୂଚନା ଦେଇଛନ୍ତି ।