ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା
ନବରଙ୍ଗପୁର,(ୱାଇଏନଏସ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ଙ୍କ ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ଆସନ୍ତା ନଅ ଦିନ ଧରି ମା ବିଭିନ୍ନ ରୂପରେ ପୂଜା ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମନ୍ଦିର ପ୍ରାଙ୍ଗଣକୁ ସୁସଜିତ କରାଯାଇଛି ।ଶଙ୍ଖ ଧ୍ୱନି, ହୁଳହୁଳି ଓ ବଜାବାଜଣା , ଢୋଲ କରତାଳ ସହିତ ଭକ୍ତ ଙ୍କ ଜୟକାର ଧ୍ୱନି ରେ ପ୍ରକମ୍ପିତ ନବରଙ୍ଗପୁର ସହର ସ୍ଥିତ ଭଣ୍ଡାରଘରଣୀ ମନ୍ଦିର। ମାଆ ଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ନବରାତ୍ରୀ ପୂଜାର ଆଦ୍ୟରେ ମାଁ ଙ୍କ ପାଟ ଖଣ୍ଡା କୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ପ୍ରତାପ ସାଗର ପୋଖରୀ କୁ ନିଆଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟ ଖଣ୍ଡାକୁ ମହାସ୍ନାନ କରାଯାଇ ପୁଣି ମନ୍ଦିର କୁ ଅଣାଯାଇଥିଲା । ମନ୍ଦିରରେ ପାଟଖଣ୍ଡାକୁ ମାଁ ନିକଟରେ ଅବସ୍ଥାପିତ କରାଇଥିଲେ ପୂଜକ। ପାଟଖଣ୍ଡାକୁ ପୂଜା କରିବା ପରେ ମାଁ ଙ୍କ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ ହୋଇଛି ପୂଜାବିଧି। ଏହି ନବ ଦିନ ପୂଜା ସମୟରେ ମାଁ ବିଭିନ୍ନ ପ୍ରକାର ପୂଜା କରାଯାଇଥାଏ । ସେଥିମଧ୍ୟରୁ ସନ୍ଧ୍ୟା ପୂଜା ଓ ଚଣ୍ଡୀ ପାଠ ଅନ୍ୟତମ ବୋଲି ରାଜ ପୁରୋହିତ ନରସିଂହ ତ୍ରିପାଠୀ କହିଛନ୍ତି । ଏହାସହ ଅନ୍ୟ ଏକ ବିଶେଷତ୍ୱ ହେଉଛି ପ୍ରତ୍ୟେକ ଦିନ ମା ପଶ୍ଚିମାଭିମୁଖୀ ହୋଇ ପୂଜା ପାଉଥିବା ବେଳେ ଏହି ନବଦିନାତ୍ମକ ପୂଜା ସମୟ ରେ ମା ପୂର୍ବାଭିମୁଖୀ ହୋଇପୁଜା ପାଇବେ । ଏହି ଅବସରରେ ଶ୍ରଦ୍ଧାଳୁ ମାନେ ମାଁ ଙ୍କ ନିକଟରେ ଦୀପ ଦାନ କରି ମନସ୍କାମନା ପୂରଣ ସକାଶେ ପୂଜା କରିଥାନ୍ତି ।ଚଳିତ ବର୍ଷ ୧୧୧୬ ଅଖଣ୍ଡ ଦୀପ ମା ଙ୍କ ନିକଟରେ ଲଗାଯାଇଛି ଯାହା ନଅ ଦିନ ଧରି ଜଳିବ। ପ୍ରତ୍ୟେକ ସନ୍ଧ୍ୟା ସମୟରେ ଦୀପ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ମନ୍ଦିର ରେ ଜମିଥାଏ । ପୂଜା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଅଧିକ ରହୁଥିବାରୁ ମନ୍ଦିରରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ନଅ ଦିନ ରେ ମାନସିକ ଧାରୀ ମାନେ ରୀତିନୀତି ରେ ପୂଜାର୍ଚ୍ଚନା କରି ଉପବାସ କରି ମନ୍ଦିର ରେ ପୂଜା କରିଥାନ୍ତି । ଚଳିତ ବର୍ଷ ମନ୍ଦିର ପୂଜା କମିଟି ତରଫରୁ ସ୍ୱତନ୍ତ୍ର ଭାବେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି । ମନ୍ଦିର ପ୍ରାଙ୍ଗଣ ସହିତ ମୁଖ୍ୟ ରାସ୍ତା ରେ ସୁନ୍ଦର ଆଲୋକ ମାଳା ରେ ସଜ୍ଜିତ କରାଯାଇଛି । ମା ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଓ ପୋଡ଼ଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଭକ୍ତ ମାନେ ପୂଜା କରି ମା ଙ୍କ ଆଶୀର୍ବାଦ ପାଇଁ ଆସନ୍ତି । ବିଭିନ୍ନ ସମୟରେ ଭକ୍ତ ମାନେ କରିଥିବା ମାନସିକ ପୂରଣ ହେଲେ ଏହି ନବରାତ୍ର ସମୟ ରେ ଆସି ନିଜ ମନସ୍କାମନା ମୁତାବକ ଭୋଗ ଅର୍ପଣ କରିଥାନ୍ତି । ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ମା ଭଣ୍ଡାରଘରଣୀ ଙ୍କ ପୂଜା ଦେଖିବାକୁ ଏହି ନଅ ଦିନ ଧରି ପ୍ରବଳ ମାତ୍ରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ ,ଦୂରଦୂରାନ୍ତରୁ ଲୋକେ ଆଶୀର୍ବାଦ ନେବାକୁ ମଦିରରେ ଭିଡ଼ ଜମାଇଥାନ୍ତି ।