ମହୁଡା ଗ୍ରାମରେ ଅପରାଧୀ ଙ୍କ ଆତଙ୍କରାଜ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡା ଗ୍ରାମରେ ଗୁରୁବାର ସକାଳୁ ଜଣାଶୁଣା କିଛି ଅପରାଧୀ ଙ୍କ ଆତଙ୍କରାଜ ପ୍ରତିବାଦରେ ସମ୍ପୃକ୍ତ ଯୁବକ ମାନଙ୍କୁ ଗିରଫ କରାଯିବା ଦାବିନେଇ ଗ୍ରାମବାସୀ ବ୍ରହ୍ମପୁର – ଚିକିଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଲାଠି ଗ୍ରାମର ପାଣ୍ଡା ଗୈାଡ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଓ ତାଙ୍କ କିଛି ସହଯୋଗୀ ମହୁଡା ଗ୍ରାମକୁ ଆସି ହାତରେ ଖଣ୍ଡା, କାତି ଧରି ଲୋକଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଚମକ ଦେଇ ମୁଖ୍ୟରାସ୍ତା ରେ ମାର୍ଚିଂ କରି ଫେରି ଯାଇଥିଲେ । ଗ୍ରାମରେ ଗତ କିଛିଦିନ ହେଲା ଅପରାଧ ପୃଷ୍ଠଭୂମି ଥିବା କିଛି ପେଶାଦାର ଅପରାଧୀ ଙ୍କ ଆତଙ୍କରାଜ ଯୋଗୁଁ ଗ୍ରାମବାସୀମାନେ ସନ୍ଧ୍ୟା ହେଲେ ଅତ୍ୟନ୍ତ ଭୟଭୀତ ହୋଇ ରହିଆସୁଥିଲେ। ଗୁରୁବାର ସକାଳେ ସେମାନେ ପୁଣି ସଂଘଟିତ ହୋଇ ଗ୍ରାମରେ ଆତଙ୍କ ଚଳାଇବା ସହ କିଛି ଗ୍ରାମବାସୀ ଙ୍କୁ ଧମକ ଚମକ ଦେଇଥିଲେ। ପ୍ରତିବାଦରେ ଗ୍ରାମ ର ବହୁ ସଂଖ୍ୟକ ମହିଳା ପୁରୁଷ ମେଳିବାନ୍ଧି ଗ୍ରାମରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ସକାଳ ସାଢେ ୧୧ ଟା ରୁ ଅପରାହ୍ନ ପ୍ରାୟ ୪ ଟା ଯାଏଁ ୫ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ପାଣ୍ଡା ଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇଥିବା ସୂଚନା ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ଲୋକେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିଲେ। ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଏନେଇ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ଙ୍କୁ ପଚାରିବାରୁ ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପାଣ୍ଡା ଗୈାଡଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ବେଳେ ଅନ୍ୟ ଅଭିଯୁକ୍ତ ତଥା ପାଣ୍ଡା ଙ୍କ ସହଯୋଗୀ ମାନଙ୍କୁ ଚିହ୍ନଟ କରାଯାଇଛି।ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି।