ମହେଶ ସାହୁ ଢେଙ୍କାନାଳ ବିଜେଡି ଲୋକସଭା ପ୍ରାର୍ଥୀ 

ଅନୁଗୋଳ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡି ଢେଙ୍କାନାଳ ଲୋକ ସଭା ପାଇଁ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି। ସେହିପରି ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ସଞ୍ଜୀବ ସାହୁଙ୍କ ବଦଳରେ ଦଳ ପୂର୍ବତନ ପ୍ରଶାସକ ରମେଶ ଚନ୍ଦ୍ର ସାଏଙ୍କ ନଁା ଘୋଷଣା କରିଛି। ସୋମବାର ପଦ୍ମ ଛାଡ଼ି ଶଙ୍ଖ ଧରିଥିବା ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଳଙ୍କୁ ବିଜେଡି ପାଲଲହଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ମଙ୍ଗଳବାର ସନ୍ଧ୍ୟାରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିବା ପରେ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ରାଜନୀତି ଅଧିକ ସରଗରମ ହୋଇପଡ଼ିଛି। ଢେଙ୍କାନାଳ ଲୋକ ସଭା ଆସନରୁ ୪ଥର ନିର୍ବାଚିତ ହୋଇଥିବା ଏମ୍‌ପି ତଥାଗତ ସତପଥୀ ରାଜନୀତିରେ ଭାଗ ନେବେ ନାହିଁ ବୋଲି ଘୋଷଣା କରିବା ପରେ ଏହି ଆସନକୁ ନେଇ ଅଡ଼ୁଆରେ ପଡ଼ିଥିଲା ବିଜେଡି। ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ଖୋଜିବାକୁ ଢେର ସମୟ ନେଇଥିଲା। ବରିଷ୍ଠ କଂଗ୍ରେସ ନେତା କାମାକ୍ଷାପ୍ରସାଦ ସିଂହଦେଓଙ୍କ ପୁତ୍ରବଧୂ ମୀନାଲ କୁମାରୀଙ୍କ ଠାରୁ ଆରମ୍ଭ କରି ସମ୍ବଲପୁର ଏମ୍‌ପି ନଗେନ୍ଦ୍ର ପ୍ରଧାନ, ଢେଙ୍କାନାଳ ବିଧାୟକ ସରୋଜ ସାମଲ ଓ ତାଙ୍କ ସ୍ତ୍ରୀ ଏବଂ ପାଲଲହଡ଼ା ବିଧାୟକ ମହେଶ ସାହୁ ଓ ତାଙ୍କ ସ୍ତ୍ରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଶେଷରେ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆଉ ଦୁଇଦିନ ଥିବା ବେଳେ ମଙ୍ଗଳବାର ବିଧାୟକ ମହେଶ ସାହୁଙ୍କ ନଁା ଉପରେ ଦଳ ମୋହର ମାରିଛି। ମହେଶ ସାହୁ ମୋଟ୍‌ ୪ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ୧୯୯୫, ୨୦୦୦ ଓ ୨୦୦୪ ନିର୍ବାଚନରେ ସେ ଭାଜପା ଟିକେଟ୍‌ରେ ତାଳଚେରରୁ ବିଜୟୀ ହୋଇଥିଲେ। ଏହାପରେ ୨୦୦୯ରେ ବିଜେଡିରେ ଯୋଗଦେଇ ସେଠାରୁ ପ୍ରାର୍ଥୀ ହୋଇଥିଲେ ବି ସ୍ବାଧୀନ ଭାବେ ଲଢ଼ୁଥିବା ବ୍ରଜକିଶୋର ପ୍ରଧାନଙ୍କ ଠାରୁ ପରାଜିତ ହୋଇଥିଲେ। ଏହାପରେ ସେ ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷ ରହିଥିଲେ। ୨୦୧୪ରେ ସେ ପାଲଲହଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଅନୁଗୋଳ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଏବେ ଏହି ଲୋକ ସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ। ବିଜେଡିର ମହେଶ ସାହୁ, ଭାଜପାରୁ ରୁଦ୍ର ନାରାୟଣ ପାଣି ଓ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇଯାଇଛି। ଏ ସମ୍ପର୍କରେ ମହେଶ ସାହୁ କହିଛନ୍ତି, ବହୁବର୍ଷ ହେଲା ଲୋକଙ୍କ ସେବା କରିଆସିଛି। ଦଳ ଯେତେବେଳେ ଯାହା ନିର୍ଦ୍ଦେଶ ଓ ଦାୟିତ୍ୱ ଦେଇଛି, ତାହା କରିଛି ଏବଂ କରିବି ମଧ୍ୟ। ନୂଆ ପୁରୁଣା ବିଶେଷକରି ରାଜନୈତିକ ବନ୍ଧୁମାନଙ୍କୁ ଏକାଠି କରି ସମସ୍ତଙ୍କ ସହଯୋଗରେ ନିର୍ବାଚନ ଲଢ଼ିବି ବୋଲି ମହେଶ ପ୍ରକାଶ କରିଛନ୍ତି। ସେହିପରି ଆଠମଲ୍ଲିକ ଓ ପାଲଲହଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାକୁ ବିଜେଡି ଦୀର୍ଘଦିନ ଧରି ଝୁଲାଇ ରଖିଥିଲା। ବହୁ ପୂର୍ବରୁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିବା ବେଳେ ଭାଜପା ମଧ୍ୟ ଆଠମଲ୍ଲିକକୁ ଛାଡ଼ି ଅନ୍ୟ ୪ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ କରିସାରିଥିଲା। ସୋମବାର ଭାଜପା ଆଠମଲ୍ଲିକରୁ ଜିଲା ସଭାପତି ଭାଗୀରଥି ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ଆଜି ବିଜେଡି ସେଠାରେ ବିଧାୟକ ସଞ୍ଜୀବ ସାହୁଙ୍କୁ ବାଦ୍‌ ଦେଇ ପୂର୍ବତନ ପ୍ରଶାସନିକ ଅଧିକାରୀ ରମେଶ ଚନ୍ଦ୍ର ସାଏଙ୍କୁ ପ୍ରାର୍ଥୀ କରିଛି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡି ନୂଆ ପ୍ରାର୍ଥୀ ଦେଇଛି। ସୋମବାର ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଳଙ୍କ ନଁା ଘୋଷଣା କରାଯାଇଛି। ମୁକେଶ ଏଠାରୁ ଭାଜପା ଟିକେଟ୍‌ ଆଶାୟୀ ଥିଲେ। ହେଲେ ଦଳ ଗତ ନିର୍ବାଚନର ପରାଜିତ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ଟିକେଟ୍‌ ଦେବା ପରେ ମୁକେଶ ଭାଜପା ଛାଡ଼ିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ