ମହୁଡା ଗ୍ରାମରେ ଯୁବକଙ୍କ ଆତଙ୍କରାଜ ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଶନିବାର ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର ପାଣ୍ଡା ଗୌଡ଼ ଙ୍କୁ ଥାନା ମାମଲା ନଂ.୨୧୪/୨୩ ଅନୁଯାୟୀ ହତ୍ୟା ଉଦ୍ୟମ ମାମଲା ରେ କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡା ଗ୍ରାମରେ ଗୁରୁବାର ସକାଳେ ପାଣ୍ଡା ଓ ତାଙ୍କ କିଛି ସମର୍ଥକ ଖଣ୍ଡା ଧରି ଆତଙ୍କରାଜ କରିବା ସହ ଗ୍ରାମର ଲକ୍ଷ୍ମୀ ନାହାକ ଙ୍କ ଘର ଆଗରେ ଗାଳି ଗୁଲଜ କରିବାସହ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ।ଗ୍ରାମବାସୀ ପ୍ରତିବାଦ କରିବାରୁ ସେମାନେ ଗାଁ ରେ   କିଛି ମହିଳା ଙ୍କୁ ଅସଦାଚରଣ କରିବାସହ କିଛି ବ୍ୟକ୍ତି ଙ୍କୁ ଧମକ ଚମକ ଦେଇ ଟଣାଓଟରା କରିଥିଲେ।  ସମ୍ପୃକ୍ତ ଯୁବକ ମାନଙ୍କୁ ଗିରଫ କରାଯିବା ଦାବିନେଇ ଗ୍ରାମବାସୀ ବ୍ରହ୍ମପୁର – ଚିକିଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।  ଗ୍ରାମରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ  ଅପରାଧ ପୃଷ୍ଠଭୂମି ଥିବା ପାଣ୍ଡା ଓ ତାଙ୍କ ସମର୍ଥକ ଙ୍କ ଆତଙ୍କରାଜ ଯୋଗୁଁ   ଗ୍ରାମବାସୀମାନେ ସନ୍ଧ୍ୟା ହେଲେ ଅତ୍ୟନ୍ତ ଭୟଭୀତ ହୋଇ ରହିଆସୁଥିଲେ। ଗୁରୁବାର ସକାଳେ ସେମାନେ ପୁଣି ସଂଘଟିତ ହୋଇ ଗ୍ରାମରେ ଆତଙ୍କ ଚଳାଇବା ସହ କିଛି ଗ୍ରାମବାସୀ ଙ୍କୁ ଧମକ ଚମକ ଦେଇଥିଲେ। ପ୍ରତିବାଦରେ ଗ୍ରାମ ର ବହୁ ସଂଖ୍ୟକ ମହିଳା ପୁରୁଷ ମେଳିବାନ୍ଧି ଗ୍ରାମରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ସକାଳ ସାଢେ ୧୧ ଟା ରୁ  ଅପରାହ୍ନ ପ୍ରାୟ ୪ ଟା ଯାଏଁ ୫ ଘଣ୍ଟା  ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ପାଣ୍ଡା ଙ୍କୁ ଗିରଫ କରି ଥାନାରେ ଅଟକ  ରଖାଯାଇଥିବା ସୂଚନା  ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ଲୋକେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଥିଲେ। ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ