ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆସନ୍ତା ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଅନୁଷ୍ଠିତ ହେବ ଘୁମୁସର ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଦେବୀ ମାଆ ବୁଢାକେନ୍ଦୁଙ୍କ ଐତିହାସିକ ବାର୍ଷିକ ଉତ୍ସବ I ପ୍ରାୟ ତିନି ଶହ ବର୍ଷ ଧରି ମହା ଆଡ଼ମ୍ବରରେ ଏହି ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହି ଯାତ୍ରାରେ ଗଞ୍ଜାମ ସମେତ ପଡ଼ୋଶୀ କନ୍ଧମାଳ, ଗଜପତି ଏବଂ ନୟାଗଡ ଜିଲ୍ଲାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ I ଚଳିତ ବର୍ଷର ଯାତ୍ରାକୁ ଶୃଙ୍ଖଳିତ କରିବାକୁ ଦୃଷ୍ଟିରେ ରଖି ଆଜି ପରିଚାଳନା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପସଭାପତି ସୁରେନ୍ଦ୍ର କୁମାର ଡାକୁଆ, ସମ୍ପାଦକ ରମେଶ ରାଉତ,କୋଷାଧ୍ୟକ୍ଷ ଦୂର୍ଗା ମାଧବ ନାୟକ,ସହସମ୍ପାଦକ ରାମନାଥ ପ୍ରଧାନ, ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ଜଗତଗୁରୁ ହରିଶଙ୍କର ସ୍ୱାମୀ,ରାଧାସ୍ୱାମୀ ରାଜୁ, ବିଜୟ ସ୍ୱାଇଁ, କାମରାଜୁ ଗୌଡ଼, ସୁଶାନ୍ତ ଗୌଡ଼ଙ୍କ ସମେତ ବହୁ କମିଟି ସଦସ୍ୟ ଉପସ୍ଥିତ ଥିଲେ I କାର୍ତ୍ତିକ ପୂର୍ଣ୍ଣମୀ ଦିନ ଭୋର୍ ଚାରି ଘଣ୍ଟା ଦଶ ମିନିଟ୍ ସମୟରେ ମାଆଙ୍କ ମାର୍ଜନା ହେବାପରେ ଆଳତି ଏବଂ ସକାଳ ଧୂପ ପରେ କାନିକା ଭୋଗ ଅନୁଷ୍ଠିତ ହେବ I ସକାଳ ଛଅ ଘଣ୍ଟା ଦଶ ମିନିଟ୍ ରୁ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବା ସହ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ସନ୍ଧ୍ୟା ଆଳତି ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ I ଦିନ ଏଗାର ଘଣ୍ଟା ତିରିଶି ମିନଟ୍ ସମୟରେ ମାଆଙ୍କ ଅନ୍ନ ଭୋଗ ହେବା ସହିତ ସକାଳେ ମାଆଙ୍କ ପାଖରେ ଲାଗି ହୋଇଥିବା କାନିକା ଭୋଗକୁ ଭକ୍ତଙ୍କୁ ବିକ୍ରୟ କରାଯିବ I ଆଜିର ବୈଠକରେ ମୁଖ୍ୟତଃ ବ୍ରହ୍ମପୁର,କନ୍ଧମାଳ, ସୋରଡା, ଭଞ୍ଜନଗର, ବୁଗୁଡ଼ା ଆଦି ଅଞ୍ଚଳରୁ ଆସିବାକୁ ଥିବା ବସ୍ ସମେତ ଅନ୍ୟାନ୍ୟ ଯାନବାହନର ପାର୍କିଙ୍ଗ୍, ଯାତ୍ରୀଙ୍କ ସୁରକ୍ଷିତ ଦର୍ଶନ ,ବୟସ୍କ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା I ଯାନବାହନ ପାର୍କିଙ୍ଗ୍ ପାଇଁ ଉଭୟ କ୍ଷତ୍ରିୟବରପୁର ଏବଂ ପଳାଶପଲ୍ଲୀ ପଟୁ ବ୍ୟବସ୍ଥା କରିବା ନିମନ୍ତେ ବୈଠକରେ ନିଷ୍ପତି ହୋଇଛି I ବାର୍ଷିକଉତ୍ସବରେ ଏଠାରେ ବିଭିନ୍ନ ପସରାର ଭିଡ଼ ଜମିଥାଏ I ଏଠାରେ ଆନ୍ଧ୍ର ପ୍ରଦେଶ,ଛତିଶଗଡ଼ ଅଞ୍ଚଳରୁ ଭିନ୍ନ ଭିନ୍ନ ବ୍ୟବସାୟୀମାନେ ଆସି ମୁଖ୍ୟତଃ ମାଆ ମାନଙ୍କ ମାର୍ଗଶୀର ମାସ ଗୁରୁବାର ପୂଜା ପାଇଁ ବେତ ନିର୍ମିତ ଅଡା ଗଉଣି, ଚାଷୀଙ୍କ ପାଇଁ ଦାଆ, କଟୁରୀ, ବିଭିନ୍ନ କୃଷି ସାମଗ୍ରୀ ସମେତ ବିଭିନ୍ନ ଖେଳଣା, ଖାଦ୍ୟ ସାମଗ୍ରୀର ପସରା ଜମିଥାଏ I ଏହି ଯାତ୍ରାରେ ବ୍ୟବସାୟୀ ମାନେ ବେଶ୍ ଦୁଇ ପଇସା ପାଇବା ସହିତ ଲୋକେ ମଧ୍ୟ ଗୋଟିଏ ସ୍ଥାନରୁ ସେମାନଙ୍କର ସମସ୍ତ ପ୍ରକାର ଘରକରଣା ସାମଗ୍ରୀ ପାଇଥାନ୍ତି I ଏହିଦିନ ମାଆଙ୍କୁ ଦର୍ଶନ କଲେ ନାନା ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି I ପୂର୍ବ ବର୍ଷ ଗୁଡ଼ିକରେ ଏହି ଯାତ୍ରାରେ ନବେ ହଜାର ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ଏକ ଲକ୍ଷ କୋଡ଼ିଏ ହଜାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି I ଏହି ଦୃଷ୍ଟିରୁ ଗାଙ୍ଗପୁର ତଥା ଗଞ୍ଜାମ ପୋଲିସ୍ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସଜାଗ ରହିଛନ୍ତି I ଏହି ଯାତ୍ରାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ, ସଙ୍କୀର୍ତ୍ତନ ପରିବେଷଣ ସହିତ ଗୋବରା ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ପ୍ରବଚନର କାର୍ଯ୍ୟକ୍ରମ ରହିଛି I ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଜଳ ଯୋଗାଣ, ପ୍ରାଥମିକ ଚିକିତ୍ସା, ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ଓ ଚାରା ବଣ୍ଟନ, କୃଷି ବିଭାଗ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ