ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା ର ବାର୍ଷିକୋତ୍ସବ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମ ସ୍ଥିତ ମହେନ୍ଦ୍ରଗିରି ଆଦିମ ଅଧିବାସୀ ମହାସଭା କାର୍ଯ୍ୟାଳୟ ଠାରେ ମହେନ୍ଦ୍ରଗିରି ଅଧିବାସୀ ମହାସଭାର ୩୭ ତମ ବାର୍ଷକୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ବାର୍ଷିକୋତ୍ସବ ରବିବାର ଉଦଯାପିତ ହୋଇଥିଲା।ପ୍ରଥମ ଦିବସରେ ମହାସଭା ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ପରେ ରୋପିତ ସତ୍ୟବଟ (ବୃକ୍ଷ)ପୂଜନ ବିଧି ନୀତି ନିୟମ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।ରବିବାର ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାୟ ୪୬ ଟି ଆଦିବାସୀ ଗ୍ରାମର ପ୍ରତିନିଧି ବୃନ୍ଦ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗ ଦେଇଥିଲେ। ଏଥିରେ ଆଦିବାସୀ ଲୋକ ସଙ୍ଗଠନ ଗଠନ ଓ ଦୃଢ଼ୀକରଣ କିପରି କରାଯିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ସରକାରୀ ଯୋଜନା କିଭଳି ପ୍ରତି ପରିବାର ରେ ପହଞ୍ଚିପାରିବ। ସମସ୍ତ ଗ୍ରାମର ସର୍ବବିଧ ବିକାଶ ହୋଇପାରିବ ସେ ସମ୍ପର୍କରେ ମହାସଭାର ନେତୃବୃନ୍ଦ ଉଦବୋଧନ ଦେଇଥିଲେ। ସରକାରୀ ଉନ୍ନୟନ ପ୍ରକଳ୍ପରେ ଜମି ଅଧିଗ୍ରହଣ ଓ ବାସ୍ତୁହରା ଆଦିବାସୀ ଙ୍କ ଜୀବନ ଜୀବିକା ସମ୍ପର୍କରେ ମହାସଭା ପକ୍ଷରୁ ଆଗାମୀ କାର୍ଯ୍ୟପନ୍ଥା ନେଇ ସଭାରେ ସବିଶେଷ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ମହାସଭା ସଭାପତି ଅର୍ଜୁନ ମଳିକ, ସମ୍ପାଦକ ସୁଦୟା ମଳିକ ପରିଚାଳନା କରିଥିଲେ।