ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରର ସ୍ୱତନ୍ତ୍ର ଉନ୍ନତିକରଣ କରାଯାଉ
ବ୍ରହ୍ମପୁର, (କେ. ଅନିଲ କୁମାର) :ବ୍ରହ୍ମପୁର ସହର ଗଂଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରମୁଖ ସହର ତଥା ପ୍ରାଣକେନ୍ଦ୍ର ଅଟେ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟର ମୁଖ୍ୟ ପେଣ୍ଠସ୍ଥଳୀ । ମାଲକାନଗିିରି ଠାରୁ ପୁରୀ, ନୟାଗଡ ଖୋର୍ଦ୍ଧା ସୀମାବର୍ତୀ ଅଂଚଳ ପର୍ଯ୍ୟନ୍ତ ବସବାସ କରୁଥିବା ଲୋକ ମାନେ ପ୍ରତିଟି ମୁହୁର୍ତରେ ବ୍ରହ୍ମପୁର ସହର ଉପରେ ନିର୍ଭରଶୀଳ । ଓଡିଶାର କଳା, ସଂସ୍କୃତି ତଥା ଐତିହ୍ୟ କ୍ଷେତ୍ରରେ ବ୍ରହ୍ମପୁର ସହର ତଥା ଗଂଜାମ ଜିଲ୍ଲାର ସ୍ୱାତନ୍ତ୍ର୍ୟତା ରହିଛି । ବ୍ରହ୍ମପୁରର ମୁଖ୍ୟ ଆରାଧ୍ୟା ଦେବୀ ମାଁ ବୁଢ଼ୀ ଠାକୁରାଣୀ ବ୍ରହ୍ମପୁର ସମେତ ସମଗ୍ର ଗଂଜାମ ଜିଲ୍ଲାବାସୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଅଟନ୍ତି । କୌଣସି ଅଂଚଳର ଐତିହ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ନଦେଇ ସେହି ଅଂଚଳର ବିକାଶର କଳ୍ପନା କରିବା ଅସମ୍ଭବ । ନିକଟ ଭବିଷ୍ୟତରେ ଓଡିଶା ପର୍ଯ୍ୟଟନର ଉନ୍ନତି ମାଧ୍ୟମରେ ଓଡିଶାର ଉନ୍ନତି ପରିକଳ୍ପନା କରି ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ସମଲେଇ, ବିରଜା ଭଳି ମନ୍ଦିରର ସୌନ୍ଦର୍ଯ୍ୟକରଣ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି ତେବେ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିର ଓ ଏହାର ଯାତ୍ରା ବିଶ୍ୱ ପ୍ରସିଦ୍ଧ ଯେଉଁଠି ଦୀର୍ଘ ଏକ ମାସ ଧରି ସମଗ୍ର ସହରରେ ଯାତ୍ରା ଅୟୋଜିତ ହେଉଥିବା ବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ,ଯେଉଁଠି ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲା, ରାଜ୍ୟ, ଅନ୍ତଃରାଜ୍ୟ ତଥା ବିଦେଶରୁ ମଧ୍ୟ ଭକ୍ତ ମାନେ ଆସିଥାଆନ୍ତି । ଏହି ପରିପ୍ରେକ୍ଷିରେ ଆପଣଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିବାର କାରଣ – ଆପଣ ନିଜେ ଗଂଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ବିଭିନ୍ନ ସଭା ସମିତିରେ ବ୍ରହ୍ମପୁର ସହରର ଉନ୍ନତି ମୋର ଦାୟୀତ୍ୱ କହି ଅଂଚଳବାସୀଙ୍କର ବିଶ୍ୱାସ ଭାଜନ ହୋଇଛନ୍ତି , କିନ୍ତୁ ଆମ୍ଭେ ବ୍ରହ୍ମପୁରବାସୀ ଜଣାଇବାକୁ ଚାହୁଁଛୁ ଯେ ସରକାର ମାଁଙ୍କର ପୀଠକୁ ଅଣଦେଖା କରିବା ଦୃଷ୍ଟି ଗୋଚର ହେଉଛି । ଓଡିଶାର ବିଭିନ୍ନ ପୀଠର ଉନ୍ନତିକରଣ ପାଇଁ ସରକାର ବିଭିନ୍ନ ସମୟରେ ପଦକ୍ଷେପ ନେଇଥିବା ବେଳେ ଅତି ଦୁଃଖ ଓ ବିଡମ୍ବନାର ବିଷୟ ଯେ ଆପଣ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ କାଳରୁ ଆମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ବିଶ୍ୱପ୍ରସିଦ୍ଧ ଓ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ଆରଧ୍ୟା ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ର ଉନ୍ନତି ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନାହିଁ । ତେବେ ବର୍ତମାନ ପରିପ୍ରେକ୍ଷୀରେ ଆମ୍ଭେ ନିବେଦନ କରୁଛୁ ଯେ- ରାଜ୍ୟରେ ଅନ୍ୟାନ୍ୟ ମନ୍ଦିର ଗୁଡିକୁ ଯେଉଁଭଳି ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରାଯାଇଛି ସେହିଭଳି ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ଉନ୍ନତି ସକାଶେ ରାଜ୍ୟ ସରକାର ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ମନ୍ଦିର ବିକାଶ ଓ ସୁପରିଚାଳନା ପାଇଁ ମାଁ ତାରାତାରିଣୀ ମନ୍ଦିରର ପରିଚାଳନା କମିଟି ଢ଼ାଂଚାରେ ଏକ ପରିଚାଳନା କମିଟି ଗଠନ ସହ ଯାବତୀୟ ବ୍ୟବସ୍ଥା ସରକାରୀ ସ୍ଥରରେ ଗ୍ରହଣ କରାଯାଉ । ମାଁଙ୍କ ବିଭିନ୍ନ ପରଂପରା ସଂପର୍କୀତ ବିଷୟ ଗୁଡିକର ବହୁଳ ପ୍ରଚାର ପ୍ରସାର ସରକାରୀ ସ୍ଥରରେ କରାଯାଉ । ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଶ୍ରାମ ଗୃହ ତଥା ଶୌଚାଳୟ ଓ ପାନୀୟ ବ୍ୟବସ୍ଥା କରାଯାଉ । ମନ୍ଦିର ପୁର୍ନରୁଦ୍ଧାର ସହ ପାରିପାଶ୍ୱିର୍କ ଭିତିଭୂମିର ବିକାଶ କରାଯାଉ । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରାଯାଉ । ମନ୍ଦିର ଚର୍ତୁପାଶ୍ୱର୍ରେ ଥିବା ବ୍ୟବସାୟୀ ଓ ବ୍ୟବସାୟ କେନ୍ଦ୍ର ଗୁଡିକର ଥଇଥାନ ବିଷୟ ଚିନ୍ତା କରାଯାଉ ।


